ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବ। ୧୨ ତାରିଖରେ ବିଜେପି ଓଡ଼ିଶାରେ ସରକାର ଗଢ଼ିବାକୁ ଯାଉଥିବାରୁ ୪ ଦିନ ମଧ୍ୟରେ ଚାରିଦ୍ବାର ଖୋଲିବା ନେଇ ବିଜେପିର ତୁଙ୍ଗ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ଏହିଦୃଷ୍ଟିରୁ ୧୩ ତାରିଖ ବେଳକୁ ଭକ୍ତମାନଙ୍କ ପ୍ରବେଶ ଲାଗି ଚାରିଦ୍ବାରରେ କୌଣସି ପ୍ରତିବନ୍ଧକ ନଥିବ। ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଆଜି ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀବୃନ୍ଦ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସମ୍ଭବତଃ ଏ ସମ୍ପର୍କିତ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ କ୍ଷେତ୍ର ପ୍ରସ୍ତୁତ କରୁଥିବା କୁହାଯାଉଛି। କୋଭିଡ ପୂର୍ବରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ଚାରିଦ୍ବାରରେ ଉନ୍ମୁକ୍ତ ଥିଲା। କୋଭିଡ ଯୋଗୁ ଭକ୍ତଙ୍କ ପ୍ରବେଶରେ ରୋକ୍ ଲାଗିଥିଲା।
କୋଭିଡ୍ କୋପ ଦୂର ହେବାପରେ ମଧ୍ୟ ସରକାର ସିଂହଦ୍ବାର ବ୍ୟତୀତ ଅନ୍ୟ କୌଣସି ଦ୍ବାର ଦେଇ ପ୍ରବେଶ ପାଇଁ ଅନୁମତି ଦେଇନଥିଲେ। ଭକ୍ତଙ୍କୁ କେବଳ ଗୋଟିଏ ଦ୍ବାର ଦେଇ ପ୍ରବେଶ ସୁଯୋଗ ମିଳୁଥିବାରୁ ବହୁଭକ୍ତଙ୍କୁ ଲମ୍ବା ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ୁଥିଲା। ଯେଉଁଥିପାଇଁ ଶ୍ରୀମନ୍ଦିର ଚାରିଦ୍ବାରରେ ଭକ୍ତଙ୍କ ପ୍ରବେଶ ଦାବି ନେଇ ବହୁଦିନ ହେଲା ଦାବି ହୋଇ ଆସୁଥିଲା। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଗତବର୍ଷ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିବାପରେ ଗତବର୍ଷ ଜୁଲାଇ ୨୪ ତାରିଖରେ କେବଳ ପୁରୀ ସହରବାସୀଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲିଥିଲା। ତେବେ, ଚାରିଦ୍ବାର ଖୋଲିବା ନେଇ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷ ବାରମ୍ବାର ଦାବି କରି ଆସୁଛନ୍ତି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କମ୍ଦିନ ମଧ୍ୟରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବ। ସିଂହଦ୍ବାର ବ୍ୟତୀତ ଅନ୍ୟ ଦ୍ବାରରେ ପ୍ରବେଶ ପାଇଁ ୩ ଥାକିଆ ଧାଡ଼ି ବ୍ୟବସ୍ଥା କରାଯିବ। ଜିଗଜାଗ୍ ବ୍ୟାରିକେଡ ସହ ୧୦୦ ଫୁଟର ସେଡ୍ ବ୍ୟବସ୍ଥା ରହିବ। ଭକ୍ତମାନଙ୍କ ପାଇଁ ସମସ୍ତ ଦ୍ବାର ଉନ୍ମୁକ୍ତ ରହିବ। ଏନେଇ ଏଡିଏମ୍ (ରାଜସ୍ବ) କୈଳାସ ଚନ୍ଦ୍ର ନାୟକ କହିଛନ୍ତି, ଆମକୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ଦେଖିବା ପାଇଁ ନିର୍ଦ୍ଦେଶ ଥିଲା। ତେଣୁ ଚାରିଦ୍ବାର ବୁଲି କେବଳ ସ୍ଥିତି ପରଖିଥିଲୁ। ତେବେ ଚାରିଦ୍ବାର ଖୋଲିବା ପ୍ରସଙ୍ଗରେ ସେ ମତ ରଖିନାହାନ୍ତି। ଅପରପକ୍ଷେ ଚାରିଦ୍ବାର ଖୋଲିବା ନେଇ କୌଣସି ବୈଠକ କିମ୍ବା ନିଷ୍ପତ୍ତି ହୋଇନାହିଁ। ଏନେଇ ନିଷ୍ପତ୍ତି ନେବା ପାଇଁ ସେ ଅଧିକୃତ ନୁହନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ।