ସମ୍ବଲପୁର: ବିଶିଷ୍ଟ ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ବାଳ (୮୭ ବର୍ଷ) ଆଉ ନାହାନ୍ତି। ଆଜି ସମ୍ବଲପୁର ଜିଲ୍ଲା ମାନେଶ୍ବର ବ୍ଲକ ପରମାଣପୁର ପାଖ ବାରଡୁମ୍ବୁରିସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ଗତ କିଛି ମାସ ହେଲା ସେ ଶଯ୍ୟାଶାୟୀ ଥିଲେ। ଓଡ଼ିଆ ଓ ସମ୍ବଲପୁରୀ ସାହିତ୍ୟକୁ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ବିୟୋଗରେ ଗୋଟିଏ ଯୁଗର ଅବସାନ ହୋଇଛି। ହୀରାକୁଦ ଜଳଭଣ୍ଡାରରେ ବିଲୀନ ହୋଇଯାଇଥିବା ପିତାପାଲି ଗ୍ରାମରେ ୧୯୩୫ ମେ ୪ ତାରିଖ ସେ ଜନ୍ମଲାଭ କରିଥିଲେ। ପିଲାଟି ଦିନରୁ ସାହିତ୍ୟ କର୍ମରେ ବ୍ରତୀ ହୋଇଥିବା ମଙ୍ଗଳୁ ବିଶ୍ବାଳ ୫୬ଟି ପୁସ୍ତକର ରଚୟିତା ଅଟନ୍ତି। ଶିଶୁ ସାହିତ୍ୟ, ରମ୍ୟରଚନା, ଗଳ୍ପ, ପ୍ରବନ୍ଧ, କବିତା, ନାଟକ, ଉପନ୍ୟାସ ତଥା ଅନୁବାଦ ଆଦି ସାହିତ୍ୟର ସବୁକ୍ଷେତ୍ରରେ ସେ ଲେଖନୀ ଚାଳନା କରି ପ୍ରଶଂସିତ ହୋଇଛନ୍ତି। ଆନ୍ତର୍ଜାତିକ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଭୁଖା’ ତାଙ୍କ ରଚିତ ପୁସ୍ତକ ଉପରେ ପର୍ଯ୍ୟବସିତ। ସେ ଆକାଶବାଣୀ ସମ୍ବଲପୁରର ସ୍ବୀକୃତିପ୍ରାପ୍ତ ଗୀତିକାର ଓ ବେତାର ନାଟ୍ୟକାର ଭାବରେ ସୁନାମ ଅର୍ଜନ କରିଥିଲେ।
ତାଙ୍କର ଅଇଲା ବସନ୍ତ ଫେରି, ପାଉଁଶ ତଳର ନିଆଁ, ଦରିଆପାରିର କବିତା, ଋତୁ ଇଚ୍ଛାମତୀ ପ୍ରଭୃତି ୧୨ଟି କବିତା ସଂକଳନ, ଅସ୍ତରାଗର କବି, ଅଗ୍ନିସମ୍ଭବା, ଅନ୍ୟ ଦିଗନ୍ତ ଆଦି ୮ଟି ଗଳ୍ପ ସଂକଳନ, ଉପନାୟିକା, ପାହାଡ଼ର ସ୍ବରଲିପି ଆଦି ୪ଟି ବେତାର ନାଟକ, ଭୁଖା, ଉଡ୍ଲା ପତର୍ ବୁଡ୍ଲା ଡଙ୍ଗା, ଉଲ୍ଗୁଲାନ୍, ମା ସମଲେଇ, ହତରିଆର ଭୂତିଆର୍, ସୁନ୍ଦର ସାଏ, ବରୁଆ, ଛଏଲି ପ୍ରଭୃତି ୧୩ଟି ସମ୍ବଲପୁରୀ ନାଟକ ଏବଂ ଏହା ବ୍ୟତୀତ ୩ଟି ଉପନ୍ୟାସ, ୫ଟି ଶିଶୁ ସାହିତ୍ୟ ସଂକଳନ, ୬ଟି ପ୍ରବନ୍ଧ ସଂକଳନ, ୨ଟି ଅନୁବାଦ ପୁସ୍ତକ ରହିଛି। ଏହାଛଡ଼ା ସ୍ବକୀୟ ଶୈଳୀରେ ରଚିତ ତାଙ୍କର ଆତ୍ମଜୀବନୀ ପୁସ୍ତକ ‘ ହଜିଲା ଦିନ ଖୁବ୍ ପାଠକୀୟ ଆଦୃତି ଲାଭ କରିଛି। ତାଙ୍କ ସାରସ୍ବତ ସାଧନା ସଂପର୍କରେ ଗବେଷଣା କରି ଛାତ୍ରମାନେ ପିଏଚ୍ଡି ଲାଭ କରିଥିବା ଦୃଷ୍ଟାନ୍ତ ରହିଛି।
ସେ ଜଣେ ସାହିତ୍ୟିକ ଭାବରେ ଯେପରି ଲୋକପ୍ରିୟତାର ଶୀର୍ଷକୁ ଛୁଇଁଥିଲେ। ସେହିପରି ଜଣେ ଆଦର୍ଶ ଶିକ୍ଷକ ଭାବରେ ମଧ୍ୟ ଲୋକଙ୍କ ଭଲପାଇବା ତଥା ସମ୍ମାନର ଅଧିକାରୀ ହୋଇପାରିଥିଲେ। ଶ୍ରୀପୁରା ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ପରମାଣପୁର ହାଇସ୍କୁଲରେ ଦୀର୍ଘ ୩୮ ବର୍ଷ ଶିକ୍ଷକତା କରିଥିଲେ। ୧୯୯୪ ମସିହା ଗୁରୁଦିବସରେ ତତ୍କାଳୀନ ମହାମହିମ ରାଷ୍ଟ୍ରପତି ଡ. ଶଙ୍କରଦୟାଲ ଶର୍ମାଙ୍କଠାରୁ ଆଦର୍ଶ ଶିକ୍ଷକ ଭାବେ ରାଷ୍ଟ୍ରପତି ପୁରସ୍କାର ଗ୍ରହଣ କରିଥିଲେ। ଦୂରଦର୍ଶନ ପକ୍ଷରୁ ତାଙ୍କ ଉପରେ ‘ପିତାପାଲିର ମିଠା ମଣିଷ’ ନାମରେ ଏକ ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯାଇଥିଲା। ସେହିଦିନଠାରୁ ଲୋକେ ତାଙ୍କ ‘ପିତାପାଲିର ମିଠା ମଣିଷ’ ବୋଲି ଅଭିହିତ କରିଥିଲେ। ସାହିତ୍ୟ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା। ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା। ରାଜ୍ୟର ବିଭିନ୍ନ ଅଂଚଳର ୧୨୮ଟି ସଂସ୍ଥା ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ/ସମ୍ମାନିତ କରାଯାଇଥିଲା। ସେ ତାଙ୍କ ପଛରେ ପତ୍ନୀ ଶୈଳବାଳା, ତିନି ପୁତ୍ର ପ୍ରଶାନ୍ତ, ଅମିତାଭ, ସିଦ୍ଧାର୍ଥ ଓ ଏକମାତ୍ର ଝିଅ ପ୍ରତିମାଙ୍କ ସହିତ ଅନ୍ୟ ପରିବାରବର୍ଗଙ୍କୁ ଛାଡ଼ି ଯାଇଛନ୍ତି।
ରେଙ୍ଗାଲି ବିଧାୟକ ନାଉରୀ ନାଏକ, ପୂର୍ବ ବିଧାୟକ ଦୁର୍ଯୋଧନ ଗର୍ଡ଼ିଆ, ରମେଶ ପଟୁଆ, ‘କଥା’ର ସମ୍ପାଦକ ଡ. ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡ. ବିଜୟାନନ୍ଦ ସିଂହ, ଉଦିତ ପାଟ୍ଟଯୋଷୀ, କୈଳାସ ବାରିକ, ପ୍ରକାଶକ ଆନନ୍ଦ ସାହୁ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ମଙ୍ଗଳୁ ଚରଣ ରଚନାବଳୀର ସଂକଳକ ଶିବପ୍ରସାଦ ତ୍ରିପାଠୀ, ମଙ୍ଗଳ ବିଶ୍ବାଳଙ୍କ ସାହିତ୍ୟ କୃତୀର ଗବେଷକ ଡ. ଗୌରୀଦାସ ପ୍ରଧାନ, ସାହିତ୍ୟ ଏକାଡେମୀ ଝାରସୁଗୁଡ଼ାର ସଦସ୍ୟ ଶିବପ୍ରିୟା ମିଶ୍ର, ଉଦିଆଁର ମୁଖ୍ୟସଂପାଦକ ତଥା ଜ୍ବାଇଁ ସୁଶୀଳ ତ୍ରିପାଠୀ, ସଂପାଦକ ଅନିଲ ଦାଶ, ରେଙ୍ଗାଲି ବିଡିଓ ଶଙ୍କର ପ୍ରସାଦ ସାହୁ, ଉତ୍ସର୍ଗର ପ୍ରଶାନ୍ତ ପାଟ୍ଟଯୋଷୀ, ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦର ସରୋଜ ଦାଶ, ଦେବାର୍ଚ୍ଚନ ଠାକୁର, ଅଧ୍ୟାପକ ଡକ୍ଟର ସିଦ୍ଧାର୍ଥ ପଣ୍ଡା, ଅଧ୍ୟାପକ ଡ. ସତ୍ୟନାରାୟଣ ଠାକୁର, ଆତ୍ମଜୀବନୀ ପୁସ୍ତକର ପଣ୍ଡୁଲିପିର ଅନ୍ୟତମ ପ୍ରସ୍ତୁତିକାର ଲକ୍ଷ୍ମୀନାରାୟଣ ହୋତାଙ୍କ ସମେତ ସମ୍ବଲପୁର, ଝାରସୁଗୁଡ଼ା ତଥା ଆଖପାଖ ଅଂଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ ଓ ସାହିତ୍ୟ ଅନୁରାଗୀ ବାରମଡୁମ୍ବୁରି ଯାଇ ମଂଗଳୁଚରଣଙ୍କ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଆଜି ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ପୁଅ ପ୍ରଶାନ୍ତ ମୁଖାଗ୍ନି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/f654h65sf4sfh65sf5h6fhs.jpg)