ତଥାଗତ-ଟୋଲ୍‌ ପ୍ଲାଜା କର୍ମଚାରୀ କଥା କଟାକଟି, ୨ହଜାର ଟଙ୍କିଆ ନୋଟ୍‌କୁ ନେଇ ବିବାଦ

କର୍ମଚାରୀଙ୍କ ଔଦ୍ଧତ୍ୟ ଚରମ ସୀମାରେ: ତଥାଗତ, ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରାଯିବ: ମ୍ୟାନେଜର

ପିପିଲି : ପିପିଲି ଟୋଲ୍‌ ପ୍ଲାଜା ପୁଣି ଚର୍ଚ୍ଚାକୁ ଆସିଛି। ଆଜି ପୂର୍ବତନ ସାଂସଦ ତଥା ‘ଧରିତ୍ରୀ’ର ସମ୍ପାଦକ ତଥାଗତ ଶତପଥୀ ପିପିଲି ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ସମୟରେ ଟୋଲ୍‌ ବାବଦକୁ ୨ହଜାର ଟଙ୍କିଆ ନୋଟ ଦେବାକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ଅପରାହ୍ନ ପ୍ରାୟ ୫ଟା ସମୟରେ ଏହି ଘଟଣା ଘଟିଥିଲା।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଶତପଥୀ ଟୋଲ୍‌ ପ୍ଲାଜାରେ ଗାଡ଼ି ସହ ଅଟକି ଟୋଲ୍‌ ବାବଦକୁ ୨ହଜାର ଟଙ୍କିଆ ନୋଟ୍‌ ଦେଇଥିଲେ। କାଉଣ୍ଟର୍‌ରେ ଥିବା କର୍ମଚାରୀ ତାହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେ ସମୟରେ ଦୁଇଜଣ କର୍ମଚାରୀ ତଥାଗତଙ୍କ ପାଖକୁ ଆସି ଅଫିସ ୨ହଜାର ଟଙ୍କିଆ ନୋଟ୍‌ ନେବା ପାଇଁ ମନା କରିଥିବା କହିଥିଲେ। ତଥାଗତ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ଶୁଣିବା ବଦଳରେ ଯୁକ୍ତି କରିଥିଲେ। ୨ହଜାର ଟଙ୍କିଆ ବ୍ୟାଙ୍କରେ ଜମା କରିବାକୁ ସରକାରୀ ନିୟମ ରହିଛି ବୋଲି ଯୁକ୍ତି କରିବା ସହ ୨ହଜାର ଟଙ୍କିଆ ନୋଟ୍‌ ନନେବା ପାଇଁ ମ୍ୟାନେଜରଙ୍କ ନିର୍ଦ୍ଦେଶ ଥିବା କହିଥିଲେ। ଏହା ସହ ଟ୍ରାଫିକ ଜାମ୍‌ ହେଉଥିବାରୁ ଶୀଘ୍ର ଗାଡ଼ି କାଢ଼ିବାକୁ ତଥାଗତଙ୍କୁ କର୍ମଚାରୀଜଣକ ତାଗିଦ୍‌ କରିଥିଲେ। କର୍ମଚାରୀଜଣଙ୍କ ଏଭଳି ଆଚରଣକୁ ନେଇ ସେଠାରେ ଉପସ୍ଥିତ କେତେକ ବ୍ୟକ୍ତି ଅସନ୍ତୋଷ ପ୍ରକାଶ କରିଥିଲେ। କର୍ମଚାରୀଙ୍କ ଆଚରଣ ଓ ତଥାଗତଙ୍କ ବାର୍ତ୍ତାଳାପକୁ ନେଇ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଏ ସମ୍ପର୍କରେ ଶ୍ରୀ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଟୋଲ୍‌ ଗେଟ୍‌ କର୍ମଚାରୀଙ୍କ ଔଦ୍ଧତ୍ୟ ଚରମ ସୀମାରେ। ସେମାନେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି। ଆସନ୍ତା ରଥଯାତ୍ରାରେ ସାଧାରଣ ଲୋକଙ୍କୁ ସେମାନେ ବହୁ ଅସୁବିଧାରେ ପକାଇବେ ବୋଲି ସେ କହିଥିଲେ। ଏ ସମ୍ପର୍କରେ ପିପିଲି ଟୋଲ୍‌ ପ୍ଲାଜା ମ୍ୟାନେଜର ଚିନ୍ମୟ ପ୍ରସାଦ ନାୟକଙ୍କୁ ପଚାରିବାରୁ ସେ ଅଭିଯୋଗ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବିଭିନ୍ନ ସମୟରେ କର୍ମଚାରୀଙ୍କ ଆଚରଣ ଓ ଦୌରାତ୍ମ୍ୟକୁ ନେଇ ଏହି ଟୋଲ୍‌ ପ୍ଲାଜା ଚର୍ଚ୍ଚାରେ ରହିଆସିଛି। ଟୋଲ୍‌ ପ୍ଲାଜା କର୍ମଚାରୀଙ୍କ ଆକ୍ରମଣରେ ମଙ୍ଗଳପୁର ଅଞ୍ଚଳର ବିଶ୍ବରଞ୍ଜନ ପରିଡ଼ା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ସାଂସଦ ବୋଲି ପରିଚୟ ଦେଇ ମଧ୍ୟ ମଧ୍ୟପ୍ରଦେଶ ସାଂସଦ ସାବିତ୍ରୀ ଠାକୁର ଟୋଲ୍‌ ପ୍ଲାଜା କର୍ମଚାରୀଙ୍କ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଧର୍ମପତ୍ନୀ ମଧ୍ୟ ଟୋଲ ପ୍ଲାଜା କର୍ମଚାରୀଙ୍କ ଅଶାଳୀନ ଆଚରଣର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର