କଟକରେ ଆବର୍ଜନାରୁ ଲୁଟିବାକୁ ଚକ୍ରାନ୍ତ

କଟକ/ଭୁବନେଶ୍ୱର : କଟକ ସହରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ନେଇ ବାରମ୍ବାର ଅଭିଯୋଗ ଆସୁଛି। କଟକ ମହାନଗର ନିଗମ କର୍ତ୍ତୃପକ୍ଷ ବ୍ୟବସ୍ଥାକୁ ସଜାଡ଼ିବା ପରିବର୍ତ୍ତେ ଆବର୍ଜନା ଉଠାଣରୁ ବଡ଼ ଧରଣର ଲୁଟ୍‌ପାଟ୍‌ କରିବାକୁ ଚକ୍ରାନ୍ତ କରୁଥିବା ଅଭିଯୋଗ ଉଠିଛି। ରାଜ୍ୟ ବାହାରର ସଂସ୍ଥାକୁ ଅନୁକମ୍ପା ଦେଖାଇବାକୁ ଯାଇ ସବୁ ନିୟମକାନୁନ୍‌କୁ ଜଳାଞ୍ଜଳି ଦେଇଛନ୍ତି କର୍ତ୍ତୃପକ୍ଷ। କିନ୍ତୁ ଏବେ କର୍ପୋରେଟର୍‌ଙ୍କ ହାତରେ ଧରାପଡ଼ିବା ପରେ ନଗର ଉନ୍ନୟନ ବିଭାଗର ସାହାରା ପଶିଛନ୍ତି। ଏହି ଘଟଣା ଏବେ ଭୁବନେଶ୍ୱର ଓ କଟକରେ ଚର୍ଚ୍ଚାର ବିଷୟ ହୋଇଛି।

ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସିଏମ୍‌ସି ପକ୍ଷରୁ ଡକାଯାଇଥିବା ଟେଣ୍ଡର୍‌ ସ୍ୱଚ୍ଛ ନ ଥିବାରୁ ହାଇକୋର୍ଟର ମାମଲା ହୋଇଥିଲା। ହାଇକୋର୍ଟ ସେହି ଟେଣ୍ଡର୍‌କୁ ରଦ୍ଦ କରି ସାନି ଟେଣ୍ଡର୍‌ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସାନି ଟେଣ୍ଡର୍‌ରେ ବି ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସିଏମ୍‌ସିର ଟେଣ୍ଡର ପ୍ରକ୍ରିୟାରେ ୩ଟି ସଂସ୍ଥା ସାମିଲ ହୋଇଥିଲେ। ଭିଜିଲାନ୍ସ ମାମଲା ଆଳ ଦେଖାଇ ଭୁବନେଶ୍ୱରର ଜାଗୃତି ଓ୍ଵଲଫେୟାର ଅର୍ଗାନାଇଜେସନ୍‌କୁ ବାଦ୍‌ ଦିଆଯାଇଥିଲା। ଅନ୍ୟପଟେ ଫାଇନାନ୍ସିଆଲ୍‌ ବିଡ୍‌ ଖୋଲା ଯିବା ପରେ କମ୍‌ ଅର୍ଥ ଦାବି କରିଥିବା ମେଟ୍ରୋ ଓ୍ଵଷ୍ଟ ମ୍ୟାନେଜମେଣ୍ଟକୁ ଚୟନ କରାଯାଇଛି।

ମେଟ୍ରୋ ଯେଉଁ ଅର୍ଥ ଦାବି କରିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସଂସ୍ଥା ନେବ ଟନ୍‌ ପିଛା ପାଖାପାଖି ୬୩୦୦ ଟଙ୍କା। କିନ୍ତୁ ଭୁବନେଶ୍ୱରରେ ଏହି କାମ ପାଇଁ ଟନ୍‌ ପିଛା ବର୍ତ୍ତମାନ ଖର୍ଚ୍ଚ ହେଉଛି ପାଖାପାଖି ୨୯୦୦ ଟଙ୍କା। ଭୁବନେଶ୍ୱର ଠାରୁ କଟକରେ କାହିଁକି ଦୁଇ ଗୁଣ ଅଧିକ ଖର୍ଚ୍ଚ ହେବ ବୋଲି ପ୍ରଶ୍ନ ଉଠିଛି।

୨୭ ତାରିଖ କାଉନ୍‌ସିଲ୍‌ ବୈଠକରେ ଏ ନେଇ କର୍ପୋରେଟର୍‌ମାନେ ପ୍ରତିବାଦ କରିବାକୁ ୨୮ ତାରିଖରେ ସ୍ୱତନ୍ତ୍ର ବୈଠକ ଡକାଯାଇଥିଲା। ସେଥିରେ ଟେଣ୍ଡର୍‌କୁ ଅନୁମୋଦନ ମିଳିବା ଦୂରର କଥା, ଦଳ, ମତ ନିର୍ବିଶେଷରେ ଅଧିକାଂଶ କର୍ପୋରେଟର୍‌ ଏହାକୁ ଭୀଷଣ ବିରୋଧ କରିଥିଲେ। ସିଧାସଳଖ ଅଭିଯୋଗ ଉଠିଥିଲା, ମେଟ୍ରୋ ପାଇଁ ୧୦ କୋଟି ଟଙ୍କାର ଡିଲ ହୋଇଛି । ରାମ୍‌କି ସହ ସଂଶ୍ଲିଷ୍ଟ ଜଣେ ବ୍ୟକ୍ତି ‘ମେଟ୍ରୋ େଓ୍ଵଷ୍ଟ୍‍ ମ୍ୟାନେଜ୍‌ମେଣ୍ଟ’ ଜରିଆରେ ବ୍ୟବସାୟ ପାଇଁ ଉଦ୍ୟମ ଚଳାଇଛନ୍ତି । ଓଡ଼ିଶାର ସଂସ୍ଥା ଜାଗୃତି ନାମରେ ସମ୍ବଲପୁର ଓ ଭୁବନେଶ୍ୱରରେ ଦୁଇଟି ଭିଜିଲାନ୍‌ସ୍‌ ମାମଲା ଥିବା କାଗଜ ଦେଖାଇବା ସହ ଏହି ମାମଲାରେ କମ୍ପାନି ଦୋଷୀ ସାବସ୍ତ୍ୟ ହୋଇ ନଥିବା କହିଥିଲେ। ଏପରିକି ସମ୍ବଲପୁରରେ ଭିଜିଲାନ୍‌ସ୍‌ର ଏକ ମାମଲାରେ କେବଳ ସାକ୍ଷୀ ଭାବେ ସଂପୃକ୍ତ ସଂସ୍ଥାକୁ ନୋଟିସ୍‌ ଜାରି କରାଯାଇଛି। ତେଣୁ କେଉଁ ଆଇନ୍‌ ଆଧାରରେ ଭିଜିଲାନ୍‌ସ୍‌ ମାମଲାକୁ ଆଳ କରାଗଲା ବୋଲି ପ୍ରଶ୍ନ ଉଠିଥିଲା। ଶେଷରେ କମିସନର୍‌ ଟେଣ୍ଡର୍‌ ଉପରେ ଅଧିକ ତର୍ଜମା କରାଯିବ ବୋଲି ୧୫ ଦିନ ସମୟ ନେଇଥିଲେ।

ଆଜି ସିଏମ୍‌ସି କମିସନର୍‌ ଏହି ପ୍ରସଙ୍ଗରେ ନଗର ଉନ୍ନୟନ ବିଭାଗ ସଚିବଙ୍କୁ ଚିଠି ଲେଖି ପରାମର୍ଶ ମାଗିଛନ୍ତି। ଉଭୟ ଦର ଓ ଭିଜିଲାନ୍‌ସ୍‌ ମାମଲା ପ୍ରସଙ୍ଗରେ ସେ ବିଭାଗର ପ୍ରତିକ୍ରିୟା ଲୋଡ଼ିଛନ୍ତି। ବର୍ତ୍ତମାନ ଟେଣ୍ଡର୍‌ ପ୍ରକ୍ରିୟା ସିଏମ୍‌ସିରୁ ଆସି ସଚିବାଳୟରେ ପହଞ୍ଚିଛି। ସରକାରୀ ଅର୍ଥକୁ ହରିଲୁଟ୍‌ କରିବା ପାଇଁ ନଗର ଉନ୍ନୟନ ବିଭାଗ ସୁଯୋଗ ଦେବ ନା ସ୍ୱଚ୍ଛ ବାଟ ବାହାର କରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ସିଏମ୍‌ସି କର୍ତ୍ତୃପକ୍ଷଙ୍କ କାରବାର ସଚେତନ ନାଗରିକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ସାତ ବର୍ଷ ଧରି ରାମ୍‌କି ନାକେଦମ୍‌ କଲା ପରେ ମଧ୍ୟ କର୍ତ୍ତୃପକ୍ଷ ଚେତିଲେ ନାହିଁ। ଏପରିକି ହାଇକୋର୍ଟ ଛାଟ ବାଜିଲା ପରେ ବି ନିୟମକାନୁନ୍‌କୁ ସର୍ବନିମ୍ନ ସମ୍ମାନ ଦେବାକୁ କର୍ତ୍ତୃପକ୍ଷ ଆଦୌ ଉଦ୍ୟମ କରି ନାହାନ୍ତି। ପ୍ରଶ୍ନ ଉଠୁଛି, ଯଦି ଗତକାଲି ବୈଠକରେ କର୍ପୋରେଟର୍‌ମାନେ ପ୍ରତିବାଦ ନ କରିଥା’ନ୍ତେ, ତେବେ ସ୍ଥିତି କ’ଣ ହୋଇଥା’ନ୍ତା ? ଯଦି ସବୁ ଠିକ୍‌ ଥିଲା, ତେବେ କମିସନର୍‌ ପୁଣି ୧୫ ଦିନ ସମୟ ନେଲେ କାହିଁକି ? ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ମେୟର କାହିଁକି ନିରବ ରହୁଛନ୍ତି ?

ସମ୍ବନ୍ଧିତ ଖବର