ପୁରୀ : ବଳଙ୍ଗା ଥାନା ଇଲାକାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ପୁଲିସ ଏଏସ୍ଆଇଙ୍କୁ ସସ୍ପେଣ୍ଡ କରାଯାଇଛି। ଏହି ଘଟଣାରେ ପୁଲିସ କିନ୍ତୁ ସବୁ ଦିଗ ପ୍ରତି ଧ୍ୟାନ ଦେଇ ତଦନ୍ତ କରିବ ବୋଲି ଏସପି ଡା. ଉମାଶଙ୍କର ଦାଶ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।
ଏସ୍ପି କହିଛନ୍ତି, ସମ୍ପୃକ୍ତ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ବଳଙ୍ଗା ଥାନା କେସ୍ ନମ୍ବର ୨ରେ ଏକ ମାମଲା ରୁଜୁ କରିଛି। ଏହି ମାମଲାର ତଦନ୍ତ କରି ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ବଳଙ୍ଗା ଥାନାର ଏଏସ୍ଆଇ ଚିତ୍ତରଞ୍ଜନ ଦାସଙ୍କୁ ୩୭୬, ୩୪୨ ଏବଂ ୫୦୬ ଦଫାରେ ଗିରଫ କରି କୋର୍ଟଚାଲାଣ କରିଛି। ଯଦିଓ ତିନି ମାସ ପୂର୍ବରୁ ଏହି ଦୁଷ୍କର୍ମ ଘଟଣା ହୋଇଥିଲା, ତେବେ ଏହି ମାମଲାକୁ ଗମ୍ଭୀରତାର ସହିତ ନେଇ ତଦନ୍ତ କରାଯିବ। ମହିଳାଙ୍କ ବୟାନ ୧୬୪ରେ ରେକର୍ଡ କରାଯାଇଛି। ଏଏସ୍ଆଇ ଶ୍ରୀ ଦାସଙ୍କୁ ଗିରଫ କରାଯିବା ପୂର୍ବରୁ ତାଙ୍କୁ ସସ୍ପେଣ୍ଡ କରାଯାଇଥିଲା। ତେବେ ମହିଳାଙ୍କ ବୟାନକୁ ନେଇ ପୁଲିସ ଛାନ୍ଭିନ୍ କରୁଛି। ଦରକାର ପଡ଼ିଲେ ଏଏସ୍ଆଇ ଶ୍ରୀ ଦାସଙ୍କୁ ରିମାଣ୍ଡରେ ଅଣାଯିବ। ସେହିପରି ମହିଳାଙ୍କୁ କୌଣସି ପ୍ରକାର ଚାପ ପ୍ରୟୋଗ କରାଯାଉନଥିବା ଏସ୍ପି କହିଛନ୍ତି। ଆବଶ୍ୟକ ହେଲେ ତାଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଏସ୍ପି କହିଛନ୍ତି।
ଏହା ପୂର୍ବରୁ ଆଜି ପୀଡ଼ିତା କହିଥିଲେ ଯେ ଏସ୍ପି ତାଙ୍କ ସମ୍ପର୍କରେ ଯାହା ବୟାନ ଦେଇଥିଲେ ତାହା ଠିକ୍ ନୁହେଁ। ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନି ବୋଲି କୁଆଡ଼େ ଏସ୍ପି କହିଥିବା ସେ ଅଭିଯୋଗ କରିଥିଲେ।
ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା
ବଳଙ୍ଗା : ଜଣେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଆଜି ସନ୍ଧ୍ୟାରେ ରାଜ୍ୟ ମହିଳା କମିସନ ଅଧକ୍ଷା ଡ. ମୀନତି ବେହେରା, ଅତିରିକ୍ତ ଅଧ୍ୟକ୍ଷା ବିଜୟା ବାରୁଆ, କମିସନଙ୍କ ଆଇନ ପରାମର୍ଶଦାତା ରବୀନ୍ଦ୍ର ପଟ୍ଟନାୟକ ପ୍ରମୁଖ ବଳଙ୍ଗା ଥାନାରେ ପହଞ୍ଚି ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କର ବୟାନ ନେଇଥିଲେ। କମିସନ ସମ୍ପୂର୍ଣ୍ଣ ଘଟଣା କ୍ରମକୁ ତନ୍ନତନ୍ନ କରି ଅନୁଧ୍ୟାନ କରିଥିଲେ। ପୀଡ଼ିତାଙ୍କ ଏତଲା ଓ ବୟାନ ଆଧାରରେ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତଦନ୍ତକାରୀ ଅଧିକାରୀ ତଥା ପିପିଲି ଏସ୍ଡିପିଓ ଦେବଦତ୍ତ ବରାଳ ଓ ବଳଙ୍ଗା ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କୁ କମିସନ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତ ଏଏସ୍ଆଇ ଚିତ୍ତରଞ୍ଜନ ଦାସଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଆଜି ବଳଙ୍ଗା ପୁଲିସ ତାଙ୍କୁ ନିମାପଡ଼ା ଜେଏମ୍ଏଫ୍ସି କୋର୍ଟରେ ହାଜର କରିଥିଲା। ମାତ୍ର ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ନିମାପଡ଼ା ସବ୍ ଜେଲ୍କୁ ପଠାଇ ଦିଆଯାଇଛି।