ଇଚ୍ଛାପୁର : ବ୍ରହ୍ମପୁର ଉପକଣ୍ଠ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ସହରର ପଶ୍ଚିମ ଭାଗରେ ଥିବା ପିର୍ଲା ପର୍ବତରେ ମାଣବସା ଗୁରୁବାର ଅବସରରେ ଆଜି ପିର୍ଲା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବହୁ ସଂଖ୍ୟାରେ ହିନ୍ଦୁ ଶ୍ରଦ୍ଧାଳୁ ମସ୍‌ଜିଦ୍‌କୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଯାତ୍ରାର ବିଶେଷତ୍ୱ ହେଉଛି, ମସ୍‌ଜିଦ୍‌ରେ ହିନ୍ଦୁଙ୍କ ଦ୍ୱାରା ଅର୍ପଣ କରା ଯାଉଥିବା ନଡ଼ିଆ, କଦଳୀ ଓ ପୂଜା ସାମଗ୍ରୀ ଭୋଗ ହୋଇଥାଏ। ହିନ୍ଦୁଙ୍କ ମଙ୍ଗଳ ପାଇଁ ମୁସଲିମାନ୍‌ମାନେ ପ୍ରାର୍ଥନା କରିଥାନ୍ତି। ଫଳରେ ଭାଇଚାରାର ଏକ ନିଆରା ପର୍ବ ଭାବେ ଏହି ପର୍ବ ବେଶ୍‌ ପରିଚିତ।

Advertisment

ଖାଲି ଏତିକି ନୁହେଁ, ପାହାଡ଼ ଉପରେ ଥିବା ବିଭିନ୍ନ ଗମ୍ବୁଜର ପାଣି କୁଣ୍ଡରେ ବର୍ଷ ସାରା ପାଣି ରହିଥାଏ। ଏଥିରୁ ପାଣି ନେଲେ ମୁକ ଓ ବଧିରଙ୍କ ବାକ୍‌, ଶ୍ରବଣ ଶକ୍ତି ଫେରିଥାଏ ବୋଲି ବିଶ୍ୱାସ ରହିଛି। କିମ୍ବଦନ୍ତୀ ଅନୁସାରରେ, ଏହି ପାହାଡ଼ରେ ୮ଶହ ବର୍ଷ ତଳେ ଜଣେ ମୁସଲିମ୍‌ ବାବା ଆଫଗାନିସ୍ତାନରୁ ଆସି ତପସ୍ୟା କରିଥିଲେ। ୪୦ ଦିନ ତପସ୍ୟା କରିବା ପରେ ପାଣି କୁଣ୍ଡରେ ମୁଣ୍ଡ ବୁଡ଼ାଇ ଗୋଡ଼ ଉପରକୁ ରଖି ସାଧନାରତ ଥିଲେ। ଏ ସମୟରେ ତାଙ୍କୁ ପକ୍ଷୀ ମାନେ କାମୁଡ଼ି କ୍ଷତବିକ୍ଷତ କରିବା ପରେ ସେଠାରେ ତାଙ୍କ କଙ୍କାଳ ରହି ଯାଇଥିଲା। କଙ୍କାଳ ଉପରେ ପାଣି ଚାଲିବାରୁ ତାଙ୍କର ପୁନର୍ଜନ୍ମ ହୋଇଥିଲା। ଏହାପରେ ସେ ସେହି ସ୍ଥାନ ପରିତ୍ୟାଗ କରିଥିଲେ। ସେହିଦିନ ଠାରୁ ସେଠାରେ ଏହି ଯାତ୍ରା ପାଳିତ ହୋଇ ଆସୁଛି। ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ପିର୍ଲା ପାହାଡ଼ରେ ପୂଜାର୍ଚ୍ଚନା ପରେ ଧାନକଟା ଆରମ୍ଭ ହୋଇଥାଏ। ଏଥିରେ ଓଡ଼ିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୁଅନ୍ତି।