କରୋନା ଆକ୍ରାନ୍ତଙ୍କ ଦେବଦୂତ ପୀତାବାସ ଓ ଗଣେଶ

ହସ୍ପିଟାଲରେ ପହଞ୍ଚାଇଲେଣି ୩୦୦୦ରୁ ଅଧିକ କରୋନା ରୋଗୀ

ରାଉରକେଲା, (ମଳୟ ରଞ୍ଜନ ସାହୁ) : ମହାମାରୀ କରୋନା ଦୂରେଇ ଦେଇଛି ରକ୍ତ ସମ୍ପର୍କ। କରୋନା ନାଁ ଶୁଣିଲେ ବନ୍ଧୁ ପରିଜନ ଆକ୍ରାନ୍ତଙ୍କ ପାଖ ପଶୁ ନାହାନ୍ତି। ଲୋକେ ଘରୁ ବାହାରୁ ନାହାନ୍ତି। ଏଭଳି କଠିନ ସମୟରେ ସଂକ୍ରମଣକୁ ଖାତିର ନ କରି ଜୀବନକୁ ପାଣି ଛଡାଇ କରୋନା ଆକ୍ରାନ୍ତରେ ସେବାରେ ନିଜକୁ ଉତ୍ସର୍ଗ କରି ସାଜିଛନ୍ତି ଦୂବଦୂତ। ମୁଣ୍ଡଫଟା ଖରା ହେଉ ଅବା ଅଧ ରାତି କରୋନା ଆକ୍ରାନ୍ତଙ୍କ ପାଇଁ ସଦାସର୍ବଦା ପ୍ରସ୍ତୁତ ଦୁଇ ଯୋଦ୍ଧା ହେଲେ ପୀତବାସ ପଟେଲ ଓ ଗଣେଶ ଲୋହାର।

ପୀତବାସ ପେସାରେ ଫାର୍ମାସିଷ୍ଟ। ଗଣେଶ ଆମ୍ବୁଲାନ୍ସ ଡ୍ରାଇଭର। ଗୋଟିଏ ଆମ୍ବୁଲାନ୍ସରେ ଦୁହିଁଙ୍କ ଡ୍ୟୁଟି। ମହାମାରୀ ସମୟରେ ଅହରହ ସେବା କରି ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ଦୁହେଁ ଦୈନିକ ୧୪ରୁ ୧୬ ଘଣ୍ଟା କରୋନା ଆକ୍ରାନ୍ତଙ୍କ ସେବାରେ ଲାଗିଛନ୍ତି। ଘରୁ କରୋନା ରୋଗୀଙ୍କୁ ଆଣି ପହଞ୍ଚାଉଛନ୍ତି କୋଭିଡ୍ ହସ୍ପିଟାଲରେ। ପୁଣି ଗୋଟିଏ କୋଭିଡ ହସ୍ପିଟାଲରୁ ଅନ୍ୟ କୋଭିଡ ହସ୍ପିଟାଲରେ ଗୁରୁତର କରୋନା ଆକ୍ରାନ୍ତଙ୍କୁ ନେଉଛନ୍ତି। ଆମ୍ବୁଲାନ୍ସରେ ବସାଇବା ଠାରୁ ଆରମ୍ଭ କରି ଅକ୍ସିଜେନ୍, ଭେଣ୍ଟିଲେଣ୍ଟନର ଲଗାଇବା ଆଦି ସମସ୍ତ କାମ କରନ୍ତି ଦୁଇଜଣ। କେତେବେଳେ ରାଜଗାଙ୍ଗପୁର, ଫର୍ଟିଲାଇଜର ହେଉ ଅବା ଅନ୍ୟ କେତେବେଳେ କୁଆରମୁଣ୍ଡା, ଜଗଦା, ଇସ୍ପାତ ସହରାଞ୍ଚଳ ହେଉ ଫୋନ୍ କଲ୍ ପାଇବା ମାତ୍ରେ ପହଞ୍ଚି ଯାଆନ୍ତି ସେଠାରେ। କେଉଁ ରୋଗୀଙ୍କୁ ହାଇଟେକ୍ କୋଭିଡ ହସ୍ପିଟାଲ, ଅଗ୍ରସେନ୍ ଭବନ ହେଉ ଅବା ଅନ୍ୟ କାହାକୁ ହାଇଟେକ୍, ଉଦିତନଗର ଶାନ୍ତି ମେମୋରିଆଲ ଓ ଜୟପ୍ରକାଶ କୋଭିଡ ହସ୍ପିଟାଲରେ ପହଞ୍ଚାଇଥାନ୍ତି। ବେଳେ ବେଳେ ଏମିତି କଲ୍ ଆସେ ଯେ, ଖାଇବାକୁ ସମୟ ପାହାନ୍ତି ନାହିଁ। ଭୋକ ଉପାସରେ କରୋନା ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇବାକୁ ଦିଅନ୍ତି ପ୍ରାଥମିକତା ।

ଅନେକ ସମୟରେ ହସ୍ପିଟାଲ ଆଣୁଥିବା ବାଟରେ ଅନେକ ଗୁରୁତର ରୋଗୀଙ୍କ ଜୀବନ ଯାଇଛି। ଆଉ କେ୍ତେକ ହସ୍ପିଟାଲ ପହଞ୍ଚିବା ପରେ ଆଖି ବୁଜି ଦେଇଛନ୍ତି। ଆଖି ଆଗରେ ରୋଗୀର ଜୀବନ ଚାଲିଯାଉଥିବା ଦେଖି ଦୁଃଖରେ ଦୁହେଁ ଆଖିରୁ ଲୁହ ସମ୍ଭାଳି ପାରି ନାହାନ୍ତି। ତଥାପି ଭଗବାନଙ୍କ ଉପରେ ଭରସା ରଖି ଧୈର୍ଯ୍ୟର ସହ କାମ କରି ଚାଲିଛନ୍ତି। ଦିନକୁ ପ୍ରାୟ ୧୨ରୁ ୧୫ ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଉଛନ୍ତି। ବର୍ଷକ ମଧ୍ୟରେ ପ୍ରାୟ ୩ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ପହଞ୍ଚାଇସାରିଛନ୍ତି।

ପୀତାବାସ କହନ୍ତି, ଏଭଳି କଠିନ ସମୟରେ କରୋନା ରୋଗୀଙ୍କ ସେବା କରିବାରେ ବହୁତ ଆନନ୍ଦ ଲାଗୁଛି। ପ୍ରଥମେ ପ୍ରଥମେ କରୋନା ଆକ୍ରାନ୍ତଙ୍କୁ ଛୁଇଁବାକୁ ଭୟ ଲାଗୁଥିଲା। ଏବେ ଆଦୌ ଭୟ ନାହିଁ। ପ୍ରତ୍ୟେକ ରୋଗୀଙ୍କୁ ଆମ୍ବୁଲାନ୍ସରେ ବସିବା, ଶୋଇବା ଠାରୁ ନେଇ ହସ୍ପିଟାଲ ବେଡ୍ରେ ଶୋଇବା ପର୍ଯ୍ୟନ୍ତ ସବୁ କାମ କରିବାକୁ ପଡୁଛି। ଏଥିପାଇଁ ଆମ ମନରେ ତିଳେ ହେଲେ ଦ୍ବିଧା ନାହିଁ। ଭଗବାନଙ୍କ ଦୟାରୁ ଆଜି ପର୍ଯ୍ୟନ୍ତ ଆମକୁ କରୋନା ଛୁଇଁ ପାରି ନାହିଁ। କରୋନାର କୌଣସି ଲକ୍ଷଣ ଆମେ ଅନୁଭବ କରି ନାହୁଁ। କରୋନା ଆକ୍ରାନ୍ତଙ୍କ ସେବାରେ ଆମେ ଦିନ ରାତି ଭୁଲି ଯାଇଛି। ଘର, ପରିବାର ଲୋକଙ୍କୁ ସମୟ ଦେଇ ପାରୁ ନାହୁଁ। ମନରେ କଷ୍ଟ ହେଉଥିଲେ ହେଁ ମୃତ୍ୟୁ ସହ ସଂଘର୍ଷ କରୁଥିବା କରୋନା ଆକ୍ରାନ୍ତ ଜୀବନ ବଞ୍ଚାଇବାକୁ ଆମର ପ୍ରଥମ ଲକ୍ଷ୍ୟ।

ଡ୍ରାଇଭର ଗଣେଶ କୁହନ୍ତି, ଆମକୁ ଏଭଳି ସେବା କରିବାକୁ ସୁଯୋଗ ମିଳିଥିବାରୁ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି। ରୋଗୀଙ୍କୁ ସେବାରେ ବ୍ୟସ୍ତ ରହୁଥିବାରୁ ଘର ପରିବାର ଭୁଲି ଯାଇଛୁ। କଲ୍ ଆସିବା କେଇ ମିନିଟ୍ ମଧ୍ୟରେ ରୋଗୀଙ୍କ ଘରେ ପହଞ୍ଚିବାକୁ ଚେଷ୍ଟା କରି ଆକ୍ରାନ୍ତଙ୍କ ଜୀବନ ବଞ୍ଚାଉଛୁ। ଆକ୍ରାନ୍ତଙ୍କ ପରିବାର ଧନ୍ୟବାଦ, ଆର୍ଶିବାଦ ଆମକୁ କାମ କରିବାକୁ ଆହୁରି ଶକ୍ତି ଦେଇଛି ବୋଲି କହିଛନ୍ତି ଗଣେଶ।

ସମ୍ବନ୍ଧିତ ଖବର