ଭୁବନେଶ୍ବର : ରାଜ୍ୟରେ ସୂର୍ଯ୍ୟମୂଖୀ ଓ ସୋରିଷ ଭଳି ତୈଳବୀଜ ସହିତ ଡାଲିଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି କରାଯିବ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଓଡ଼ିଶା କୃଷି ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)କୁ ଦାୟିତ୍ବ ଦିଆଯାଇଛି। ଗତମାସ ୮ତାରିଖରେ ଲୋକସେବା ଭବନରେ ଆୟୋଜିତ ଏଗ୍ରି-କନକ୍ଲେଭରୁ ମିଳିଥିବା ମତାମତ ଓ ସୁପାରିସ ଉପରେ ତର୍ଜମା ପାଇଁ ଅନୁଷ୍ଠିତ ‌ବୈଠକରେ ଏହି ସୂଚନା ଦେଇଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ।

Advertisment

କନକ୍ଲେଭରେ ଅଂଶଗ୍ରହଣ କରି ପାଇଥିବା ଅଭିଜ୍ଞତା, ଦେଶର ଅନ୍ୟ ସ୍ଥାନରୁ ଆସିଥିବା ବଡ଼ କମ୍ପାନିଗୁଡ଼ିକ ରଖିଥିବା ମତାମତ ଓ ବିଭିନ୍ନ ବିଭାଗ ଦ୍ବାରା ସ୍ଥିର ହୋଇଥିବା ପଦକ୍ଷେପଗୁଡ଼ିକ ଉପସ୍ଥାପନ କରାଯାଇଛି। ରାଜ୍ୟରେ ଉତ୍ପାଦିନ କୃଷି ସାମଗ୍ରୀର ଠିକ୍ ବଜାର ନ ଥିବା କନକ୍ଲେଭ୍‌ରେ ଦର୍ଶାଯାଇଥିଲା। ତେଣୁ ଏହା ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ତାହା ଉପରେ ବୈଠକରେ ଆଲୋଚନା ହୋଇଛି। ରାଜ୍ୟରେ କ୍ଲଷ୍ଟର ଆପ୍ରୋଚ ଜରିଆରେ ସୂର୍ଯ୍ୟମୂଖୀ ଓ ସୋରିଷ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ। ଜୈବିକ ଚାଷର ପ୍ରମାଣନ ପତ୍ର ପ୍ରକ୍ରିୟା ପାଇଁ ଚାଷୀମାନଙ୍କୁ ସଚେତନ କରାଯିବ। ଫଳରେ ଘରୋଇ କ୍ରେତା ତଥା ଭାରତୀୟ ପ୍ରଯୋଗଶାଳା ଚାହୁଁଥିବା ପ୍ରମାଣନ ପତ୍ର ପ୍ରଦାନ ସହଜ ହୋଇପାରିବ। ଉଦ୍ୟାନ କୃଷି ବିଭାଗ ଆମ୍ବ, ଲେମ୍ବୁ, ଲଙ୍କା ଓ ହଳଦୀ ପ୍ରଭୃତିର ଚାହିଦା ରହିଥିବାରୁ ଏହାର ବିକ୍ରିୟ ସ୍ଥଳ, କ୍ରେତାଙ୍କ ନାମ ସହିତ କେତେ ପରିମାଣ ଓ କେଉଁ ପ୍ରକର ଶୀତଳ ଭଣ୍ଡାରର ଆବଶ୍ୟକ ତା’ ଉପରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି।

ଅନେକ ବୃହତ କୁକ୍କୁଟପାଳନ ସଂସ୍ଥା ରାଜ୍ୟରେ ସମନ୍ବିତ ପୋଲ୍‌ଟ୍ରି ପ୍ରକ୍ରିୟାକରଣ ୟୁନିଟ୍‌ ସ୍ଥାପନ କରିବାକୁ ଇଚ୍ଛୁକ ଥିବାରୁ ହ୍ୟାଚେରିକୁ ଶିଳ୍ପର ମାନ୍ୟତା ପ୍ରଦାନ କରିବାକୁ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ନୀତିରେ ସଂଶୋଧନ କରିବାକୁ ଅନୁରୋଧ କରାଯାଇଛି। ରାଜ୍ୟରେ ବର୍ତମାନ ୬୮ଟି ହ୍ୟାଚେରି ଥିବା ବେଳେ ତହିଁରୁ ସରକାରଙ୍କ ଅଧୀନରେ ୪୮ଟି ରହିଛି। ତହିଁରୁ ୧ଲକ୍ଷ ଚିଆଁ ଉତ୍ପାଦନ କରାଯାଉଛି। ଆବଶ୍ୟକ ପଡ଼ୁଥିବା ଚାହିଦାକୁ ପଡ଼ୋଶୀ ଆନ୍ଧ୍ରରୁ ଅଣାଯାଇ ପୂରଣ କରାଯାଉଛି। ରାଜ୍ୟରେ କୌଣସି ବ୍ରାଣ୍ଡଯୁକ୍ତ କୁକୁଡ଼ା ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନି ନାହାନ୍ତି କିମ୍ବା ତତ୍କାଳ କୁକୁଡ଼ା ଖାଦ୍ୟ ତିଆରି କଲାଭଳି ଶିଳ୍ପ ପ୍ରତିଷ୍ଠାନ ନାହିଁ। ରାଜ୍ୟକୁ ବର୍ଷକୁ ୮.୫ଲକ୍ଷ ମେଟ୍ରିକ ଟନ୍ ମକା ଓ ୨.୭ଲକ୍ଷ ମେଟ୍ରିକ ଟନ ‌ସୋୟାର ଆବଶ୍ୟକତା ରହିଛି। କୁକୁଡ଼ା ଖାଦ୍ୟର ମାନ ନିର୍ଧାରଣ ଓ ପରୀକ୍ଷା ପାଇଁ ପ୍ରମାଣନ ପ୍ରୟୋଗଶାଳା ପ୍ରତିଷ୍ଠା କରିବା, ସମ୍ବଲପୁରରେ କୁକୁଡ଼ା, ମାଛ ଓ ମାଂସ ପ୍ରକ୍ରିୟା ପାଇଁ ପ୍ଲାଣ୍ଟ ବିକଶିତ କରିବା ଓ ହୀରାକୁଦର ଜଳଭଣ୍ଡାରରେ କେଜ୍ କଲଚର ମାଛ ଚାଷୀକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ବ ଦିଆଯାଇଛି।

ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ବୀରବିକ୍ରମ ଯାଦବ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ସଚିବ ଜି.ରଘୁ ପ୍ରସାଦ, କୃଷି ବିଭାଗର ସଚିବ ସୁରେଶ କୁମାର ବଶିଷ୍ଠ, ଓସମା ବୋର୍ଡର ସଦସ୍ୟ ସଚିବ ବିଶ୍ବରଂଜନ ସାସମଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଏମ୍‌.ମୁଥୁକୁମାର, ଓଏଲଏମ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସୀ ନିମ୍ବାଲ, ଉଦ୍ୟାନ କୃଷି ନିର୍ଦେଶକ ରୋହିତ ଲେଙ୍କା, ପଶୁପାନଳ ଓ ପ୍ରାଣୀ ଚିକିତ୍ସା ନିର୍ଦେଶକ ‌ୟେଦ୍ଦୁଲା ବିଜୟ, କୃଷି ବିଭାଗର ସ୍ବତନ୍ତ୍ର ସଚିବ ମନ୍ମଥ କୁମାର ପାଣି, ଆପିକଲର ପରିଚାଳନା ନିର୍ଦେଶକ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।