ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରୁ ଏଯାଏ ପରଦା ହଟିପାରିନି। ଏହାରି ଭିତରେ ପୁଣି ଜଣେ ଜନ ପ୍ରତିନିଧିଙ୍କୁ ହତ୍ୟା ପାଇଁ ଯୋଜନା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ବ୍ୟକ୍ତିଗତ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟା ପାଇଁ ଜଣେ କନେଷ୍ଟବଳ ଯୋଜନା କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ପରେ କୋଲାବିରା ଥାନାରେ କାର୍ଯ୍ୟରତ କନେଷ୍ଟବଳ ସରୋଜ ଦାସଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରି ଅଣାଯାଇଥିବା ବେଳେ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଏସ୍‌ପି ଏସ୍.ପରମାର ସୂଚନା ଦେଇଛନ୍ତି।

Advertisment

ସେପଟେ, ସମ୍ପୃକ୍ତ କନେଷ୍ଟବଳ ନିଶାସକ୍ତ ଅବସ୍ଥାରେ ଥାନା ପରିସରରେ ଏଭଳି କିଛି କହିଥିବା ମଧ୍ୟ ଏସ୍‌ପି ଶ୍ରୀ ପରମାର୍ କହିଛନ୍ତି। ତେବେ କନେଷ୍ଟବଳଙ୍କ ନିକଟରୁ ବନ୍ଧୁକ ଜବତ ହେବା ଘଟଣା ସମ୍ପୂର୍ଣ୍ଣ ଗୁଜବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। କିନ୍ତୁ ସୋସିଆଲ୍‌ ମିଡିଆରେ କନେଷ୍ଟବଳ ଶ୍ରୀ ଦାସଙ୍କର ଯେଉଁକିଛି ଫଟୋ ଭାଇରାଲ୍‌ ହେଉଛି ସେଥିରେ ଶ୍ରୀ ଦାସ ହାତରେ ବନ୍ଧୁକ ଧରିଥିବା ଦୃଶ୍ୟ ଦେଖିବାକୁ ମିଳିଛି।

publive-image

ସୂଚନା ଅନୁସାରେ ଗତ ସପ୍ତାହ କନେଷ୍ଟବଳ ସରୋଜ ଦାସ ଥାନା ପରିସରରେ ପୂର୍ବ ବିଧାୟକ ଅନୁପ ସାଏଙ୍କୁ ହତ୍ୟା କରିବେ ବୋଲି କହିଥିଲେ। ଜଣେ ଏଏସ୍ଆଇଙ୍କ କାରନାମା ଯୋଗୁ ସମଗ୍ର ପୁଲିସ୍ ବିଭାଗ ବିବାଦ ଘେରରେ ରହିଥିବା ବେଳେ ଏବେ ଆଉ ଜଣେ ପୁଲିସ୍ କର୍ମଚାରୀଙ୍କ ଏଭଳି କଥା ବିଭାଗକୁ ଚିନ୍ତାରେ ପକାଇ ଦେଇଛି। ଏହାପରେ ଗତ ଗୁରୁବାର ହିଁ କନେଷ୍ଟବଳ ଶ୍ରୀ ଦାସଙ୍କୁ ଜିଲ୍ଲା ପୁଲିସ୍ ମୁଖ୍ୟାଳୟକୁ ବଦଳି କରି ଅଣାଯାଇଥିଲା। ତେବେ ୨୦୧୬ ମସିହାରେ ଝାରସୁଗୁଡ଼ାରେ ହୋଇଥିବା ଚର୍ଚ୍ଚିତ ଡବଲ୍‌ ମର୍ଡର ଘଟଣାର ମୃତକ କଳ୍ପନା ଦାସ ଥିଲେ କନେଷ୍ଟବଳ ଶ୍ରୀ ଦାସଙ୍କ ସମ୍ପର୍କୀୟ ଭଉଣୀ। ସେହି ସମୟରେ ଛତିଶଗଡ଼ ଚକ୍ରଧରନଗର ପୁଲିସ୍ ପକ୍ଷରୁ ଜାରି କରାଯାଇଥିବା ଫଟୋ ଆଧାରରେ କନେଷ୍ଟବଳ ଶ୍ରୀ ଦାସ ହିଁ ଶବ ଚିହ୍ନଟ କରିଥିଲେ। ନିକଟରେ ଅନୁପ ସାଏ ଜାମିନରେ ମୁକୁଳିଥିବାରୁ ଉକ୍ତ ଘଟଣାର ପ୍ରତିଶୋଧ ନେବାକୁ ଯାଇ କନେଷ୍ଟବଳ ଥାନା ଭିତରେ ଏଭଳି କିଛି କହିଥିବା ଚର୍ଚ୍ଚା ହେଉଛି। ତେବେ କନେଷ୍ଟବଳ ଶ୍ରୀ ଦାସ ପ୍ରକୃତରେ ନିଶାସକ୍ତ ଅବସ୍ଥାରେ ଏଭଳି କିଛି କହିଥିଲେ ନା ଏହା ପଛରେ କିଛି ଷଡ୍‌ଯନ୍ତ୍ର ରହିଥିଲା ତାକୁ ନେଇ ଏବେ ପୁଲିସ୍ ବିଭାଗ ଛାନ୍‌ଭିନ୍ କରୁଛି।

ସ୍ମରଣଯୋଗ୍ୟ, ୨୦୧୬ ମସିହାରେ ଝାରସୁଗୁଡ଼ାରେ କଳ୍ପନା ଦାସ(୩୨) ଓ ଝିଅ ପ୍ରଭାତୀ ଦାସ (୧୪)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହା ପରେ ଉଭୟଙ୍କ ଶବକୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଏକ କୋଇଲା ବେଝେଇ ମାଲ୍‌ଗାଡ଼ିରେ ଫିଙ୍ଗି ଦିଆଯାଇଥିଲା। ଚକ୍ରଧରନଗର ପୁଲିସ୍ ଉଭୟଙ୍କ ଶବ ଜବତ କରିଥିଲେ ହେଁ ଉଭୟ ମୃତକଙ୍କର ମୃତଦେହ ଚିହ୍ନଟ ହୋଇପାରିନଥିଲା। ଏଥିପାଇଁ ଛତିଶଗଡ଼ ପୁଲିସ୍ ଛତିଶଗଡ଼, ଓଡ଼ିଶା, ଝାଡ଼ଖଣ୍ଡ,
ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରକୁ ଫଟୋ ପଠାଇଥିଲା। ଏହି ସମୟରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନାରେ କାର୍ଯ୍ୟରତ ଥିଲେ ଏପିଆର୍ କନେଷ୍ଟବଳ ସରୋଜ ଦାସ। ଚକ୍ରଧରନଗର ପୁଲିସ୍ ପଠାଇଥିବା ଫଟୋ ଦେଖି ଜାଣିପାରିଥିଲେ ତାହା ତାଙ୍କ ସମ୍ପର୍କୀୟ ଭଉଣୀ କଳ୍ପନା ଦାସ ବୋଲି। ଉକ୍ତ ଫଟୋ ନେଇ ସେ ନିଜ ପରିବାର ଲୋକଙ୍କୁ ବି ଦେଖାଇବା ପରେ ଥାନାରେ ସୂଚିତ କରିଥିଲେ। ବ୍ରଜରାଜନଗର ପୁଲିସ୍‌ର ସୂଚନା ଅନୁସାରେ, ଚକ୍ରଧରନଗର ପୁଲିସ୍ ବ୍ରଜରାଜନଗର ଆସି ଛାନ୍‌ଭିନ୍ ଆରମ୍ଭ କରିଥିଲା। ୨୦୧୯ ମସିହାରେ ପୁଲିସ୍ ଏହି ଘଟଣାରେ ଶାସକ ଦଳର ନେତା ତଥା ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା।