ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛର ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସୁଛି। ଆତତାୟୀମାନେ ପୀତବାସଙ୍କ ଚାମ୍ବର ପାଖରୁ ଘର ପର୍ଯ୍ୟନ୍ତ ପିଛା କରିଥିବା ପୁଲିସ ଠୋସ୍ ପ୍ରମାଣ ପାଇଛି। ସେମାନେ ବୈକୁଣ୍ଠନଗର ପ୍ରଥମ ଗଳି ମୁଣ୍ଡରେ ଆଗୁଆ ଅପେକ୍ଷା କରିଥିଲା ବେଳେ ପୀତବାସ ପହଞ୍ଚିବା ପରେ ଗୁଳି ଫୁଟାଇଥିଲେ। ତଦନ୍ତ ବାଧାପ୍ରାପ୍ତ ଆଶଙ୍କାରେ ପୁଲିସ ପକ୍ଷରୁ ଏ ନେଇ ବିଶେଷ ତଥ୍ୟ ଦିଆଯାଉନାହିଁ। ଛୁଟି ବାତିଲ କରି ଗତକାଲି ରାତିରେ ଫେରିଥିବା ବ୍ରହ୍ମପୁର ଏସ୍ପି ଡା.ଶରବଣା ବିବେକ ଏମ୍.ଙ୍କ ନେତୃତ୍ବରେ ୬ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ତଦନ୍ତକାରୀ ଅଧିକାରୀ ଭାବେ ଟାଉନ୍ ଏସ୍ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ, ଡିଏସ୍ପି ବିବେକାନନ୍ଦ ସ୍ବାଇଁ, ସଦର ଡିଏସ୍ପି ଶୁଭ୍ରାଂଶୁ ପାଢ଼ୀ, ଡିଏସ୍ପି ବିଶ୍ବାମିତ୍ର ହରିପାଲ ପ୍ରମୁଖ ରହିଛନ୍ତି। ପ୍ରତି ଟିମ୍ରେ ୫ରୁ ୬ଜଣ ଲେଖାଏଁ ପୁଲିସ ଅଧିକାରୀ ଅଛନ୍ତି। ପାଖାପାଖି ୪୦ଜଣ ଅଧିକାରୀ ଏହି ଟିମ୍ରେ ରହି ବୈଷୟିକ ପଦ୍ଧତି ସହାୟତାରେ ତନାଘନା ଜାରି ରଖିଛନ୍ତି। ପୀତବାସଙ୍କ ଫୋନ୍ କଲ୍ ଡିଟେଲ୍ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି। ହତ୍ୟାକାରୀ ବ୍ୟବହାର କରିଥିବା ବାଇକ୍ରେ ଜାଲ୍ ନମ୍ବର ପ୍ଲେଟ୍ ଲାଗିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ଏସ୍ପି ନିଜେ ଆଜି ପୀତବାସଙ୍କ ଚାମ୍ବର ଓ ଅପରାଧ ସ୍ଥଳକୁ ଆସି ଛାନ୍ଭିନ୍ କରିଥିଲାବେଳେ ୫୦ରୁ ଅଧିକ ସିସିଟିଭିର ଫୁଟେଜ୍ ଯାଞ୍ଚ କରିଛନ୍ତି।
ଚାମ୍ବର୍ ପାଖରୁ ପିଛା କରିଥିଲେ ଦୁଇ ଦୁର୍ବୃତ୍ତ
ପିନ୍ଧିଥିଲେ କଳା ହେଲ୍ମେଟ୍ ଓ ଧଳାସାର୍ଟ
ବାଇକ୍ରେ ଲାଗିଥିଲା ଜାଲ୍ ନମ୍ବରପ୍ଲେଟ୍
୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚରୁ ଚିହ୍ନଟ
ଗତ ୬ ତାରିଖ ରାତି ପ୍ରାୟ ୯ଟା ୩୦ରେ ପୀତବାସ ଚାମ୍ବରରୁ ବାହାରିଥିଲେ। ବସ୍ଷ୍ଟାଣ୍ଡ ପାଖ ଭୂପତି ହୋଟେଲ୍ରୁ ବିରିୟାନି କିଣିସାରି ୯ଟା ୫୫ରେ ବୈକୁଣ୍ଠନଗର ଘର ଅଭିମୁଖେ ବାହାରିଥିଲେ। ବୈକୁଣ୍ଠନଗର ଗଳିମୁଣ୍ଡରେ ପହଞ୍ଚିଲା ବେଳକୁ ପୂର୍ବରୁ ସେଠାରେ ଆତତାୟୀ ଦୁଇଜଣ ଛକି ରହିଥିଲେ। ସେମାନେ ଗୋଟିଏ କଳା ବାଇକ୍ରେ ଆସିଥିବାବେଳେ ଉଭୟ କଳା ହେଲ୍ମେଟ୍ ଓ ଧଳାସାର୍ଟ ପିନ୍ଧିଥିଲେ। ବିଭିନ୍ନ ଦିଗରୁ ସଂଗୃହୀତ ସିସିଟିଭି ଫୁଟେଜ୍ ଅନୁଯାୟୀ ଉଭୟ ଆତତାୟୀ ଗେଟ୍ବଜାର ଆଡ଼ୁ ଆସିଥିଲେ ଏବଂ ପୀତବାସ ବୈକୁଣ୍ଠନଗର ଗଳିମୁଣ୍ଡରେ ପହଞ୍ଚିବା କ୍ଷଣି ଅତି ନିକଟରୁ ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲେ। ଗୁଳିମାଡ଼ ପରେ ଅଭିଯୁକ୍ତଦ୍ବୟ ଗୋକର୍ଣ୍ଣେଶ୍ବର ଗଳି ଦେଇ ପଳାଇ ଯାଇଥିବା ଅନୁମାନ କରାଯାଉଛି।
ଜବତ ଗୁଳିକୁ ପରୀକ୍ଷା ଲାଗି ପଠାଯାଇଛି। ସାଇଣ୍ଟିଫିକ୍ ଟିମ୍ର ବାଲିଷ୍ଟିକ୍ ବିଶେଷଜ୍ଞଙ୍କ ମତାମତ ନିଆଯାଇଛି। ତେବେ ଏହା ୯ଏମ୍ଏମ୍ ନୁହେଁ, ଦେଶୀ ପିସ୍ତଲର ଗୁଳି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଥିବା ଏସ୍ପି ଶରବଣା ବିବେକ ଏମ୍ କହିଛନ୍ତି। ସେ ଆହୁରି କହିଛନ୍ତି, ଆମ ଅଫିସରଙ୍କ ଅଭିଜ୍ଞତା ଓ ଅନୁଭବରୁ ଏହା ଦେଶୀ ପିସ୍ତଲରୁ ଗୁଳିମାଡ଼ ବୋଲି ଅନୁମାନ କରାଯାଉଛି। ତଥାପି ବାଲିଷ୍ଟିକ୍ ବିଶେଷଜ୍ଞଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପାରିପାର୍ଶ୍ବିକ ତଥ୍ୟରୁ ଏହା ଏକ ସଂଗଠିତ ହତ୍ୟାକାଣ୍ଡ ଏବଂ ସୁପାରିକିଲର୍ଙ୍କୁ ନିୟୋଜିତ କରାଯାଇଥିବା ସନ୍ଦେହ କ୍ରମଶଃ ଦୃଢ଼ୀଭୂତ ହୋଇଛି। ସୂଚନାଯୋଗ୍ୟ, ଗତକାଲି ରାତିରେ ଏସ୍ପି ସ୍ବର୍ଗତ ପଣ୍ଡାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। କାହା ଉପରେ ସନ୍ଦେହ ଅଛି କି ବୋଲି ପଚାରି ବୁଝିଥିଲେ। ପରିବାର ଲୋକେ ଯେ କୌଣସି ସମୟରେ ତାଙ୍କ ସହ ଯୋଗାଯୋଗ କରିପାରିବେ ବୋଲି କହି ଏସ୍ପି ନିଜ ମୋବାଇଲ୍ ନମ୍ବର ଦେଇଥିବା ଜଣାପଡ଼ିଛି।