୨୦୨୨ ଶେଷ ସୁଦ୍ଧା ରାଉରକେଲାରୁ ଉଡ଼ିବ ବିମାନ, ନିର୍ମାଣ ଚାଲିଛି ଟ୍ୟାକ୍ସି ୱେ ଓ ଆପ୍ରୋନ୍‌

ଟର୍ମିନାଲ ବିଲ୍‌ଡିଂରେ ଲାଗିଲା ଏକ୍ସ-ରେ, ଲଗେଜ୍‌ ସ୍କାନର

ରାଉରକେଲା : ସ୍ମାର୍ଟସିଟି ରାଉରକେଲାରେ ୨୦୨୩ରେ ହେବାକୁ ଯାଉଛି ହକି ବିଶ୍ୱକପ୍‌। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପରିସରରେ ୧୩୦ କୋଟି ବ୍ୟୟରେ ନିର୍ମାଣ ଚାଲିଛି ଦେଶର ସର୍ବବୃହତ ଅତ୍ୟାଧୁନିକ ହକି ଷ୍ଟାଡିୟମ। ଏହା ପୂର୍ବରୁ ରାଉରକେଲା ବିମାନ ବନ୍ଦରରୁ ଦୈନିକ ବିମାନ ସେବା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରୟାସ। ର‌ନୱେ କ୍ଷମତା ବଢ଼ାଯିବା ପରେ ୪୮ ନୁହେଁ ୭୨ ସିଟ୍‌ ବିଶିଷ୍ଟ ବିମାନ ଉଡ଼ିବ। ପୂର୍ବରୁ ୬୦୦୦ ଫୁଟ୍‌ ରନୱେର କାର୍ପେଟିଂ ସହ ଅନ୍ୟାନ୍ୟ କାମ ଶେଷ ହୋଇଛି। ଏକକାଳୀନ ୪ରୁ ଅଧିକ ବିମାନ ରହିବାର ବ୍ୟବସ୍ଥା କରାଯାଉଛି। ଏଥିସକାଶେ ନିର୍ମାଣ ଚାଲିଛି ଟ୍ୟାକ୍ସି ୱେ ଓ ଆପ୍ରୋନ୍‌। ନିର୍ମାଣକାମର ତଦାରଖ କରୁଛନ୍ତି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଦୁଇଜଣ ଅଧିକାରୀ।

ବିମାନ ବନ୍ଦର ପ୍ରବେଶ ପଥର ଡାହାଣ ପାର୍ଶ୍ବ ପଡ଼ିଆରେ ଦୁଇଟି ଟ୍ୟାକ୍ସି ୱେ ନିର୍ମାଣ କାମ ଜୋରସୋରରେ ଚାଲିଛି। ଯେଉଁଠି ଏକକାଳୀନ ୩ଟି ବିମାନ ପାର୍କିଂ କରିପାରିବ। ପୂର୍ବରୁ ବିମାନ ବନ୍ଦର ପରିସରରେ ଗୋଟିଏ ଟ୍ୟାକ୍ସି ୱେ ରହିଥିଲା। ଭିଭିଆଇପିମାନେ ଆସୁଥିବାବେଳେ ବିମାନ ପାର୍କିଂ ପାଇଁ ଅସୁବିଧା ଉପୁଜିଥିଲା। ଏଥିସହ ଟର୍ମିନାଲ ବିଲ୍‌ଡିଂର ଏକ୍ସ-ରେ, ଲଗେଜ୍‌ ସ୍କାନର ଓ ମେଟାଲ ଡିଟେକ୍ଟର ଲଗାଇବା କାମ ଜାରି ରହିଛି। ଆଗାମୀ ମେ’ ୨୦୨୨ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଇଛି ବୋଲି ଦାୟିତ୍ବରେ ଥିବା ଅଧିକାରୀ ଜଣକ କହିଛନ୍ତି। ଅର୍ଥାତ୍‌ ମେ ସୁଦ୍ଧା ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ ହେବାର ୨/୩ ମାସ ପରେ ରାଉରକେଲାର ଦୈନିକ ବିମାନ ସେବା ଆରମ୍ଭ ହୋଇଯିବା ଏକ ପ୍ରକାର ନିଶ୍ଚିତ। ଏୟାର ଡେକାନ୍‌, ଏୟାର ଇଣ୍ଡିଆ, ସ୍ପାଇସ୍‌ ଜେଟ୍‌ ଓ ଏୟାର ଆଲିଆନ୍ସ ସମେତ ଅନ୍ୟାନ୍ୟ ବିମାନ ସେବା କମ୍ପାନି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି ବୋଲି ଜଣାପଡିଛି।

ଗତ ନଭେମ୍ବର ୨୦୨୦ରେ ଏୟାର ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ)ର ନିର୍ବାହୀ ନିର୍ଦ୍ଦେଶକ (ଇଂଞ୍ଜିନିୟରିଂ) ଏସ୍‌. ଶ୍ରୀ କୁମାରଙ୍କ ନେତୃତ୍ବରେ ମନୋଜ ଗଙ୍ଗାଲ, ଜିଏମ୍‌ (ଇଞ୍ଜିନିରିଂ) ଏସ୍‌ଏଚ୍‌. ୟାଦିହ, ଜି.ଜି. ଥାକରନ୍‌, ଝାରସୁଗୁଡା ଏୟାର ପୋର୍ଟର ନୋଡାଲ ଅଫିସର କେ.କେ. ସେନାପତି, ଭୁବନେଶ୍ବର ଏୟାର ଅଥରିଟି ଅଫ୍‌ ଇଣ୍ଡିଆର ଏଜିଏମ୍‌ (ଏଟିସି) ସରୋଜ କୁମାର ସାହୁ, ବିନୟ ପ୍ରକାଶ ପ୍ରମୁଖ ରାଉରକେଲା ପରିଦର୍ଶନରେ ଆସିଥିଲେ। ଘରୋଇ ଉଡାଣ କମ୍ପାନୀଏୟାର ଏଲିୟାନ୍ସର କ୍ୟାପଟେନ୍‌ ନବିନ୍‌ ଗ୍ରେଗ୍‌, ଭିଏସ୍‌ଏସ୍‌ ଏୟାର ପୋର୍ଟର ଅଭଜିତ ଶତପଥୀ, ସଞ୍ଜିବ କୁମାର, ସିକ୍ୟୁରିଟି ଅଫିସର ରାଜ ସିଂହ, ସୋନତ ଡିଗ୍‌ଲ। କେନ୍ଦ୍ରୀୟ ଟିମ୍‌ ସହ ଜିଲ୍ଲା ପ୍ରଶାସନ ଓ ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀମାନେ ବିମାନ ବନ୍ଦର ଆନୁଷଙ୍ଗିକ ବ୍ୟବସ୍ଥା, ପାରିପାର୍ଶ୍ବିକ ସ୍ଥିତି, ଭିତ୍ତିଭୂମି ବୁଲି ଦେଖିଥିଲେ। ଏଥିସହ ସମ୍ପ୍ରସାରଣ ରନୱେ, ଭିଆଇପି ଲଞ୍ଜ, ଇନ୍ଧନ ସେଣ୍ଟର, ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏୟାର ଏଲିଆନ୍ସ କମ୍ପାନୀର ଅଧିକାରୀମାନେ ର‌ନୱେ ବୁଲି ଦେଖିବା ସହ ୭୨ ଆସନ ବିଶିଷ୍ଟ ବିମାନ ଅବତରଣ କରି ପାରିବ ବୋଲି କହିଥିଲେ। ୨୦୧୮ ଏପ୍ରିଲରେ ରାଉରକେଲା ଏୟାର ପୋର୍ଟକୁ ବାଣିଜ୍ୟିକ ବିମାନ ବନ୍ଦର କରିବାକୁ ସେଲ୍‌ ଓ ଏୟାର ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ) ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ପୁଣି ୨୦୧୯ ଜାନୁଆରିରେ ଡିଜିସିଏ ପକ୍ଷରୁ ରାଉରକେଲା ଏୟାରପ‌ୋର୍ଟକୁ ବାଣିଜ୍ୟିକ ଲାଇସେନ୍ସ ମିଳିଥିଲା। ବିମାନ ବନ୍ଦର ପାଇଁ ଆମ୍ବୁଲାନ୍ସ ସେବା, ସୁରକ୍ଷା କର୍ମୀଙ୍କ ସହ ଅଗ୍ନିଶମ ସହ ଯୋଗାଇ ଦେବାକୁ ଓଡ଼ିଶା ସରକାରଙ୍କୁ କୁହାଯାଇଛି।

indianexpress.com

ଉଲ୍ଲେଖଯୋଗ୍ୟ, ୨୦୧୭ ସେପ୍ଟେମ୍ବରରୁ ରାଉରକେଲା ବିମାନ ବନ୍ଦର ‘ଉଡାନ’ ଯୋଜନା ନାଁରେ ସାମିଲ ହୋଇଥିଲା। ଏୟାର ଡେକାନ୍‌, ଏୟାର ଓଡ଼ିଶା ଓ ଏୟାର ଆଲିଆନ୍ସ ସମେତ ଅନ୍ୟାନ୍ୟ ବିମାନ ସେବା କମ୍ପାନି ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଉରକେଲାରୁ କଲିକତା, ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା ଦେବା ମାମଲାରେ ଅନିଚ୍ଛା ପ୍ରକାଶ କରିଥିଲେ। ବ୍ୟବସାୟିକ ଦୃଷ୍ଟିକୋଣରୁ ବିମାନ ସେବା କମ୍ପାନୀଗୁଡ଼ିକ ୨୨ ଆସନ ବିଶିଷ୍ଟ ବିମାନ ପାଇଁ ଅରାଜି ହେବାରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପୂର୍ବ ନିଷ୍ପତ୍ତିରୁ ଓହରି ଯାଇଥିଲେ। ଏବେ ୭୨ ସିଟ୍‌ ବିଶିଷ୍ଟ ବିମାନ ଅବତରଣ କରିବାର ‌ବୋଲି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ସବୁଜ ସଙ୍କେତ ଦେବା ପରେ ୨୦୨୨ ଶେଷ ଆଡକୁ ରାଉରକେଲାରୁ କଲିକତା, ରାୟପୁର, ଭୁବନେଶ୍ବର ସମେତ ବାଙ୍ଗାଲୋରକୁ ବିମାନ ସେବା ଆରମ୍ଭ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର