ପିତଳ ଛକରେ ଗଣହତ୍ୟା ଘଟଣା: ପୁଲିସ କବ୍‌ଜାରେ ମାଷ୍ଟରମାଇଣ୍ଡ୍ ସାଧୁ

ଶେରଗଡ଼ : ‌ଶେରଗଡ଼ ବ୍ଲକ୍ ଓ ହିଞ୍ଜିଳିକାଟୁ ଥାନା ଅଧୀନ ପିତଳ ଛକରେ ଗତ ୨୨ ତାରିଖ ବିଳମ୍ବିତ ରାତିରେ ସାମାନ୍ୟ ଯୁକ୍ତିତର୍କରୁ ୪ ଭାଇଙ୍କୁ ଦୁର୍ବୃତ୍ତମାନେ ପିଟି ପିଟି ନିର୍ମମ ଭାବେ ହତ୍ୟା ଘଟଣାକୁ ଇତିମଧ୍ୟରେ ୪୮ ଘଣ୍ଟା ପୂରିଛି। ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ସାଧୁ ଓ ତା’ର ସହଯୋଗୀ ପୁଲିସ କବ୍‌ଜାରେ ରହିଛନ୍ତି।

ଏହି ସମ୍ବେଦନଶୀଳ ଘଟଣାର ମାଷ୍ଟରମାଇଣ୍ଡ୍ ତଥା ମୁଖ୍ୟ ଅଭିଯୁକ୍ତ ଅମୀୟ ସ୍ବାଇଁ ଓରଫ୍‌ ସାଧୁ ବୋଲି ତଦନ୍ତରୁ ସ୍ପଷ୍ଟ ପ୍ରମାଣିତ ହୋଇଛି। ସେ ଓ ତା’ର ସହଯୋଗୀମାନେ ମିଶି ଚାରିଭାଇ ମଙ୍ଗୁଳୁ ସ୍ବାଇଁଙ୍କ ପୁଅ ଶମ୍ଭୁ ସ୍ବାଇଁ (୨୫), ପାଣ୍ଡବ ସ୍ବାଇଁ (୨୩), ରାଜା ସ୍ବାଇଁ (୨୮) ଓ ପୁତୁରା ଚନ୍ଦନ ସ୍ବାଇଁ (୧୬)ଙ୍କୁ ଗୋଡ଼ାଇ ଗୋଡ଼ାଇ ବୀଭତ୍ସ ଭାବେ ହତ୍ୟା କରିଥିଲେ। ଆଉ ସାଧୁକୁ ପୁଲିସ ଘଟଣାସ୍ଥଳରୁ ଆହତ ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆଣିଥିଲା। ଗଞ୍ଜାମ ଜିଲ୍ଲାର ଆଉ ଏକ ଥାନାରେ ତା’ର କିଛି ସହଯୋଗୀ ତଥା ଅନ୍ୟ ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ସମସ୍ତ ଅଭିଯୁକ୍ତ ବର୍ତ୍ତମାନ ପୁଲିସ ପଞ୍ଝାରେ ପଡ଼ିଥିବା ବେଳେ ଖୁବ୍‌ଶୀଘ୍ର ସେମାନେ ଗିରଫ ହେବେ ବୋଲି ଅନୁମାନ କରାଯାଉଛି।

ମୁଖ୍ୟ ଅଭିଯୁକ୍ତ ସାଧୁ ହେଉଛି, ଗଞ୍ଜାମ ଜିଲ୍ଲାର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧୀ। ହିଞ୍ଜିଳିକାଟୁର ବହୁଚର୍ଚ୍ଚିତ ଜୟଗୌରୀ ଡବଲ୍ ମର୍ଡର୍ ସମେତ ବିଭିନ୍ନ ଜଘନ୍ୟ ଅପରାଧରେ ସେ ସଂପୃକ୍ତ। ସାଧୁ କିଛିମାସ ତଳେ ଜାମିନରେ ଜେଲରୁ ମୁକୁଳିଥିଲା। ଏହାମଧ୍ୟରେ ସାଧୁର ଭାଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନରେନ୍ଦ୍ରପୁର ପଞ୍ଚାୟତରୁ ସମିତିସଭ୍ୟ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର