ଖୋର୍ଦ୍ଧା : କାଇପଦରସ୍ଥିତ ମୁସଲିମ ସୁଫୀ ବୁଖାରୀ ପୀର ପୀଠ ସର୍ବଧର୍ମ ସମନ୍ବୟର ଏକ ଅନନ୍ୟ ଉଦାହରଣ। ସମଗ୍ର ବିଶ୍ବକୁ ଏହା ଭାଇଚାରା ଭାବର ପ୍ରକୃଷ୍ଟ ବାର୍ତ୍ତା ପ୍ରଦାନ କରିଛି ବୋଲି ଆଜି ‘ଉର୍ସ’ ଉତ୍ସବ ଅବସରରେ କାଇପଦର ବୁଖରୀ ପୀଠ ବିକାଶ ପରିଷଦ ଏବଂ ବୁଖାରୀ ଖାଦିମ୍ କମିଟି ପକ୍ଷରୁ ଆୟୋଜିତ ସଦ୍ଭାବନା ସଭା ଓ ସଂହତି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି।
ପୂର୍ବାହ୍ଣରେ ବୁଖାରୀ ପୀଠରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଲାଲ ଆହୁରି କହିଥିଲେ ଯେ ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ପ୍ରଚାର କରୁଥିବା ଏହି ପୀଠ ଅନନ୍ୟ। ଏଠାରେ ଯେପରି ବିଭିନ୍ନ ଧର୍ମର ଲୋକ ପୂଜାର୍ଚ୍ଚନା କରନ୍ତି, ତାହା ବିରଳ। ଅନ୍ୟତମ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ ଓ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ଯୋଗଦେଇ ଜଗନ୍ନାଥଙ୍କ ଭକ୍ତ ସାଲବେଗଙ୍କ ଜୀବନୀ, ଶ୍ରୀଜଗନ୍ନାଥଙ୍କ ସର୍ବଧର୍ମ ସମନ୍ବୟର ବାର୍ତ୍ତା ଆଦିର ଆଲୋଚନା କରିଥିଲେ। ଏହି ସଭାରେ କାଇପଦର ବୁଖାରୀ ପୀଠ ବିକାଶ ପରିଷଦର ସଭାପତି ତଥା ପୂର୍ବତନ ବିଧାୟକ ଡ.ଦିଲୀପ ଶ୍ରୀଚନ୍ଦନ ଅଧ୍ୟକ୍ଷତା କରିଥିଲେ। ନିଜ ବକ୍ତବ୍ୟରେ ପୀଠର ପୂଜା ପରମ୍ପରା ସମ୍ପର୍କରେ ଆଲୋକପାତ କରିବା ସହ ଏଠାରେ ଗୁଡ଼ ଭୋଗ ଓ ଫୁଲ ହିନ୍ଦୁ ଯୋଗାଇଥିବା ବେଳେ ଖାଦିମ ଓ ପୂଜକ ଭାବେ ମୁସଲମାନମାନେ ପୂଜା କରିଥା’ନ୍ତି ବୋଲି କହିଥିଲେ।
ଏହି ଅବସରରେ କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ତରୁଣକାନ୍ତି ରାୟ ଏବଂ ଅନ୍ୟ ଅଧ୍ୟାପକ/ଅଧ୍ୟାପିକା, ନିସ୍ ଗ୍ରୁଫ୍ ଅଫ୍ ଶିକ୍ଷା ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ.ସୁଭାଷ ଚନ୍ଦ୍ର ନାୟକ ଓ ସହଯୋଗୀ ପ୍ରତିଷ୍ଠାତା ସ୍ମୃତିସୁଧା ନାୟକ, ବୁଖାରୀ ପୀଠ ଖାଦିମ କମିଟିର କର୍ମକର୍ତ୍ତା ପ୍ରମୁଖଙ୍କୁ ଶିକ୍ଷାର ବିକାଶ, ସମାଜସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଖାଦିମ୍ କମିଟିର ସଭାପତି ସେକ୍ ସନାଉଲ୍ଲା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/kaipadar.jpg)