ଭୁବନେଶ୍ବର: ଲମ୍ବା ହେଉଛି ‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି’ ପୁରସ୍କାର ତାଲିକା। ପୂର୍ବରୁ ୧୭ଟି ବିଭାଗରେ ପୁରସ୍କାର ଦେଉଥିବା ଏକାଡେମି ଏବେ ଆଉ ୧୭ଟି ବିଭାଗ ପୁରସ୍କାରକୁ ତା'ର ତାଲିକାରେ ଯୋଡ଼ିଛି। ଫଳରେ ସମୁଦାୟ ୩୪ଟି ବିଭାଗରେ ଏବେଠାରୁ ଏକାଡେମି ପକ୍ଷରୁ ପୁରସ୍କାର ଦିଆଯିବ। ପୂର୍ବରୁ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ମାନରାଶି ପ୍ରଦାନ କରାଯାଉଥିଲା। ସେହିଭଳି ଏବେ ଜାତୀୟସ୍ତରରେ ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବରିଷ୍ଠ କଳାକାରଙ୍କୁ ଦିଆଯିବ ‘ଜାତୀୟ କଳିଙ୍ଗ କଳା ସମ୍ମାନ’। ଏହି ପୁରସ୍କାରର ମାନଦେୟ ରାଶି ମଧ୍ୟ ୫ ଲକ୍ଷ ଟଙ୍କା ରହିବ। ଏହା ଫଳରେ କଳିଙ୍ଗ ଦେଶ ଯେ କଳାର ଉପାସକ ଓ ଓଡ଼ିଶା ନିଜ ରାଜ୍ୟର କଳା, ସଂସ୍କୃତି ସହ ଅନ୍ୟ ରାଜ୍ୟର କଳା ଓ ସଂସ୍କୃତିକୁ ସମାନ ଭାବେ ସମ୍ମାନ ପ୍ରଦର୍ଶନ କରୁଛି, ସେଇ ବାର୍ତ୍ତା ଜାତୀୟସ୍ତରକୁ ଯିବ ବୋଲି ଏକାଡେମିର ସଚିବ ପ୍ରବୋଧ ରଥ କହିଛନ୍ତି।
ଅନେକ ସମୟରେ ଏକାଡେମିର ସର୍ବୋଚ୍ଚ ସମ୍ମାନ ‘କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ’ରୁ ବଞ୍ଚିତ ହୋଇ ଯାଉଥିବା ପ୍ରବୀଣ କଳାକାରମାନଙ୍କୁ ମଧ୍ୟ ଏକାଡେମି ସମ୍ବର୍ଦ୍ଧିତ କରିବ। ନୃତ୍ୟ, ସଙ୍ଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତି କ୍ଷେତ୍ରରୁ ୨ ଜଣ ଲେଖାଏଁ ସମୁଦାୟ ୮ ଜଣ ବରିଷ୍ଠ କଳାକାରଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯିବ। ତେବେ ଏହି କଳାକାରମାନଙ୍କ ବୟସ ୫୫ ବର୍ଷ ବା ଅଧିକ ହୋଇଥିବା ଆବଶ୍ୟକ। ପୁଣି ଏହି ୪ ବିଭାଗର ପ୍ରତି ବିଭାଗରୁ ଅନ୍ୟୂନ ୭ ଜଣ କଳାକାର ଆବେଦନ ତାଲିକାରେ ରହୁଥିବାର ମଧ୍ୟ ଆବଶ୍ୟକତା ରହିଛି। ଏହି ପୁରସ୍କାରର ମାନ ଦେୟ ରାଶି ୧ ଲକ୍ଷ ଟଙ୍କା ରହିବ।
ସେହିଭଳି ସଙ୍ଗୀତ ବିଭାଗରେ ପୂର୍ବରୁ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ସମ୍ମାନ (ସୁନନ୍ଦା ସମ୍ମାନ), ଓଡ଼ିଶୀ କଣ୍ଠ ସଙ୍ଗୀତ ଓ ସୁଗମ ସଙ୍ଗୀତ ଆଦି ୩ଟି ବର୍ଗରେ ପୁରସ୍କାର ଦିଆଯାଉଥିଲା। ଏବେ ଏହି ତାଲିକାରେ ‘ଭକ୍ତି ସଙ୍ଗୀତ’ ଓ ‘ସଙ୍ଗୀତ ନିର୍ଦ୍ଦେଶକ’ ସମ୍ମାନ ଯୋଡ଼ି ହୋଇଛି। ଭକ୍ତି ସଙ୍ଗୀତର ଆଦର ଓ ପ୍ରସ୍ତୁତି ବଢ଼ାଇବା ପାଇଁ ତଥା ଭଜନ କଣ୍ଠଶିଳ୍ପୀଙ୍କୁ ପ୍ରୋତ୍ସାହିତ କରିବାକୁ ଦିଆଯିବ ‘ଭକ୍ତି ସଙ୍ଗୀତ ସମ୍ମାନ’। ସଙ୍ଗୀତ ନିର୍ଦ୍ଦେଶକମାନଙ୍କୁ ଆଗରୁ କୌଣସି ସମ୍ମାନ ଦିଆଯାଉନଥିଲା। ଏନେଇ ଦାବି ଜୋର୍ ଧରିଥିଲା। ସଙ୍ଗୀତ ନିର୍ଦ୍ଦେଶନାର ଗୁରୁତ୍ବକୁ ଅନୁଭବ କରି ଏକାଡେମି ନିଜ ପୁରସ୍କାର ତାଲିକାରେ ଏଥର ଯୋଡ଼ିଛି ‘ସଙ୍ଗୀତ ନିର୍ଦ୍ଦେଶକ ସମ୍ମାନ’। ଉଭୟ ସମ୍ମାନ ବାବଦକୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରୁସ୍କାର ରାଶି ପ୍ରଦାନ କରାଯିବ।
ଲମ୍ବୁଛି ‘ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି’ ପୁରସ୍କାର ତାଲିକା
ଜାତୀୟ ପାରଦର୍ଶୀ କଳାକାର ପାଇବେ ‘ଜାତୀୟ କଳିଙ୍ଗ କଳା ସମ୍ମାନ’, ପୁରସ୍କାର ରାଶି ରହିବ ୫ ଲକ୍ଷ
ପ୍ରତିବର୍ଷ ୮ ପ୍ରବୀଣ କଳାକାର ପାଇବେ ‘ବରିଷ୍ଠ କଳାକାର ସମ୍ବର୍ଦ୍ଧନା’
ଯୋଡ଼ି ହେଲା ‘ଭକ୍ତି ସଙ୍ଗୀତ’ ଓ ‘ସଙ୍ଗୀତ ନିର୍ଦ୍ଦେଶକ’ ସମ୍ମାନ
ମଞ୍ଚକଳା କ୍ଷେତ୍ରରେ ପୂର୍ବରୁ ଗୋଟିଏ ପୁରସ୍କାର ପ୍ରଦାନ କରାଯାଉଥିଲା। ଏବେ ରୂପସଜ୍ଜା, କେଶ ବିଦ୍ୟାସ ଓ ମଞ୍ଚ ପ୍ରସ୍ତୁତିକୁ ନେଇ ଏକ ‘ମଞ୍ଚକଳା ସମ୍ମାନ’ ପ୍ରଦାନ କରାଯିବ। ପୁରସ୍କାର ରାଶି ରହିବ ୨ ଲକ୍ଷ ଟଙ୍କା। ସେହିଭଳି ‘ଶବ୍ଦ ଓ ଆଲୋକ’କୁ ନେଇ ମଞ୍ଚକଳା ପାଇଁ ଆଉ ଏକ ସମ୍ମାନ ପ୍ରଦାନ କରାଯିବ। ଏହା ମଧ୍ୟ ୨ ଲକ୍ଷ ଟଙ୍କାର ରହିବ। ପୁଣି କଳା ପ୍ରଦର୍ଶନ କ୍ଷେତ୍ରରେ ଗବେଷକ, କଳା ସଂଗଠନ ଓ କଳା ସଂଗଠନକୁ ମଧ୍ୟ ‘କଳା କ୍ଷେତ୍ରରେ ପାଣ୍ଡିତ୍ୟ ସମ୍ମାନ’ ପ୍ରଦାନ କରାଯିବ। ଏହାର ପୁରସ୍କାର ରାଶି ମଧ୍ୟ ୨ ଲକ୍ଷ ରହିବ। ଯନ୍ତ୍ର ସଙ୍ଗୀତରେ ପୂର୍ବରୁ ‘ଆନଦ୍ଧ ବାଦ୍ୟ’ ଓ ‘ସୁଶୀର ବାଦ୍ୟ’ ଆଦି ଦୁଇ ବିଭାଗରେ ଦୁଇଟି ପୁରସ୍କାର ଦିଆଯାଉଥିଲା। ଏବେ ‘ସୁଶୀର ବାଦ୍ୟ ବିଭାଗର ପୁରସ୍କାର’ ପୂର୍ବବତ୍ ରହିଥିବା ବେଳେ ‘ଆନଦ୍ଧ ବାଦ୍ୟ (ଶାସ୍ତ୍ରୀୟ)’ ବର୍ଗରେ ‘ତବଲା’ ଓ ‘ମର୍ଦ୍ଦଳ’ ପାଇଁ ଭିନ୍ନ ଭିନ୍ନ ଭାବେ ୨ଟି ପୁରସ୍କାର ଦିଆଯିବ। ସେହିଭଳି ଆନଦ୍ଧ ବାଦ୍ୟ (ଲୋକବାଦ୍ୟ) ବର୍ଗରେ ‘କିରଣ ଯୁକ୍ତ’ ଓ ‘କିରଣ ବିଯୁକ୍ତ’ ୨ଟି ପୁରସ୍କାର ଦିଆଯିବ। ଅର୍ଥାତ ଯନ୍ତ୍ର ସଙ୍ଗୀତରେ ୫ଟି ବିଭାଗରେ ୨ ଲକ୍ଷ ଟଙ୍କା ଲେଖାଏଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ପୂର୍ବରୁ ଲୋକସଙ୍ଗୀତରେ ମାତ୍ର ଗୋଟିଏ ପୁରସ୍କାର ପ୍ରଦାନ କରାଯାଉଥିଲା। ଏବେ ପାଲା କିମ୍ବା ଦାସକାଠିଆ ପାଇଁ ପୁରସ୍କାର ଦିଆଯିବ। ସେହିଭଳି ମଞ୍ଚ ଅଭିନୟରେ ପୂର୍ବରୁ ଦୁଇଟି ପୁରସ୍କାର ଥିଲା। ଏବେ ଆଉ ଏକ ଅଭିନୟ ପୁରସ୍କାର ଯୋଡ଼ି ହୋଇଛି। ଉଭୟ ପୁରସ୍କାର ରାଶି ୨ ଲକ୍ଷ ଟଙ୍କା ଲେଖାଏଁ ରହିବ।
ଏଠାରେ ସୂଚନାଯୋଗ୍ୟ, ଗତବର୍ଷଠାରୁ ବିଭିନ୍ନ ଯୁବ ପ୍ରତିଭାକୁ ଏକାଡେମି ପକ୍ଷରୁ ସମ୍ବର୍ଦ୍ଧିତ କରାଯିବାକୁ ‘କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ’ ଆରମ୍ଭ କରାଯାଇଛି। ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯାଉଛି। ସାଧାରଣ ପରିଷଦରେ ୩୦ ଜିଲ୍ଲାରୁ ରହିବେ ଜଣେ ଜଣେ କଳାକାର
ଓଡ଼ିଶା ସାହିତ୍ୟ ଏକାଡେମି ଢାଞ୍ଚାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସାଧାରଣ ପରିଷଦ ଗଠନ ହେବ। ୩୦ ଜିଲ୍ଲାରୁ ଜଣେ ଜଣେ ଲେଖାଏଁ କଳାକାର ଏହି ପରିଷଦର ସଦସ୍ୟ ରହିବେ। ଏନେଇ ପ୍ରତି ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରୁ ୪ ଜଣ ଲେଖାଏଁ କଳାକାରଙ୍କ ନାମ ଏକାଡେମି କର୍ତୃପକ୍ଷଙ୍କୁ ପଠାଇବେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏଠାରେ ବଛାଯିବ। ଆସନ୍ତା ଡିସେମ୍ବରରେ ଏକାଡେମିର ସାଧାରଣ ପରିଷଦ କାର୍ଯ୍ୟକାଳ ଶେଷ ହେଉଥିବାରୁ, ପରବର୍ତ୍ତୀ ସାଧାରଣ ପରିଷଦ ଏହିଭଳି ଭାବେ ଗଠିତ ହେବ ବୋଲି ଏକାଡେମିର ସଚିବ ଶ୍ରୀ ରଥ ସୂଚନା ଦେଇଛନ୍ତି।