ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ଉପରୁ ପରଦା ହଟାଇଛି ପୁଲିସ।  ପୀତାବାସଙ୍କୁ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍‌ ହୋଇଥିବା ବେଳେ ଅଗ୍ରିମ ଭାବେ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ହତ୍ୟାକାଣ୍ଡର ୧୭ ଦିନ ପରେ ବ୍ରହ୍ମପୁର ପୁଲିସ ରହସ୍ୟ ଉନ୍ମୋଚନ କରିବା ସହ ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁକୁ ପୁଲିସ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ବୋଲି ଦର୍ଶାଇଛି। ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ ହତ୍ୟା ଷଡ୍‌ଯନ୍ତ୍ର ଠାରୁ ଆରମ୍ଭ କରି ଅଭିଯୁକ୍ତଙ୍କ ଭୂମିକା ଉପରେ ବିସ୍ତୃତ ତଥ୍ୟ ରଖିଛନ୍ତି। ପୀତବାସଙ୍କୁ ହତ୍ୟା କରିବାକୁ ବହୁ ଆଗରୁ ଯୋଜନା ହୋଇଥିଲା। ଏଥିପାଇଁ ହିଞ୍ଜିଳିର ବିପିନ ସ୍ବାଇଁ ବିହାରୀ ସାର୍ପସୁଟର୍‌ ଶିଶୁପାଳ କୁମାର ପାଶ୍‌ୱାନ ଓ କୁନ୍ଦନ କୁମାରଙ୍କୁ ଯୋଗାଡ଼ କରିଥିଲା। ସେମାନେ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଅଳକାପୁରୀ ଅଞ୍ଚଳର ଶୂନ୍ୟ ଦାସଙ୍କ ଘରେ ଭଡ଼ାରେ ରହିଥିଲେ। ହିଞ୍ଜିଳିର ବିପିନ ଓ ବଡ଼ଗଡ଼ର ସୀମାଞ୍ଚଳ ନାୟକ ଏମାନଙ୍କ ସହ ମିଶି ରେକି କରିଥିଲେ। ଦୈନନ୍ଦିନ ପୀତବାସଙ୍କ ଘରୁ କୋର୍ଟ ଓ ସନ୍ଧ୍ୟାରେ ପାର୍କସାହିସ୍ଥିତ ଚାମ୍ବର୍‌ ଯିବାଆସିବା ସମୟକୁ ସେମାନେ ଟ୍ରାକ୍‌ କରି ଉଚିତ ସମୟ ବାଛିଥିଲେ। ଉମା ବିଷୋୟୀ, ଯୋଗେନ୍ଦ୍ର ରାଉତ ଏମାନଙ୍କୁ ମଳୟ ବିଷୋୟୀଙ୍କ ସହଯୋଗରେ ଅଳକାପୁରୀର ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ଭଡ଼ାରେ ରହିବା ବ୍ୟବସ୍ଥା କରିଥିଲେ। 

Advertisment

ବିହାରୀ ସାର୍ପସୁଟର୍‌ ପୀତବାସଙ୍କୁ ହତ୍ୟା କରିଥା’ନ୍ତେ। ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କ ଗର୍ଭନଷ୍ଟ ହୋଇଯିବାରୁ ସେମାନେ ହତ୍ୟା ନ କରି ଫେରି ଯାଇଥିଲେ। ଫଳରେ ଉମା ନିଜ ଗାଁ କୁକୁଡ଼ାଖଣ୍ଡି ବ୍ଲକ୍‌ ବନ୍ଥପଲ୍ଲୀରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ଡକାଇଥିଲା। ବେଙ୍ଗାଲୁରୁରୁ ଚିଣ୍ଟୁ ବସ୍‌ ଯୋଗେ ଆସି ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲା ବେଳେ କୁରୁପତି ବନ୍ଥପଲ୍ଲୀରୁ ଆସି ପହଞ୍ଚିଥିଲା। ଯୋଗୀ ଓ ଉମା ସେମାନଙ୍କୁ ପୀତବାସଙ୍କ ଘର ପାଖରେ ମେସ୍‌ କରି ରହିବା ପାଇଁ ଉଦ୍ଦିଷ୍ଟ ଭଡ଼ାଘରେ ରଖାଇଥିଲେ। 

୧୭ ଦିନ ପରେ ପରଦା ହଟିଲା, ୧୨ ଗିରଫ, ୩ ଫେରାର

୫୦ ଲକ୍ଷର ଡିଲ୍‌, ୧୦ ଲକ୍ଷ ଅଗ୍ରିମ
ବିହାରୀ ସାର୍ପସୁଟର୍‌ ବିଫଳ, ସ୍ଥାନୀୟ ସୁପାରି କିଲର୍‌ ମାରିଥିଲେ

ଅକ୍ଟୋବର ୬ ତାରିଖ ରାତି ୧୦ଟା ବେଳେ ଚିଣ୍ଟୁ ଓ କୁରୁପତି ଏକ ବାଇକ୍‌ରେ ପୀତବାସଙ୍କ ଘର ପାଖ ବୈକୁଣ୍ଠନଗର ପ୍ରଥମ ଗଳିରେ ଅପେକ୍ଷା କରିଥିଲେ। ପୀତବାସ ପହଞ୍ଚିବା କ୍ଷଣି କୁରୁପତି ତାଙ୍କୁ ‘ପୀତବାସ ଆଜ୍ଞା କି.. ନମସ୍କାର’ ବୋଲି କହିଥିଲେ। ପ୍ରତି ଉତ୍ତରରେ ପୀତବାସ ‘କିଏ’ ବୋଲି ପଚାରିବାରୁ କୁରୁପତି ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା। ପୀତବାସ ତଳେ ପଡ଼ିଯିବା ପରେ ଉଭୟ ବାଇକ୍‌ରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସେମାନେ ମାଉସୀମା’ ମନ୍ଦିର, ରେଡିଓ ଷ୍ଟେସନ୍‌, ଲୋଚାପଡ଼ା, ଗୁରୁଣ୍ଡି ଦେଇ ଯାଇ ଶୀତଳାପଲୀରେ ପହଞ୍ଚିବା ପରେ କପଡ଼ା, ହେଲମେଟ୍‌ ଓ ଜୋତା ବଦଳାଇବା ସହ ବ୍ୟବହୃତ ବନ୍ଧୁକକୁ ପୋତିଦେଲେ। ଗାଡ଼ି ନେଇ ପୁରୁଷୋତ୍ତମପୁର ଆଡ଼େ ଯାଇ ରାମେଶ୍ବର ପାଖରେ ଏକ ଚା’ ଦୋକାନରେ ଗାଡ଼ି ରଖି ବସ୍‌ରେ ପୁରୀ ପଳାଇଲେ। ପୁରୀରୁ ଚିଣ୍ଟୁ ଟ୍ରେନ୍‌ରେ ବେଙ୍ଗାଲୁରୁ ଓ କୁରୁପତି କୋରାପୁଟ ଜିଲ୍ଲାର ଜୟପୁରକୁ ଯାଇଥିଲା। ଜୟପୁରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବନ୍ଧୁ ସୁନିଲ ହୋତା ତାଙ୍କୁ ନିଜ ଫାର୍ମ ହାଉସ୍‌ରେ ଆଶ୍ରୟ ଦେଇଥିଲେ; ଯାହା ବିକ୍ରମ ମଧ୍ୟ ଜାଣିଥିଲେ। ସୁନିଲଙ୍କ ଫାର୍ମ ହାଉସ୍‌‌ରେ କୁରୁପତି ୪ ଦିନ ରହିବା ପରେ ବାହାର ରାଜ୍ୟକୁ ପଳାଇଥିବା ପୁଲିସ କହିଛି। 

ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ବିଧାୟକ ପଦ ରଦ୍ଦ ନେଇ ପିଣ୍ଟୁ ଦାସ ଅନ୍ୟ ଜଣଙ୍କ ମାଧ୍ୟମରେ ନିର୍ବାଚନ ପିଟିସନ୍‌ ଦାୟର କରିଥିଲା ବେଳେ ଏଥିପାଇଁ ବିକ୍ରମ କୋର୍ଟ ଓ ଓକିଲ ଖର୍ଚ୍ଚ ବହନ କରୁଥିଲେ। ମଦନ, ମଳୟ ଏହି କାମ‌ରେ ସହଯୋଗ କରୁଥିଲେ। ବିଧାୟକ ନିର୍ବାଚନ ଅସିଦ୍ଧ ହେଲେ ଉପନିର୍ବାଚନରେ ବିକ୍ରମ ଟିକେଟ୍‌ ପାଇ ଲଢ଼ିବେ ଓ ପିଣ୍ଟୁ ତାଙ୍କୁ ସାହାଯ୍ୟ କରିବେ ବୋଲି ବୁଝାମଣା ହୋଇଥିଲା। ସେହିଭଳି ପିଣ୍ଟୁଙ୍କ ଘନିଷ୍ଠ ସହଯୋଗୀ ଶାନ୍ତି ମିଶ୍ରଙ୍କୁ ୨୦୧୩ରେ ହତ୍ୟା କରାଯାଇଥିଲା ଏବଂ ପୀତବାସ ଅଭିଯୁକ୍ତମାନଙ୍କୁ ଜାମିନ୍‌ କରାଇବାରେ ସହଯୋଗ କରୁଥିବା ନେଇ ପିଣ୍ଟୁ ସନ୍ଦେହ କରୁଥିଲେ। ଏଣୁ ବିଭିନ୍ନ ଦିଗରୁ ତଦନ୍ତ କରି ଉପଯୁକ୍ତ ପ୍ରମାଣ ଆଧାରରେ ସମସ୍ତଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଚିଣ୍ଟୁ ପ୍ରଧାନ, ଶିଶୁପାଳ କୁମାର ପାଶ୍‌ୱାନ୍‌, କୁନ୍ଦନ କୁମାର, ବିପିନ୍‌ ସ୍ବାଇଁ, ସୀମାଞ୍ଚଳ  ନାଏକ, ଯୋଗେନ୍ଦ୍ର ରାଉତ, ମଳୟ କୁମାର ବିଷୋୟୀ, ମଦନମୋହନ ଦଳାଇ, ଶିବ ଶଙ୍କର ଦାସ ଓରଫ ପିଣ୍ଟୁ, ରାଜେନ୍ଦ୍ର କୁମାର ସାହୁ, କାଳୁ ଚରଣ ଭୂୟାଁ ଓ ଜିଲ୍ଲା ବିଜେଡି ସଭାପତି ବିକ୍ରମ କୁମାର ପଣ୍ଡା ରହିଛନ୍ତି।

ଅଡ଼ୁଆରେ ବିଜେଡି: ରାଜା, ଦିଲୀପ, ବିକ୍ରମଙ୍କୁ ନିଲମ୍ବନ କରିପାରୁନି ଦଳ

ଭୁବନେଶ୍ବର, ୨୨/୧୦ (ଇମିସ): ନିମାପଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଦିଲୀପ ନାୟକ ମାସକ ତଳେ ଇଓଡବ୍ଲ୍ୟୁ ଦ୍ବାରା ଗିରଫ ହୋଇଥିଲେ। ୧୨ କୋଟି ଟଙ୍କାର ଏକ ଜମି ଠକେଇ ମାମଲାରେ ସେ ଅଭିଯୁକ୍ତ ଥିଲେ। ମାସେ ହେଲା ଦିଲୀପ ଜେଲ୍‌ରେ ଅଛନ୍ତି। କିନ୍ତୁ ବିଜେଡି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁନି। ନା ନିଲମ୍ବନ କରିପାରୁଛି ନା ତାଙ୍କୁ ନିର୍ଦ୍ଦୋଷ ବୋଲି ଯୁକ୍ତି ବାଢ଼ିପାରୁଛି। 

ଆଜି ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିକ୍ରମ ପଣ୍ଡା ଗିରଫ ହୋଇଛନ୍ତି। ହତ୍ୟା ଷଡ୍‌ଯନ୍ତ୍ର ଅଭିଯୋଗରେ ସେ ଏବେ ଅଭିଯୁକ୍ତ। ସବୁବେଳେ ଆଇନ ତା’ ବାଟରେ ଯିବ ବୋଲି କହୁଥିବା ବିଜେଡି ଆଜି ଭିନ୍ନ ଅବତାରରେ ଆସିଛି। ଏହାକୁ ଶାସକ ଦଳର ଷଡ୍‌ଯନ୍ତ୍ର କହି ବିକ୍ରମଙ୍କ ପଛରେ ଠିଆ ହୋଇଛି। ତେଣୁ ତାଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରିବାର ପ୍ରଶ୍ନ ଉଠୁନି ବୋଲି ଆଜି ସ୍ପଷ୍ଟ ହୋଇଛି। କିଛି ମାସ ତଳେ କେନ୍ଦୁଝରର ଜଣାଶୁଣା ବିଜେଡି ଯୁବ ନେତା ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳର ହାତ ଯାଇନି। ତାଙ୍କୁ ନିଲମ୍ବନ କରାଯାଇନି କି ତାଙ୍କର କାର୍ଯ୍ୟକଳାପକୁ ଦଳ ନିନ୍ଦା କରିନି। ବିଜେଡି କ୍ଷମତାରେ ଥିଲା ବେଳେ କୋର୍‌ ଗ୍ରୁପ୍ ସହ ରାଜା ଚକ୍ରଙ୍କର କି ସମ୍ପର୍କ ଥିଲା ଓ କେନ୍ଦୁଝରରେ ସେ କିପରି ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥିଲେ, ତାହା କାହାରିକୁ ଅଛପା ନାହିଁ। ଏହା ସତ୍ତ୍ବେ ରାଜାଙ୍କ କାର୍ଯ୍ୟକୁ ନିନ୍ଦା କରିବାକୁ ବିଜେଡି ପାଖରେ ସାହସ ନାହିଁ, ତାହା ସ୍ପଷ୍ଟ ହୋଇଥିଲା।

ରାଜା, ଦିଲୀପ, ବିକ୍ରମଙ୍କୁ ନିଲମ୍ବନ କରିପାରୁନି ଦଳ
ନିଷ୍ପତ୍ତି ନେଇପାରୁ ନାହାନ୍ତି ସୁପ୍ରିମୋ
କ୍ଷମତାଚ୍ୟୁତ ହେଲା ପରେ ବଦଳିଗଲାଣି ସ୍ବର

ବିଜେଡିର ଏହି ଆଗ ଧାଡ଼ିର ନେତାମାନେ ଗିରଫ ହେଲା ପରେ ଦଳ ପାଇଁ ଅଡ଼ୁଆ ବଢ଼ିଯାଇଛି। ଯଦିଓ ଦଳ ବିକ୍ରମଙ୍କ ପାଇଁ ବାହାରିଛି, ତେବେ ଦଳର ଆଭିମୁଖ୍ୟ ଗ୍ରହଣୀୟ ହୋଇପାରୁନି। ରାଜା, ଦିଲୀପ, ବିକ୍ରମ କେତେ ଦୂର ଦୋଷୀ, ତାହା ବିଚାର ପ୍ରକ୍ରିୟାରେ ସ୍ପଷ୍ଟ ହେବ। କିନ୍ତୁ କ୍ଷମତାରେ ଥିଲା ବେଳେ ଓ କ୍ଷମତାଚ୍ୟୁତ ହେଲା ପରେ ବିଜେଡିର ଭିନ୍ନ ଭିନ୍ନ ଅବତାର ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଶାସନରେ ଥିଲା ବେଳେ କ୍ଷମତାକୁ ଅପବ୍ୟବହାର କରି ଶତ୍ରୁଙ୍କ ଭାବମୂର୍ତ୍ତିକୁ କିପରି କ୍ଷୁଣ୍ଣ କରାହୁଏ, ତାହାକୁ ବିଜେଡିର କୋର୍‌ ଗ୍ରୁପ୍‌ ବେଶ୍ ଚତୁରତାର ସହ କାର୍ଯ୍ୟକାରୀ କରୁଥିଲେ। ଦଳ ଭିତରେ ଯିଏ ତୁଣ୍ଡ ଖୋଲୁଥିଲା, ତା’କୁ ପୁଲିସ ବଳ ଲଗାଇ ଚୁପ୍ କରିଦିଆଯାଉଥିଲା। ମିଛ ମାମଲାରେ ଛନ୍ଦି ଦିଆଯାଉଥିଲା। ଶେଷରେ ଜନବିରୋଧୀ ଆଖ୍ୟା ଦିଆଯାଉଥିଲା। କିନ୍ତୁ ଦଳର ସୁପ୍ରିମୋ ଗଣମାଧ୍ୟମରେ ପୁଲିସର କାର୍ଯ୍ୟକୁ ଯଥାର୍ଥ ଦର୍ଶାଇ ‘ଆଇନ ତା’ବାଟରେ ଯିବ’ ବୋଲି ଧାଡ଼ିକିଆ ମନ୍ତବ୍ୟ ଦେଉଥିଲେ। 

ଏବେ ଖୋଦ୍ ବିଜେଡି ସେହି ଗାତରେ ପଡ଼ିଯାଇଛି। ପୁଲିସ ଯେତେବେଳେ ସେହି ଦଳର ବ୍ଲୁ ଆଏଡ୍‌ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହାକୁ ଷଡ୍‌ଯନ୍ତ୍ର ବୋଲି ଆଖ୍ୟା ଦେଉଛି ବିଜେଡି। ଆଇନ ତା ବାଟରେ ଯିବାକୁ ଆଉ ଅପେକ୍ଷା କରୁନି କି ବିଚାର ପ୍ରକ୍ରିୟା ଉପରେ ଭରସା ରଖି ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାକୁ ସାହସ ଜୁଟାଇପାରୁନି। କେବଳ ଏହି ଦୁଇ ନେତା ନୁହନ୍ତି। ଦଳର ଆଉ କିଛି ଚର୍ଚ୍ଚିତ ନେତା ମଧ୍ୟ ଗିରଫ ହୋଇସାରିଛନ୍ତି। ଭୁବନେଶ୍ବରର ଆଗଧାଡ଼ିର ନେତା ତଥା କର୍ପୋରେଟର ଅମରେଶ ଜେନା ପୂର୍ବରୁ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ ହୋଇଛନ୍ତି। ଅବଶ୍ୟ ତାଙ୍କୁ ଦଳ ନିଲମ୍ବିତ କରିଛି। କିନ୍ତୁ ଦଳର ତଥାକଥିତ ଆଗଧାଡ଼ିର ନେତାମାନେ ଏହାକୁ ନିନ୍ଦା କରିନାହାନ୍ତି। ଆଜି ବ୍ରହ୍ମପୁରରେ ମଧ୍ୟ ହତ୍ୟାକାଣ୍ଡ ମାମଲାରେ ବିଜେଡି କର୍ପୋରେଟର ମଳୟ ବିଷୋୟୀ ଗିରଫ ହୋଇଛନ୍ତି। ଯେହେତୁ ବିକ୍ରମଙ୍କ ପଛରେ ଦଳ ଠିଆ ହୋଇଛି, ତେଣୁ ମଳୟଙ୍କୁ ବିରୋଧ କରିବା ପାଇଁ ବିଜେଡି ପାଖରେ ଆଉ କୌଣସି ବାଟ ନାହିଁ।