ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଲା ବ୍ୟବସାୟୀ ମହାସଂଘ: ଦିନ ୨ଟାରୁ ଦୋକାନ ବନ୍ଦ ରଖିବାକୁ ଯୋଜନା

ଆଜି ବୈଠକ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଦୋକାନ ଓ ବଜାରରେ ଜନଗହଳି ଯୋଗୁ ସଂକ୍ରମଣ ବ୍ୟାପୁଛି। କିଛିଲୋକ କୋଭିଡ ନିୟମ ମାନୁଛନ୍ତି ଆଉ କିଛି ଅମାନିଆଙ୍କ ଯୋଗୁ ସଂକ୍ରମଣ ବଢ଼ିଚାଲିଛି। ସରକାରଙ୍କୁ ଏ ଦିଗରେ ସାହାଯ୍ୟ କରିବା ପାଇଁ ରାଜ୍ୟ ବ୍ୟବସାୟୀ ସଂଘ ଦିନ ୨ଟା ପରେ ଆଉ ତେଜରାତି ଦୋକାନ ନ ଖୋଲିବାକୁ ଯୋଜନା କରୁଛି। ଏ ନେଇ ଆଜି ଭିଡିଓ କନଫରେନ୍‌ସିଂ ଜରିଆରେ ରାଜ୍ୟ ବ୍ୟବସାୟୀ ମହାସଂଘ ରାଜ୍ୟରେ ଥିବା ମୁଖ୍ୟ ବ୍ୟବସାୟୀ ସଂଘଗୁଡ଼ିକ ସହ ଆଲୋଚନା କରିବ। ଆସନ୍ତାମାସ ୩ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଜାରି ରଖାଯିବ।

ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ନେଇ ବ୍ୟବସାୟୀ ମହଲରେ ବି ଉଦ୍‌ବେଗ ପ୍ରକାଶ ପାଇଛି। ପୂର୍ବରୁ ଦୈନିକ ରାଜ୍ୟରେ ୨ ହଜାର କୋଟି ଟଙ୍କାର ବ୍ୟବସାୟ ହେଉଥିଲା। ଏବେ ତାହା କମି ୧୨୦୦ରୁ ୧୩୦୦ କୋଟିରେ ପହଞ୍ଚିଲାଣି। ମହାମାରୀ ଯୋଗୁ ଲୋକଙ୍କ ରୋଜଗାର କମିଥିବାରୁ ଆଉ ସାମଗ୍ରୀ କାରବାର ବି ମାନ୍ଦା ଚାଲିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ତଥାପି କିଛି ଲୋକ ଏହାକୁ ଅଣଦେଖା କରିଚାଲିଛନ୍ତି। ଏଥିପାଇଁ ମହାସଂଘ ନିଷ୍ପତ୍ତି ନେଇଛି ଆସନ୍ତାମାସ ୧୫ ତାରିଖ ପର୍ଯ୍ୟନ୍ତ ସକାଳୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖାଯିବ। ୧୫ ତାରିଖ ପରେ ସ୍ଥିତିକୁ ଦେଖିବା ପରେ ନିଷ୍ପତ୍ତି ନିଆଯିବ। ରାଜ୍ୟରେ ଏବେ ୨୯୩ଟି ବ୍ୟବସାୟୀ ସଂଘ ରହିଛି। ଆସନ୍ତାକାଲି ମୁଖ୍ୟ ବ୍ୟବସାୟୀ ସଂଘଗୁଡ଼ିକ ସହ ଏ ବିଷୟରେ ଆଲୋଚନା କରି ନିଷ୍ପତ୍ତି ନିଆଯିବ। ଆଲୋଚନା ପରେ ସରକାରଙ୍କୁ ଏ ଦିଗରେ ମହାସଂଘ ଅବଗତ କରାଇବ। ଏହାସହିତ ମାଲ ପରିବହନ, ଲୋଡ଼ିଂ ଓ ଅନ୍‌ଲୋଡ଼ିଂ କାମ ଜାରି ରହିବ। ତା ନ ହେଲେ ଶ୍ରମିକମାନେ ସେମାନଙ୍କ ରୋଜଗାର ହରାଇବେ। ଏଥିପାଇଁ କୌଣସି ସମୟର କଟକଣା ରହିବ ନାହିଁ। କେବଳ ଲୋକଙ୍କ କିଣାବିକା ଦିନ ୨ଟା ପର୍ଯ୍ୟନ୍ତ ଚାଲିବ।

ଶ୍ରୀ ପଣ୍ଡା କହିଛନ୍ତି, କଟକ ମାଲଗୋଦାମ ବ୍ୟବସାୟୀ ସଂଘ, ଝାରସୁଗୁଡ଼ା, ଗଞ୍ଜାମ, ଆସିକା, ଭଞ୍ଜନଗର, ମୟୂରଭଞ୍ଜ, ବାଲେଶ୍ବରରେ ଥିବା ବ୍ୟବସାୟୀ ସଂଘଗୁଡ଼ିକ ଏହି କଟକଣାକୁ ଆରମ୍ଭ କରିଦେଇଛନ୍ତି। ଲୋକଙ୍କ ପାଇଁ ଅଟା, ଡାଲି, ତେଲ ସମେତ ସମସ୍ତ ଆବଶ୍ୟକ ସାମଗ୍ରୀ ମହଜୁଦ ଅଛି। କଳାବଜାରୀ ବନ୍ଦ କରିବାକୁ ସମସ୍ତ ବ୍ୟବସାୟୀଙ୍କୁ ମଧ୍ୟ ଅପିଲ କରାଯାଇଛି। ଏପରି ମହାମାରୀ ସମୟରେ କୌଣସି ବ୍ୟବସାୟୀ ମଧ୍ୟ ଚଢ଼ା ଦରରେ ଲୋକଙ୍କୁ ଜିନିଷ ବିକ୍ରି କରିବେ ନାହିଁ।

କିନ୍ତୁ ଏ ଦିଗରେ ଭୁବନେଶ୍ବର ଉପକଣ୍ଠ ଆଇଗିଣିଆ ସ୍ଥିତ କୁବେରପୁରୀ ବ୍ୟବସାୟୀ ସଂଘ ଭିନ୍ନ ମତ ରଖିଛି। ସଂଘ ସମ୍ପାଦକ ଶକ୍ତି ଶଙ୍କର ମିଶ୍ରଙ୍କ କହିବା କଥା, ସାଧାରଣତଃ ପ୍ରତିଦିନ ୪ରୁ ୫ଟି ରାଜ୍ୟରୁ ଆଳୁ,ପିଆଜ ଓ ପନିପରିବା କୁବେରପୁରୀକୁ ଟ୍ରକ୍‌ ଯୋଗେ ଆସିଥାଏ। ବ୍ୟବସାୟୀମାନେ ଏଠାକୁ ଦିନ ୨ଟା ପରେ ଆଳୁ, ପିଆଜ ସମେତ କଞ୍ଚା ପରିବା କିଣିବା ପାଇଁ ଆସିଥାନ୍ତି। ତେଣୁ କୁବେରପୁରୀରେ ସାଧାରଣତଃ କାରବାର ଅପରାହ୍ନ ପ୍ରାୟ ୪ଟାରୁ ଆରମ୍ଭ ହୋଇଥାଏ। ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ପାଇଁ ତେଜରାତି ବ୍ୟବସାୟୀମାନେ କରିଥିବା ନିଷ୍ପତ୍ତି କୁବେରପୁରୀ ପାଇଁ ପ୍ରଯୁଜ୍ୟ ହେବନାହିଁ। ଏପରି ହେଲେ ବଜାରରେ ଆଳୁ, ପିଆଜ, କଞ୍ଚା ପରିବା ମିଳିବ ନାହିଁ। ଯାହାକି ଆଉ ଗୋଟିଏ ସମସ୍ୟା ସୃଷ୍ଟି କରିବ। ଆସନ୍ତାକାଲି ରାଜ୍ୟ ବ୍ୟବସାୟୀ ମହାସଂଘ ଡାକିଥିବା ବୈଠକକୁ କୁବେରପୁରୀ ବ୍ୟବସାୟୀ ସଂଘକୁ ଡକାଯାଇନଥିବା ଶ୍ରୀ ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ମିଶ୍ର ସରକାରଙ୍କୁ ନିବେଦନ କରିଛନ୍ତି, ଜାତୀୟ ରାଜପଥ କଡ଼ରେ ଥିବା ଏହି ବଜାରକୁ ବିଶୋଧନ କରିବା ପାଇଁ ପଦକ୍ଷେପ ନିଆଯାଉ। କାରଣ ଦୈନିକ ବାହାର ରାଜ୍ୟରୁ ଏକାଧିକ ମାଲ୍‌ ବୋଝେଇ ଟ୍ରକ୍‌ ଆସୁଛନ୍ତି। ବିଶୋଧନ ନ କଲେ ଗତବର୍ଷ ପରି ଯଦି ପୁଣି କୋଭିଡ ସଂକ୍ରମଣ ଏଠାରେ ବ୍ୟାପିଯିବ, ତାହେଲେ ବଜାର ବନ୍ଦ ରଖାଯିବ। ଶ୍ରମିକଙ୍କଠୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ଏହି ବଜାର ଉପରେ ନିର୍ଭର କରି ଚଳୁଥିବା ପ୍ରାୟ ୭୦୦ ଲୋକ ବେରୋଜଗାର ହୋଇଯିବେ ଓ ଲୋକେ ମଧ୍ୟ ପନିପରିବାଠାରୁ ଆରମ୍ଭ କରି ଆଳୁ, ପିଆଜ ପାଇବାରୁ ବଞ୍ଚିତ ହେବେ।

ସମ୍ବନ୍ଧିତ ଖବର