ଶ୍ରୀମନ୍ଦିର ପ୍ରଶାସକ ଦାୟିତ୍ୱ ନେଲେ ପ୍ରଦୀପ୍ତ ମହାପାତ୍ର : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ପୁରୀ : ଶ୍ରୀମନ୍ଦିର ପ୍ରଶାସକ ଭାବେ ବରିଷ୍ଠ ଆଇଏଏସ୍‌ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ପୁରୀ ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକ ଭାବେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରି ଶ୍ରୀ ମହାପାତ୍ର ଖ୍ୟାତି ଅର୍ଜନ କରିଥିବା ବେଳେ ସାଂପ୍ରତିକ ପରିସ୍ଥିତିରେ ଦାନଦକ୍ଷିଣାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଛାଟ ଓ ରତ୍ନ ଭଣ୍ଡାର ଚାବି ହଜିବା ଭଳି ବିବାଦୀୟ ପରିସ୍ଥିତି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସକ ଭାବେ ଯୋଗଦାନକୁ ସେ ଏକ ଆହ୍ଵାନ ଭାବେ ଗ୍ରହଣ କରିଛନ୍ତି। ବିବାଦୀୟ ଘଟଣା ଉପରେ କୌଣସି ମନ୍ତବ୍ୟ ନ ଦେଇ ଶ୍ରୀ ମହାପାତ୍ର ଚଳିତ ବର୍ଷ ରଥଯାତ୍ରାକୁ ସୁରୁଖୁରୁରେ ସଂପନ୍ନ କରିବା ଏବଂ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱାରୋପ କରିଛନ୍ତି।

ଶ୍ରୀ ମହାପାତ୍ର ଆଜି ଅପରାହ୍‌ଣ ୨ଟାରେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଦାୟିତ୍ଵ ଗ୍ରହଣ ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ କହିଥିଲେ ଯେ, ପୁଣି ଥରେ ପୁରୀକୁ ଆସିବା ଓ ଶ୍ରୀମନ୍ଦିର ଦାୟିତ୍ଵ ନେବା ସବୁ ସେହି ମହାପ୍ରଭୁଙ୍କ ଲୀଳା। କେବେ ମଧ୍ୟ ଭାବିନଥିଲି ପୁଣି ଥରେ ଶ୍ରୀମନ୍ଦିର ଦାୟିତ୍ଵ ନେବାକୁ ପଡ଼ିବ ବୋଲି। ଶ୍ରୀ ମହାପାତ୍ର ପ୍ରଥମେ ରଥଯାତ୍ରା ଉପରେ ସମୀକ୍ଷା ବୈଠକ ଡାକି ରଥ ନିର୍ମାଣ ଓ ରଥଯାତ୍ରା ସହ ଜଡ଼ିତ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିଥିଲେ। ଏହାଛଡ଼ା ଶ୍ରୀମନ୍ଦିର ମରାମତି ପରିପ୍ରେକ୍ଷୀରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଏବଂ ଦାନଦକ୍ଷିଣା ନେଇ ସୁପ୍ରିମକୋର୍ଟଙ୍କ ରାୟ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଜୁନ୍‌ ୩୦ ସୁଦ୍ଧା ସୁପ୍ରିମ୍‌କୋର୍ଟ ଏ ସଂପର୍କିତ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଥିବା ବେଳେ ନିର୍ଦ୍ଧାରିତ ସମୟରେ କିପରି ସତ୍ୟପାଠ ଦାଖଲ ହୋଇପାରିବ ତାହା ଉପରେ ଶ୍ରୀ ମହାପାତ୍ର ପ୍ରାଧାନ୍ୟ ଦେଇଥିଲେ।

ରତ୍ନଭଣ୍ଡାର ଚାବି ହଜିବା ଓ ଅନ୍ୟାନ୍ୟ ଘଟଣା ସଂପର୍କରେ ଶ୍ରୀ ମହାପାତ୍ର କୌଣସି ମନ୍ତବ୍ୟ ଦେଇନଥିଲେ। କହିଥିଲେ, ଶ୍ରୀମନ୍ଦିର ଚାବି ହଜିବା ଓ ଅନ୍ୟାନ୍ୟ ବିଶୃଙ୍ଖଳା ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ କମିସନ୍‌ ଗଠନ କରିଛନ୍ତି। କମିସନ୍‌ ଏହା ଉପରେ ତଦନ୍ତ କରି ରିପୋର୍ଟ ଦେବେ। ତେବେ ରଥଯାତ୍ରା କିପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଶେଷ ହେବ ତାହା ମୋର ପ୍ରଥମ କର୍ତ୍ତବ୍ୟ ହେବ। ସେହିପରି ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନକୁ ମଧ୍ୟ ସେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର