ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ପାଲିଆ ପଂଚାୟତର ବଡନୀ ଗ୍ରାମରେ ଜଣେ ବରିଷ୍ଠ ନାଗରିକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।ଚିକିତ୍ସା ପାଇଁ ଅର୍ଥ ଅଭାବ ହେତୁ ଗ୍ରାମର କ୍ବାକ ଉପରେ ନିର୍ଭର କରୁଥିବା ବୃଦ୍ଧା ଜଣକ କହିଛନ୍ତି।

Advertisment

ସୂଚନା ପ୍ରକାରେ ବଡ଼ନୀ ଗ୍ରାମରେ ରହୁଛନ୍ତି ପିତୁ ଗୌଡ଼(୬୩)।ସ୍ତ୍ରୀଙ୍କ ଦେହାନ୍ତ ପରେ ପିତୁ ବାର୍ଦ୍ଧକ୍ୟ ଯୋଗୁଁ ନିଜ ବଡ଼ ଝିଅ ସ୍ଵତୀ ଓ ଜ୍ୱାଇଁ ମେଟ ଘରେ ରହି ଆସୁଛନ୍ତି। ଝିଅ ଓ ଜ୍ୱାଇଁ ପର ଘରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ଗତ ଦୁଇ ମାସ ତଳେ ପିତୁ ଡାବୁଗାଁ ବ୍ଲକ ଅଂଚଳା ପଞ୍ଚାୟତ ଅନ୍ତର୍ଗତ ବଣ୍ଡିମାଳ ଗ୍ରାମରେ ରହୁଥିବା ସାନ ଝିଅ ଘରେ ବୁଲିବା ପାଇଁ ଚାଲିଚାଲି ଯାଉଥିଲେ। ପ୍ରାୟ ଚାରି କିଲୋମିଟର ଦୂର ଯିବା ପରେ ହଠାତ ପିତୁଙ୍କ ଗୋଡ଼ ଗାଇ ଗୋବର ଉପରେ ପଡି ଯାଇଥିଲା।ଫଳରେ ଗଡ଼ ଖସି ଯିବା ସହ ତଳେ କଚାଡି ହୋଇ ପଡିଯାଇଥିଲେ। ଅଣ୍ଟାରେ ପ୍ରବଳ ଆଘାତ ହେବା ସହ ଜଙ୍ଘର ଉପର ଭାଗର ହାଡ଼ ଭାଙ୍ଗି ଯାଇଥିଲା।

ଘଟଣା ଘଟିବା ପରେ ସେହି ରାସ୍ତା ଦେଇ ଯାଉଥିବା ବଡ଼ନୀ ଗ୍ରାମର କିଛି ଯୁବକ ପିତୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ନି ନିଜ ଘରେ ଆଣିଥିଲେ। ସେହିଦିନ ଠାରୁ ପିତୁ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ପିତୁ ଠିଆ ହୋଇ ପାରୁନଥିବା ବେଳେ ବସିବା ମଧ୍ୟ କଷ୍ଟ ହେଉଛି। ଫଳରେ ପିତୁ ଦୁଇ ମାସ ହେବ ଏକ ପ୍ରକାର ଶଯ୍ୟାଶାୟୀ ହୋଇ ପଡ଼ିଥିବା କହିଛନ୍ତି। ପିତୁ ବର୍ତ୍ତମାନ ବଡ଼ ଝିଅ ଓ ଜ୍ୱାଇଁ ଉପରେ ଭରସା କରୁଥିବା ବେଳେ ନିତ୍ୟ କର୍ମ ମଧ୍ୟ ନିଜେ କରି ପାରୁନଥିବା ଝିଅ କହିଛନ୍ତି।

ସେହିପରି ବାପାଙ୍କ ଉନ୍ନତ ଚିକିତ୍ସା ପାଇଁ ବଡ଼ ଝିଅ ଓ ଜ୍ୱାଇଁ ନିକଟରେ ଅର୍ଥ ଅଭାବ ରହିଥିବା ବେଳେ ପିତୁର ଯନ୍ତ୍ରଣା ଦେଖି ଗାଁର କେହି ଜଣେ କ୍ବାକ ଦ୍ୱାରା ଚିକିତ୍ସା କରୁଥିବା ବୃଦ୍ଧା ଜଣକ କହିଛନ୍ତି। ଯଦି ପ୍ରଶାସନ ପକ୍ଷରୁ ଉନ୍ନତ ଚିକିତ୍ସା ପାଇଁ ସହାୟତା ପ୍ରଦାନ କଲେ ବାପାଙ୍କ ଚିକିତ୍ସା ହେବା ସହ ଯନ୍ତ୍ରଣାରୁ ମୁକ୍ତ ହେବେ ବୋଲି ବଡ଼ ଝିଅ ଓ ଜ୍ୱାଇଁ କହିଛନ୍ତି। ଅନ୍ୟପକ୍ଷେ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଇ ଥିବା ବେଳେ ସଚେତନତା ଅଭାବ ଯୋଗୁଁ ପିତୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ନେଇ ପାରୁନଥିବା ସୂଚନା ମିଳିଛି।

ଏଠାରେ ପ୍ରକାଶ ଯେ ପ୍ରଶାସନ ପକ୍ଷରୁ ପିତୁ ଗୌଡ଼ଙ୍କୁ ମାଗଣା ୩୫ କିଲୋ ଚାଉଳ ମିଳୁଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ୫ଶହ ଟଙ୍କା ମିଳୁଛି। ବଡ଼ ଝିଅ ଓ ଜ୍ୱାଇଁଙ୍କୁ ୧୦ କିଲୋ ଚାଉଳ ମିଳୁଛି। ବହୁ ବର୍ଷ ତଳେ ମିଳିଥିବା ଆବାସ ଗୃହରେ ଅତି ଦୟନୀୟ ଅବସ୍ଥାରେ ପରିବାର ଲୋକ ରହୁଛନ୍ତି। ତେଣୁ ପ୍ରଶାସନ ତୁରନ୍ତ ଏହି ଅସହାୟ ପରିବାକୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।