ଗଣିତ କରି ନ ପାରିବାରୁ ଛାତ୍ରଛାତ୍ରୀଙ୍କୁ ଦଣ୍ଡ, ଭିଡିଓ ଭାଇରାଲ୍‌ ପରେ ପ୍ରଧାନଶିକ୍ଷକ ନିଲମ୍ବିତ

କେନ୍ଦୁଝର : ଗଣିତ କରି ନପାରିବାରୁ ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ଦେଇ ନିସ୍ତୁକ ପିଟିଲେ ଶିକ୍ଷକ। ଛାତ୍ରଛାତ୍ରୀଙ୍କୁ ପିଟୁଥିବା ସମୟର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ପ୍ରଧାନଶିକ୍ଷକ। ଆଜି ଦିନ ପ୍ରାୟ ୧୨ଟା ୪୫ ମିନିଟ ସମୟରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଠାକୁରପଡ଼ା ପଞ୍ଚାୟତର ପିଟାଟାଙ୍ଗର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ଅମାନୁଷିକ ଭାବେ ମାଡ଼ ମାରିଥିବାରୁ ପ୍ରଧାନଶିକ୍ଷକ ରତିନାରାୟଣ ରାଉତଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ନିଲମ୍ବିତ କରିଛନ୍ତି।

ମିଳିଥିବା ଖବର ଅନୁସାରେ, ପ୍ରଧାନଶିକ୍ଷକ ଶ୍ରୀ ରାଉତ ପିଲାମାନଙ୍କୁ ଗଣିତ କରିବାକୁ ଦେଇଥିଲେ। ଆଜି ବିଦ୍ୟାଳୟକୁ ଆସିଥିବା ୨୬ ଜଣ ପିଲାଙ୍କ ମଧ୍ୟରୁ ୧୦ ଜଣ ଠିକ୍‌ ଉତ୍ତର ଦେଇଥିଲେ। ଅନ୍ୟମାନେ କହିନପାରିବାରୁ ପ୍ରଧାନଶିକ୍ଷକ ସେମାନଙ୍କୁ ସ୍କୁଲ ବାରଣ୍ଡାରେ ଆଣ୍ଠେଇ ଦେଇଥିଲେ। ପରେ ବାଡ଼ି ଆଣି ଉଭୟ ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହି ଦୃଶ୍ୟକୁ ସ୍କୁଲ ବାହାରେ ଥାଇ କେତେଜଣ ଭିଡିଓ ରେକର୍ଡିଂ କରିଦେଇଥିଲେ। କ୍ୟାମେରା ସାମ୍‌ନାରେ ବି ଶିକ୍ଷକଜଣକ ଛାତ୍ରଛାତ୍ରୀଙ୍କୁ ପିଟିଚାଲିଥିଲେ। ଏହି ଦୃଶ୍ୟ ଭାଇରାଲ ହେବା ପରେ ବିଇଓ ପ୍ରଦୀପ କୁମାର ଚକ୍ର ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ପ୍ରଧାନଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିବା ସହ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ରଙ୍କୁ ଏ ବିଷୟରେ ଅବଗତ କରିଥିଲେ। ସନ୍ଧ୍ୟାରେ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ଲକ୍‌ଗ୍ରାଣ୍ଟ ଅନୁଦାନପ୍ରାପ୍ତ ଏହି ସ୍କୁଲରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି। ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କୁ ଗୋଟିଏ ଶ୍ରେଣୀକକ୍ଷରେ ବସାଇ ସେ ପାଠ ପଢ଼ାଇଥାନ୍ତି। ନିସ୍ତୁକ ମାଡ଼ ମାରିବା ବିଷୟରେ ଶିକ୍ଷକ ରତିନାରାୟଣ ଅସ୍ବୀକାର କରିଛନ୍ତି। ପାଠ କରିନଥିବାରୁ ମାଡ଼ ମାରିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର