ପିପିଲି: ପିପିଲି ସରକାରୀ ଡାକ୍ତରଖାନାରେ ଜେନେରେଟର୍ ଅଛି। ମାତ୍ର ଦରକାର ବେଳେ ତାହା କାମରେ ଆସୁନି। ରବିବାର ଦିନ ଦନ୍ତା ହାତୀ ତାଣ୍ତବର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଡାକ୍ତର ଟର୍ଚ୍ଚ ଆଲୁଅରେ ଦେଖି ଭୁବନେଶ୍ବର ରେଫର୍ କରିଦେଇଥିଲେ। ପିପିଲି ପୌରାଞ୍ଚଳ ମଧ୍ୟରେ ଜଙ୍ଗଲୀ ଦନ୍ତାହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣେ ଯୁବକକୁ ଲୋକମାନେ ଏହି ଡାକ୍ତରଖାନାକୁ ନେଇଥିବା ସମୟରେ ରବିବାର ରାତି ପ୍ରାୟ ୯ଟା ବେଳେ ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ହାତୀ ପାଇଁ ପୌରାଞ୍ଚଳ ମଧ୍ୟରେ ବିଭାଗ ପକ୍ଷରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା। ସେହି ସମୟରେ ଡାକ୍ତରଖାନାରେ ଉକ୍ତ ଗୁରୁତର ଯୁବକ ଜଣଙ୍କୁ ନେଇ ଲୋକେ ପହଞ୍ଚି ଥିଲେ। ଆହତ ଜଣଙ୍କୁ ନେଇ ଯାଇଥିବା ଗାଡ଼ି ଉପରେ ଟର୍ଚ୍ଚ ଆଲୁଅରେ ଦେଖି ଡାକ୍ତର ସଙ୍ଗେ ସଙ୍ଗେ ଭୁବନେଶ୍ବର ପଠାଇ ଦେଇଥିଲେ। ସେହି ସମୟରେ ଖବର ସଂଗ୍ରହ ପାଇଁ ଯାଇଥିବା କିଛି ଗଣମାଧ୍ୟମ ପ୍ରତିନିଧି ଏ ସଂପର୍କରେ ପଚାରିବାରେ ଜେନେରେଟର୍ରେ ଡିଜେଲ ନଥିବା ନେଇ ଜଣେ କର୍ମଚାରୀ ଉତ୍ତର ଦେଇଥିଲେ। ଏହି ଘଟଣା ଆଜି ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲା। ଅନ୍ୟପକ୍ଷରେ ସରକାରୀ ହସ୍ପିଟାଲ୍ରେ ଏଭଳି ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନୀଳକଣ୍ଠ ମିଶ୍ର ଆଜି ପିପିଲି ଡାକ୍ତରଖାନାକୁ ଅଚାନକ ପରିଦର୍ଶନରେ ଆସିଥିବା ବେଳେ ପିପିଲି ସାମ୍ବାଦିକ ସଂଘର ସାଧାରଣ ସଂପାଦକ ରାଜକିଶୋର ସ୍ବାଇଁ ତାଙ୍କୁ ଭେଟି ଗତକାଲିର ଉକ୍ତ ଅଭାବନୀୟ ଘଟଣା ସଂପର୍କରେ ଅବଗତ କରାଇଥିଲେ। ସଙ୍ଗେ ସଙ୍ଗେ ଡିଜେଲ ପକାଇ ଜେନେରେଟର୍କୁ କାର୍ଯ୍ୟକ୍ଷମ କରିବାକୁ ସେ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଏହି ଡାକ୍ତରଖାନାରେ ଡାକ୍ତର ତଥା ବିଶେଷଜ୍ଞଙ୍କ ଅଭାବ, ପ୍ରସୂତି ବିଭାଗର ଅବ୍ୟବସ୍ଥା, ପରିସର ମଧ୍ୟରେ ଡାକ୍ତରଙ୍କ ପାଇଁ ଉଦ୍ଦିଷ୍ଟ କ୍ବାର୍ଟର୍ସରେ ଡାକ୍ତର ନରହି ଅନ୍ୟ କର୍ମଚାରୀ ରହିବା, ଡାକ୍ତରଖାନା ପରିସରରେ ଡ୍ରେନ୍ ପାଣି ଭାସିବା ଆଦି ସମସ୍ୟା ସଂପର୍କରେ ଜଣାଇବାରେ ଏହାର ସମାଧାନ କରାଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ।
ପିପିଲି ସରକାରୀ ଡାକ୍ତରଖାନାରେ ଅବ୍ୟବସ୍ଥା, ଦରକାର ବେଳେ କାମରେ ଲାଗୁନି ଜେନେରେଟର୍
/sambad/media/post_attachments/wp-content/uploads/2020/02/dfh74fs98h7sf98h7sf98h7s98fh75sf64h56sfhsfhfssfhhfhsfhsfhsfhsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)