ବ୍ରହ୍ମପୁର: ଆଇନୀଜୀବ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡକୁ ୩ ଦିନ ବିତିଗଲା। ଏଯାଏଁ ହତ୍ୟାକାରୀଙ୍କୁ ଖୋଜି ପାରିନି ପୁଲିସ। ତିନି ଦିନ ଧରି ବିଭିନ୍ନ ଦିଗରେ ତଦନ୍ତ ଜାରି ଥିଲେ ବି ଆତତାୟୀଙ୍କ ଟେର୍‌ ମିଳୁନି। ହତ୍ୟାକାଣ୍ଡ ଭିଆଇ ୨ ଦୁର୍ବୃତ୍ତ କୁଆଡ଼େ ଗଲେ କିଛି ଜଣାପଡ଼ୁନି। ତଦନ୍ତକୁ ନେଇ ପୁଲିସ ନିରବ ଥିବା ବେଳେ ଆଜି ସଂଧ୍ୟାରେ ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ପୁଲିସର ଏକ ୬ଜଣିଆ ଟିମ୍‌ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଛି।

Advertisment

ଅପରାଧର ଖିଅ ଖୋଜିବାକୁ ଯାଇ ପୁଲିସ ଆଇନଜୀବୀ ପୀତବାସ କାହା ରାସ୍ତାରେ କଣ୍ଟା ଥିଲେ ଜାଣିବାକୁ କ୍ରାଇମ୍‌ ଫାଇଲ୍‌ ପଢ଼ିବା ଆରମ୍ଭ କରିଛି। ପୀତବାସ ଅନେକ ଆପରାଧିକ ମାମଲାରେ ଓକିଲ ଥିଲେ। ବହୁ ମାମଲା ପରିଚାଳନା କରିଛନ୍ତି। ନିକଟରେ ଗୋପାଳପୁର ଗଣଦୁଷ୍କର୍ମ ଓ ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା ବି ସେ ଧରିଥିଲେ। ଏହାବାଦ ବହୁ ଦୁର୍ନୀତି, ଅପରାଧ ମାମଲାରେ ତାଙ୍କର ମହକିଲ ଅଛନ୍ତି। ସେ ଦିଗରେ କାହା ସହ ଶତ୍ରୁତା ହୋଇଥିଲା କି? ରାଜନୈତିକ ଉତ୍‌ଥାନ ଯଦିଓ ହୋଇଥିଲା ହେଲେ ଏଥିପାଇଁ ‌ଯେ ତାଙ୍କୁ ହତ୍ୟା କରାଯାଇଥିବ ତାହା କେହି କଳ୍ପନା କରିପାରୁନାହାନ୍ତି। ଅବଶ୍ୟ ଏ ଦିଗରେ ବି ପୁଲିସ ତଦନ୍ତ କରୁଛି। ଏହାକୁ ଛାଡ଼ି ବ୍ୟକ୍ତିଗତ ଭାବେ କାହା ସହ କିଛି ଝଗଡ଼ା, ଗଣ୍ଡଗୋଳ ଆଦି ହୋଇଥିଲା କି? ଏ ତମାମ ଦିଗରେ ପୁଲିସ ତଦନ୍ତ ଚଳାଇଥିଲେ ବି ଖିଅ ମିଳୁନି। ୩ ଦିନ ହେଲାଣି ପୁଲିସ ଯେମିତି  ଜାଲରେ ଛନ୍ଦି ହୋଇ ଯାଇଛି। ପୀତବାସ ଗୋଟିଏ ‌ବୃତ୍ତିରେ ନଥିଲେ, ତେଣୁ ହତ୍ୟା ପଛର କାରଣ ଖୋଜିବାକୁ ସମୟ ଲାଗୁଥିବା ଜଣାପଡ଼ିଛି। ୫୦ରୁ ଅଧିକ ସିସିଟିଭି ଘାଣ୍ଟିଛି ପୁଲିସ ଟିମ୍‌। ୪ଜଣିଆ ଟିମ୍‌ ସିସି କ୍ୟାମେରାରୁ ଫୁଟେଜ୍‌ ଆଣି ହତ୍ୟାକାରୀକୁ ଖୋଜୁଛନ୍ତି। ଯଦିଓ ୩/୪ଟି କ୍ୟାମେରାରେ ୨ ହତ୍ୟାକାରୀଙ୍କ ଫୁଟେଜ୍‌ ମିଳିଛି, ହେଲେ ସେମାନେ କୁଆଡ଼େ ଉଭାନ ହୋଇଗଲେ ଜାଣି ହେଉନି। ହତ୍ୟାକାଣ୍ଡ ପୂର୍ବରୁ ଓ ପରେ କିଛି ସମୟ ପାଇଁ ହତ୍ୟାକାରୀଙ୍କ ସନ୍ଧାନ ମିଳିଥିଲେ ବି ସେମାନେ ଗୋକର୍ଣ୍ଣେଶ୍ବର ମନ୍ଦିର ପାର୍ଶ୍ବ ଗଳି ଦେଇ ଚମ୍ପଟ ମାରିଛନ୍ତି। ସହର ବାହାରକୁ ଯାଇଥିବା ପୁଲିସ ଅନୁମାନ କରୁଥିଲେ ବି ସବୁ ସିସି କ୍ୟାମେରା ଫୁଟେଜ୍‌ ତନାଘନା କରିବାକୁ ସମୟ ଲାଗୁଛି। ତେବେ ନିର୍ଦ୍ଦିଷ୍ଟ ଅଞ୍ଚଳ ପରେ ୨ ହେଲମେଟ୍‌ ପିନ୍ଧା ହତ୍ୟାକାରୀଙ୍କ ଗାଡ଼ି ଆଉ ଆଗକୁ ଯାଇନଥିବା ପୁଲିସ ଦେଖିଛି। ‌ତେଣୁ ସେମାନେ ହୁଏତ ବାଇକ୍‌ ବଦଳାଇ ଥାଇପାରନ୍ତି କିମ୍ବା ସହର ବାହାରକୁ ଯାଇନଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। 

ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ ଗତକାଲି ପୀତବାସଙ୍କ ଏସ୍‌ଏନ୍‌ଟି ରୋଡ୍‌ସ୍ଥିତ ଚାମ୍ବରକୁ ଯାଇଥିଲେ। ବୈଦ୍ୟନାଥପୁର ଆଇଆଇସି ସୁଚିତ୍ରା ପରିଡ଼ା ମଧ୍ୟ ସାଥୀରେ ଥିଲେ। ୨ଥର ଟିମ୍‌ ସେଠାକୁ ଯାଇ ପୀତବାସ ନିକଟ ଅତୀତରେ ନେଇଥିବା କେସ୍‌ ବାବଦରେ ଯାଞ୍ଚ କରିଛନ୍ତି। କୌଣସି ହାଇପ୍ରୋଫାଇଲ୍‌ ମାମଲାର କଳାଚିଠା ତାଙ୍କ ହାତରେ ଲାଗିଥିବା ନେଇ ପୁଲିସ ସନ୍ଦେହ କରୁଛି। ତେଣୁ କ୍ରାଇମ୍‌ ଫାଇଲ୍‌ ପଢ଼ି କିଛି ସୂତ୍ର ପାଇବା ଆଶାରେ ପୁଲିସ ଥାଇପାରେ ବୋଲି କୁହାଯାଉଛି।

‘ମୋ ବାପାଙ୍କୁ ନ୍ୟାୟ ମିଳୁ’
ବ୍ରହ୍ମପୁର: ‘ମୋ ବାପା ସାଧାରଣ ଲୋକ ନଥିଲେ। ସେ ବହୁତ ଭଲ ମଣିଷ ଥିଲେ। ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିଲେ। ତାଙ୍କୁ ଯେପରି ଅତି ନିର୍ମମ ଭାବେ ହତ୍ୟା କରାଗଲା, ମୁଁ ବାକ୍‌ଶୂନ୍ୟ। କିଛି କହିବା ପାଇଁ ମୋ ପାଖରେ ଶବ୍ଦ ନାହିଁ। କେବଳ ଏତିକି କହିବି, ମୋ ବାପାଙ୍କୁ ନ୍ୟାୟ ମିଳୁ।’ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ପୁଅ ସୌରଭ ଆଜି ଗଣମାଧ୍ୟମକୁ ଏହି ବିବୃତି ଦେଇଛନ୍ତି। ହତ୍ୟାକାରୀକୁ ଧରିବାକୁ ହାତଯୋଡ଼ି ସରକାରଙ୍କୁ ସେ ନିବେଦନ କରିଛନ୍ତି। ହତ୍ୟାକାରୀକୁ ଚିହ୍ନଟ କରି ସେମାନଙ୍କୁ ଫାଶୀଦଣ୍ଡ ଦେବାକୁ ସୌରଭ ଦାବି କରିଛନ୍ତି। ସୌରଭ କହିଛନ୍ତି, ସେଦିନ ବାପା ଖୁସିମିଜାଜ୍‌ ଘରୁ ଯାଇଥିଲେ। ଚାମ୍ବରରୁ ଫେରି ଘରକୁ ଆସିବାର ଥିଲା। କୁମାର ପୂର୍ଣ୍ଣମୀ ଥିବାରୁ ସାଦା ବିରିୟାନି ଆଣିବାକୁ ସେ ହୋଟେଲ୍‌କୁ ଯାଇଥିଲେ। ହୋଟେଲ୍‌ ଭୂପତିରୁ ସାଦା ବିରିୟାନି, ରାବିଡ଼ି ଓ ରୁଟି ଧରି ସେ ଆସୁଥିଲେ। ଗଳିମୁଣ୍ଡରେ ତାଙ୍କୁ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରାଗଲା। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି।