ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ୨ଜଣଙ୍କୁ ପୁଲିସ ଉଠାଇଛି। ପୀତବାସଙ୍କୁ ଗୁଳି ମାରିଥିବା କୁରୁପତି ଭୂୟାଁ ଓ ସୁପାରି କିଲର୍‌ ଯୋଗାଡ଼କାରୀ ଉମା ବିଷୋୟୀ ଏବେ ପୁଲିସ କବ୍‌ଜାରେ। ଉଭୟଙ୍କୁ ପୁଲିସ ଛତିଶଗଡ଼ରୁ ଉଠାଇ ଆଣିଥିବା ଜଣାପଡ଼ିଛି। ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି। 

Advertisment

ପୁଲିସ ସୂଚନା ଅନୁସାରେ, ପୀତବାସ ହତ୍ୟା ମାମଲାରେ ଉମା ଓ କୁରୁପତି ମୁଖ୍ୟ ଅଭିଯୁକ୍ତ। ହତ୍ୟାକାଣ୍ଡ ଲାଗି ଉମା ସୁପାରି କିଲର୍‌ ଯୋଗାଡ଼ କରିଥିଲେ। ଉମାଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ଦଫାରେ ୨ ବିହାରୀ ସୁଟର୍‌ ଶିଶୁପାଳ କୁମାର ପାଶୱାନ ଓ କୁନ୍ଦନ କୁମାରଙ୍କ ସମେତ ବିପିନ ସ୍ବାଇଁ ଓ ସୀମାଞ୍ଚଳ ନାୟକ ହତ୍ୟାକାଣ୍ଡ ଭିଆଇବାକୁ ଆସିଥିଲେ। ସେମାନଙ୍କୁ ଯୋଗୀ ରାଉତ ଡକାଇଥିଲେ। ସେପ୍ଟେମ୍ବର ୧୦ରୁ ୧୪ ଯାଏଁ ସେମାନେ ଶୂନ୍ୟ ଦାସଙ୍କ ଘରେ ଥିବାବେଳେ ଉମା ସେମାନଙ୍କୁ ଭେଟିଥିଲା। ସେମାନଙ୍କ ଲାଗି ବାଇକ୍‌, ଖାଇବା ପିଇବା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଥିଲା। ସେପ୍ଟେମ୍ବର ୧୪‌ରେ ହେବାକୁ ଥିବା ହତ୍ୟାକାଣ୍ଡ ପାଇଁ ଉମା ହିଁ ବିହାରୀ ସୁଟର୍‌ଙ୍କୁ ବନ୍ଧୁକ ଦେଇଥିବା ପୁଲିସ କହିଥିଲା।

ଜୟପୁରରୁ ବାହାର ରାଜ୍ୟକୁ ପଳାଇଥିଲେ
ଛତିଶଗଡ଼ରୁ ଦୁହିଁଙ୍କୁ ଉଠାଇଥିବା ଚର୍ଚ୍ଚା

fshfshfsxvvb

ଏଥିପାଇଁ ସେ ୧୦ଲକ୍ଷ ଟଙ୍କାର ଡିଲ୍‌ କରିଥିଲା। ‌ହେଲେ ଏହି ଯୋଜନା ବିଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ଯୋଗୀ ରାଉତ ସହ ମିଶି ଉମା ଯୋଜନା ବି ରଚିଥିଲା। ଏଥର ନିଜ ଗାଁ ବନ୍ଥପଲ୍ଲୀର ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ସେ ହତ୍ୟାକାଣ୍ଡ ଲାଗି ଡକାଇଥିଲା। ସେମାନେ ଗତ ୬ ତାରିଖରେ ପୀତବାସଙ୍କୁ ହତ୍ୟା କରିଥିଲେ। ଚିଣ୍ଟୁ ଗାଡ଼ି ଚଳାଉଥିଲା ବେଳେ କୁରୁପତି ବନ୍ଧୁକରୁ ଗୁଳି ଫୁଟାଇ ପୀତବାସଙ୍କୁ ହତ୍ୟା କରିଥିଲା ବୋଲି ଏସ୍‌ପି ଡ. ଶରବଣା ବିବେକ ଏମ୍‌ ଗତ ୨୨ ତାରିଖରେ ପ୍ରେସମିଟ୍‌ରେ ସୂଚନା ଦେଇଥିଲେ। 

ଅନ୍ୟପଟେ ହତ୍ୟାକାଣ୍ଡ ପରେ କୁରୁପତି ଓ ଉମା ଜୟପୁରରେ ଏକାଠି ରହିଥିଲେ। ସେମାନଙ୍କୁ ଆଶ୍ରୟ ଦେଇଥିବା ସୁନୀଲ ‌ହୋତା ପୂର୍ବରୁ ଗିରଫ ହୋଇ ସାରିଛନ୍ତି। ଜୟପୁରରେ ପୁଲିସ ଚଢ଼ଉ ପୂର୍ବରୁ ଉମା ଓ କୁରୁପତି ଫେରାର ହୋଇ ଯାଇଥିଲେ। ସେମାନଙ୍କ ମୋବାଇଲ୍‌ ଲୋକେସନ୍‌ ପୁଲିସକୁ ଆଉ ମିଳିନଥିଲା। ତେବେ ସୁନୀଲକୁ ଜେରା ପରେ ପୁଲିସର ସ୍ବତନ୍ତ୍ର ଟିମ୍‌ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡରେ ଡେରା ପକାଇଥିଲା। ଉମା ଓ କୁରୁପତି ବାରମ୍ବାର ସ୍ଥାନ ବଦଳାଉ ଥିବାରୁ ପୁଲିସକୁ ଅଡ଼ୁଆ ହୋଇଥିଲା। ଗତକାଲି ଏ ଦୁହେଁ ଛତିଶଗଡ଼ରେ ଥିବାବେଳେ ପୁଲିସ ସେଠାରୁ ଉଭୟଙ୍କୁ ଉଠାଇ ଆଣିଥିବା କୁହାଯାଉଛି। ଏ ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।