ଭଞ୍ଜନଗର ଉପଖଣ୍ଡର ୧୫୨ ଗ୍ରାମର ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର ଯୋଜନା

ବର୍ଷା ହେଲେ ଥଇଥାନ ପାଇଁ ୨୪୮ଟି ଆଶ୍ରୟ ସ୍ଥଳ ପ୍ରସ୍ତୁତ

ଭଞ୍ଜନଗର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା‌େ ଘୃର୍ଣ୍ଣି ବଳୟ ଫଳରେ ଲଗାଣ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହାକୁ ମୁକାବିଲା କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର୍‌ ପ୍ରସ୍ତୁତି ଆରମ୍ଭ କରାଯାଇଛି। ବନ୍ୟାରେ ବିଚ୍ଛିନ୍ନ ଆଶଙ୍କା ଥିବା ଗ୍ରାମ ଗୁଡିକରେ ଲୋକମାନଙ୍କୁ ସତର୍କ ରହିବା ପାଇଁ କହିବା ସହ କଚ୍ଚା ଓ ଦୁର୍ବଳ ଘରେ ନରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ପ୍ରବଳ ବର୍ଷା ହେବାକୁ ଥିବା ‌ବେଳେ ବର୍ତ୍ତମାନ ସୁଦ୍ଧା ପାଗ ଶୁଖିଲା ରହିଥିବା ବେଳେ ସଂନ୍ଧ୍ୟା ସମୟ ଠାରୁ ପବନ ବହିବା ସହ ସାମାନ୍ୟ ବର୍ଷା ହୋଇଥିବା ବେଳେ ଆଗକୁ ବର୍ଷ ହେବାର ଆଶଙ୍କା ଦେଖା ଦେଇଛି। ପାଗରେ ପରିବର୍ତ୍ତନ ହେବା ସହ କେଉଁ ମୁହୂର୍ତ୍ତରେ ମଧ୍ୟ ବର୍ଷା ଆରମ୍ଭ ହୋ‌ଇପାରେ ବୋଲି ଅନୁମାନ କରାଯାଉଛି। ଆଗୁଆ ସତର୍କତା ଅବଲମ୍ବନ ଗ୍ରହଣ କରାଯିବା ସହ ନଦୀ ନାଳରେ ବର୍ତ୍ତମାନ ପାଣି ଭରି ରହିଥିବାରୁ ଲଗାଣ ବର୍ଷା ହେଲେ ବନ୍ୟା ସ୍ଥିତି ଉପୁଜିବ। ତେଣୁ ନଈକୂଳିଆ ଲୋକମାନଙ୍କୁ ବନ୍ୟା ପରିସ୍ଥିତି ଉପୁଜିଲେ ଅସ୍ଥାୟୀ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଭଞ୍ଜନଗର ଉପଖଣ୍ଡରେ ୨୪୮ ଟି ଅସ୍ଥାୟୀ ଆଶ୍ରୟ ସ୍ଥଳ ପ୍ରସ୍ତୁତ କରାଯାଇଛି। ସେଠାରେ ଲୋକ ମାନଙ୍କୁ ରହିବା ସହ ରନ୍ଧା ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଛି।

ବନ୍ୟା ପାଣି ଆସିଲେ ଉପଖଣ୍ଡର ୧୫୨ଟି ଗ୍ରାମରୁ ୧୧ ହଜାର ୧୭୩ ଜଣ ଲୋକଙ୍କୁ ଆସ୍ଥାୟୀ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଇଛି। ଭଞ୍ଜନଗର ଉପଖଣ୍ଡର ଆସିକା‌ ବ୍ଳକ୍‌ର ୬୦ ଗ୍ରାମର ୩୦୦୦ ଲୋକଙ୍କୁ ୧୬୦ ଗୋଟି ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍‌ର ୧୬ଟି ଗ୍ରାମର ୧୫୮୦ ଲୋକଙ୍କୁ ୧୬ଟି ଆଶ୍ରୟ ସ୍ଥଳ, ଭଞ୍ଜନଗରର ୧୪ଟି ଗ୍ରାମର ୧୨୫୦ ଲୋକଙ୍କୁ ୧୫ଟି ଆଶ୍ରୟ ସ୍ଥଳ, ବୁଗୁଡ଼ାର ୮ଟି ଗ୍ରାମର ୪୦୦ ଲୋକଙ୍କୁ ୮ଟି ଆଶ୍ରୟ କେନ୍ଦ୍ର, ଧରାକୋଟ ୧୨ଟି ଗ୍ରାମର ୧୩୮୮ ଲୋକଙ୍କୁ ୧୧ଟି ଆଶ୍ରୟ କେନ୍ଦ୍ର, ଜଗନ୍ନାଥପ୍ରସାଦ ୮ଟି ଗ୍ରାମର ୧୦୦ ଜଣ ଲୋକଙ୍କୁ ୬ଟି ଆଶ୍ରୟ କେନ୍ଦ୍ର, ଶେରଗଡ ୨୨ଟି ଗ୍ରାମର ୨୭୬୫ ଜଣ ଲୋକଙ୍କୁ ୨୨ଟି ଆଶ୍ରୟ କେନ୍ଦ୍ର ଏବଂ ସୋରଡ଼ାର ୧୨ଟି ଗ୍ରାମର ୬୯୦ ଜଣ ଲୋକଙ୍କୁ ୧୦ଟି ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଇଥିବା ଜଣାପଡିଛି।

ବର୍ଷା ଦ୍ୱାରା ବନ୍ୟା ଆଶଙ୍କା ରହିଥିବାରୁ ବିଭିନ୍ନ ବ୍ଳକ୍‌ରେ ସ୍ୱତନ୍ତ୍ର ନୋଡାଲ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ଏହାକୁ ମୁକାବିଲା କରିବା ପାଇଁ ପ୍ରଶାସନ ସଂପୂର୍ଣ୍ଣ ସଜାଗ ରହିଥିବା ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ କହିଛନ୍ତି। ବନ୍ୟାସ୍ଥିତି ଉପୁଜିଲେ ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ସହ ପ୍ରଶାସନିକ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର