ଭୁବନେଶ୍ୱର : ଆଇଏଏସ୍ ପରେ ଆଇପିଏସ୍ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ଲାଗି ନକ୍ସା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ଭୁୁବନେଶ୍ୱର ଓ କଟକ ଡିସିପି, ଏକାଧିକ ଜିଲ୍ଲାର ଏସ୍ପିଙ୍କ ସମେତ ବିଭିନ୍ନ ରେଞ୍ଜ ଆଇଜିଙ୍କୁ ବଦଳି କରିବା ଲାଗି ସରକାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଯେ କୌଣସି ମୁହୂର୍ତରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ।
ଏହା ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଭାଗୀୟ ପଦୋନ୍ନତି କମିଟି(ଡିପିସି) ବୈଠକରେ ୪ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ପାଇଁ ସୁପାରିସ କରାଯାଇଛି। ସେମାନେ ହେଉଛନ୍ତି ୧୯୯୨ ବ୍ୟାଚ୍ ଆଇପିଏସ୍ ତଥା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟରେ ଥିବା ସପ୍ନା ତିଓ୍ଵାରୀ, ୧୯୯୩ ବ୍ୟାଚ୍ର ସମ୍ବଲପୁରରେ ଅବସ୍ଥାପିତ ଉତ୍ତରାଞ୍ଚଳ ଆଇଜି ସୁଶାନ୍ତ କୁମାର ନାଥ, ବାଲେଶ୍ୱରରେ ଅବସ୍ଥାପିତ ପୂର୍ବାଞ୍ଚଳ ଆଇଜି ବିନୟତୋଷ ମିଶ୍ର, ଆଇଜି ଅପରେସନ୍ ଆର.ପି. କୋଚେ। ଏଣୁ ସ୍ୱାଭାବିକ ଭାବେ ସପ୍ନା ତିଓ୍ଵାରୀଙ୍କୁ ଛାଡ଼ି ଅନ୍ୟମାନଙ୍କର ବଦଳି କରିବାକୁ ସରକାର ବାଧ୍ୟ। ଏହାବ୍ୟତୀତ ତାଳଚେରରେ ଅବସ୍ଥାପିତ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ଡିଆଇଜି ଯତୀନ୍ଦ୍ର ନାଥ କୋୟଲ ଓ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଏସ୍ ସାଇନିଙ୍କର ବଦଳି ସମ୍ଭାବନା ଅଧିକ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାର କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଯୁକ୍ତି ଦେବା ଲାଗି ବିଚାର କରୁଛନ୍ତି। ଏହା ଯଦି ହୁଏ, ତେବେ ରେଞ୍ଜସ୍ତରରେ ଏକ ବଡ଼ ପରିବର୍ତନ ହେବ ଓ ଅତିରିକ୍ତ ଡିଜି ପାହ୍ୟାରେ ବି ଏହାର ପ୍ରଭାବ ପଡିବ। ଏମିତିରେ ବି ଭିଜିଲାନ୍ସ ଆଇଜି ପାହ୍ୟାରେ କେହି ନଥିବାରୁ ଏଠାରେ କାମ ଯଥେଷ୍ଟ ପ୍ରଭାବିତ ହେଉଛି।
ପୂର୍ବରୁ ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ ଏବଂ ଗଞ୍ଜାମ ତଥା ବ୍ରହ୍ମପୁର ଏସ୍ପି ଆଶିଷ ସିଂଙ୍କର ଡିଆଇଜି ପାହ୍ୟାକୁ ପଦୋନ୍ନତି ହୋଇସାରିଛି। ଏଣୁ ଏମାନଙ୍କର ବଦଳି କରାଯିବ। ଗଞ୍ଜାମ ଓ ବ୍ରହ୍ମପୁରରେ ଦୁଇ ଜଣ ପୃଥକ୍ ପୃଥକ୍ ଏସ୍ପି ଦିଆଯିବ। କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାରେ ନିଯୁକ୍ତି ଦେବା ଲାଗି ଯୋଜନା ହୋଇଛି। ପୁରୀ ଏସ୍ପି ସାର୍ଥକ ଷଡ଼ଙ୍ଗୀଙ୍କୁ ମଧ୍ୟ ବଦଳି କରାଯିବା ସମ୍ଭାବନା ଅଧିକ। କିଛି ଦିନ ପୂର୍ବରୁ ଓକିଲ-ପୁଲିସ ଗଣ୍ଡଗୋଳକୁ ନେଇ ପୁରୀ ଏସ୍ପିଙ୍କୁ ନେଇ ସେଠାରେ ବିତର୍କ ମୁଣ୍ଡ ଟେକିଥିଲା। ବ୍ୟାପକ ଆଲୋଚନା ପରେ ଏହା ଥମିଛି। ଏଣୁ ଏହା ଆଉ ଥରେ ବିସ୍ଫୋରକ ମୋଡ଼ ନେବା ପୂର୍ବରୁ ସରକାର ଏସ୍ପିଙ୍କୁ ପରିବର୍ତ୍ତନ କରିବା ଲାଗି ବିଚାର କରୁଥିବା ଜଣାପଡିଛି।
ଏହାବ୍ୟତୀତ ଅନ୍ୟ କିଛି ଜିଲ୍ଲାରେ ଏସ୍ପିମାନଙ୍କ କାର୍ଯ୍ୟକଳାପ ସାଧାରଣରେ ଅସନ୍ତୋଷ ସୃଷ୍ଟି କଲାଣି। ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳ ହେବା କାରଣରୁ ସରକାର ଅକଳରେ ପଡ଼ିଛନ୍ତି। ଏଣୁ ଏହି ପ୍ରକ୍ରିୟାରେ ସେଭଳି ଅଧିକାରୀଙ୍କୁ ଚିହ୍ନଟ କରି ବଦଳି କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/ips-copy.jpg)