ଭୁବନେଶ୍ବରରୁ ପୁନେକୁ ଉଡ଼ିଲା ବିମାନ, ସପ୍ତାହକୁ ୬ଦିନ ଉଡ଼ାଣ କରିବ

ଭୁବନେଶ୍ବର : ରବିବାରଠାରୁ ଭୁବନେଶ୍ବରରୁ ପୁନେକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ପୁନେକୁ ବିମାନ ସେବା ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିବା ପରେ ଏବେ ନିଜେ ସବ୍‌ସିଡି ଦେଇ ବିମାନ ସେବା ଆରମ୍ଭ କରିଛନ୍ତି। ଏୟାର ଏସିଆ (ଇଣ୍ଡିଆ) ଲିମିଟେଡ କମ୍ପାନି ଭୁବନେଶ୍ବରରୁ ପୁନେକୁ ବିମାନ ଉଡ଼ାଣ ପାଇଁ ପ୍ରାୟ ୫୦ହଜାର ଟଙ୍କା ଉଡ଼ାଣ ପିଛା ସବ୍‌ସିଡି ନେବ ବୋଲି ଜଣାପଡ଼ିଛି।

ଆଜି ଅପରାହ୍ନରେ ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଭୁବନେଶ୍ବର ବିମାନବନ୍ଦରରେ ଏହି ଉଡ଼ାଣର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବର-ପୁନେ ମଧ୍ୟରେ ବିମାନ ସେବା ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ସମୃଦ୍ଧ କରିବା ସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ, ଏୟାର ଏସିଆ (ଇଣ୍ଡିଆ) ଲିଃର ବାଣିଜ୍ୟିକ ମୁଖ୍ୟ ଅଙ୍କୁର ଗର୍ଗ, ଗ୍ରାଉଣ୍ଡ ଅପରେସନ ମୁଖ୍ୟ ସଲିମ୍‌ ‌ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଏହି ବିମାନ ଭୁବନେଶ୍ବର ବିମାନବନ୍ଦରରୁ ଅପରାହ୍ନ ୧ଟା ୫୦ରେ ଛାଡ଼ି ପୁନେରେ ଅପରାହ୍ନ ୩ଟା ୫୫ରେ ଅବତରଣ କରିବ। ପୁନେରୁ ଅପରାହ୍ନ ୪ଟା ୩୫ରେ ଛାଡ଼ି ଭୁବନେଶ୍ବରରେ ସଂଧ୍ୟା ୬ଟା ୪୦ରେ ପହଞ୍ଚିବ। ପ୍ରତି ସପ୍ତାହରେ ଶନିବାର ବ୍ୟତୀତ ଅନ୍ୟ ୬ଦିନ ଏହି ବିମାନ ସେବା ଉପଲବ୍ଧ ହେବ ବୋଲି ଏୟାର ଏସିଆ (ଇଣ୍ଡିଆ) ଲିଃ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର