କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ପୁରୀ ଜିଲ୍ଲାର ଦାନଗହିର ଗାଁକୁ ସିଲ୍ କଲା ପ୍ରଶାସନ, ୧୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା

ପୁରୀ /ପିପିଲି: ଗତକାଲି ପୁରୀ ଜିଲ୍ଲାର ପିପିଲି ଥାନା ଅନ୍ତର୍ଗତ ଦାନଗହିର ଗାଁ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ପିପିଲି ଥାନା ଅନ୍ତର୍ଗତ ଦାନଗହିର ଗାଁକୁ ଆଜି ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ଜଣାଯାଇଛି। ଏହାଛଡ଼ା ଏହି ଗାଁକୁ ୧୦ ଦିନ ଲାଗି ଅର୍ଥାତ୍ ୧୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି। ଆଜି ସକାଳ ୭ଟାରୁ୧୪ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ବନ୍ଦ ଜାରି ରହିବ। ଫଳରେ ଦାନଗହିର ଗାଁରେ  ରହୁଥିବା କୌଣସି ବାସିନ୍ଦା ବାହାରକୁ ଯିବେ ନାହିଁ | ପୁରୀ ଉପଜିଲ୍ଲାପାଳ ବିଭିନ୍ନ ମାଧ୍ୟମରେ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀ ତଥା ଚିକିତ୍ସା ଆବଶ୍ୟକତା ଯୋଗାଣ ବ୍ୟବସ୍ଥା କରିବେ। ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି|

ଦିଲ୍ଲୀ ସ୍ଥିତ ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରେ ଏଠାରୁ କେତେକ ଲୋକ ଯୋଗ ଦେଇଥିବାର ଆଗରୁ ସୂଚନା ଥିଲା। ଏ ନେଇ ଏହି ଅଞ୍ଚଳରେ ସଂକ୍ରମଣର ଆଶଙ୍କା ଥିବା ନେଇ ଆଗରୁ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା, ଯାହା ଏବେ ସତ ହୋଇଛି।


ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ପିପିଲି ଥାନାଠାରୁ ମାତ୍ର ୩ କିଲୋମିଟର ଦୂରସ୍ଥ ହାଟସାହି ପଞ୍ଚାୟତ ଅନ୍ତର୍ଗତ ଦାନଗହିର ଗାଁକୁ ସିଲ୍ କରାଯାଇଛି। ଆଜି ପୁରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅରୁଣ କୁମାର ଜେନା, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର ସପନ କୁମାର ନନ୍ଦ,ଏସଡିପିଓ ଦେବଦତ୍ତ ବରାଳ ଏବଂ ଥାନା ଅଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି ପ୍ରମୁଖ ସେଠାରେ ଉପସ୍ଥିତ ରହି ଦାନଗହିରକୁ ସିଲ୍ କରୁଛନ୍ତି। ଦାନଗହିର ଗାଁକୁ ଉପଅଗ୍ନିଶମ ଅଧିକାରୀ ବିଚିତ୍ର କୁମାର ପଣ୍ଡାଙ୍କ ନେତୃତ୍ବରେ ଅଗ୍ନିଶମ କର୍ମଚାରୀମାନେ ବିଶୋଧନ କରୁଛନ୍ତି।

ସମ୍ବନ୍ଧିତ ଖବର