ନୂଆପଡ଼ା : ମିଳିତ ଅପରେସନ ମାଧ୍ୟମରେ ଦୃଢ଼ହସ୍ତରେ ମାଓବାଦୀଙ୍କୁ ଦମନ କରାଯିବ। ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଆକ୍ରମଣରେ ୩ ଯବାନ ସହିଦ ହେବାପରେ ଏହିଭଳି ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ଓଡ଼ିଶା ପୁଲିସ୍‌ ଅପରେସନ ଆଇଜି ଅମିତାଭ ଠାକୁର ନୂଆପଡ଼ାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment

ଆଇଜି ଶ୍ରୀଠାକୁର ଘଟଣାର ୩ ଦିନ ପରେ ଗୁରୁବାର ଦିନ ନୂଆପଡ଼ା‌ରେ ପହଞ୍ଚିଥିଲେ। ମାଓଦମନ ପାଇଁ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ । ପରେ ପାଟଦରା ସଂରକ୍ଷିତ ଜଙ୍ଗଲସ୍ଥିତ ଘଟଣାସ୍ଥଳ ପରିଦର୍ଶନ  କରିବା ସହ ପାଟଦରା କ୍ୟାମ୍ପକୁ ଯାଇଥି‌ଲେ। ମଧ୍ୟାହ୍ନରେ ନୂଆପଡ଼ା ସିଲଧା ରିଜର୍ଭଠାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଶ୍ରୀ ଠାକୁର ଗଣମାଧ୍ୟମକୁ କହିଥିଲେ ଯେ, ୩ ଜଣ ସିଆର୍‌ପିଏଫ୍‌ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି। ଖୁବ୍‌ଶୀଘ୍ର ପ୍ରତିଶୋଧ ନିଆଯିବ। ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଆଇଜି ରାଜେଶ ପଣ୍ଡିତ, ନୂଆପଡ଼‌ା ଏସ୍‌ପି ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ଥିଲେ।