ସମ୍ବଲପୁର : ବୁର୍ଲାର ଡା. ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ଖୋଲିଛି। ସବୁ ବ୍ୟବସ୍ଥିତ ହେବା ପରେ ବୁଧବାର ସନ୍ଧ୍ୟା ୫ଟା ପରେ ପର୍ଯ୍ୟଟକମାନେ ପ୍ଲାନେଟାରିୟମ୍‌ ସୋ’ ଦେଖିବାକୁ ସୁଯୋଗ ପାଇଥିଲେ। ସୂଚନାଯୋଗ୍ୟ, ୟୁପିଏସ୍‌ ଖରାପ ଥିବା କାରଣ ଦର୍ଶାଯାଇ ପ୍ଲାନେଟାରିୟମ୍‌କୁ ଡିସେମ୍ବର ୧୭ ତାରିଖରୁ ବନ୍ଦ କରି ଦିଆଯାଇଥିଲା। ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ହୀରାକୁଦ, ବୁର୍ଲା ଆସୁଥିବା ହଜାର ହଜାର ପର୍ଯ୍ୟଟକ ପ୍ଲାନେଟାରିୟମ୍‌ ସୋ’ ଦେଖିବାରୁ ବଞ୍ଚିତ ରହୁଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

Advertisment

ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ଲାନେଟାରିୟମ୍‌ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିବା ସହ ଖରାପ ଥିବା ଜିନିଷଗୁଡ଼ିକର ମରାମତି କରିଥିଲେ। ମରାମତି ଶେଷ ହେବା ପରେ ବୁଧବାର ସନ୍ଧ୍ୟା ୫ଟାରେ ପ୍ରଥମ ସୋ’ ପର୍ଯ୍ୟଟକମାନେ ଦେଖିଥିଲେ। ବୁଧବାର ମୋଟ ଉପରେ ୪ଟି ସୋ’ ହୋଇଥିବା ବେଳେ ୪୫୭ ଜଣ ପର୍ଯ୍ୟଟକ ସୋ’ ଦେଖିଥିଲେ। ଗୁରୁବାର ଅପରାହ୍ଣ ୨ଟାରୁ ସୋ’ ଆରମ୍ଭ ହୋଇଥିଲା। ଗୁରୁବାର ମୋଟ ୭ଟି ସୋ’ ହୋଇଥିବା ବେଳେ ୫୫୮ ଜଣ ପର୍ଯ୍ୟଟକ ସୋ’ ଦେଖିଥିଲେ। ତେବେ ପର୍ଯ୍ୟଟକ ହେଲେ(ଅତି କମ୍‌ରେ ୩୦ ଜଣ) ସକାଳ ୮ଟାରୁ ସୋ’ ହେବ ବୋଲି ପ୍ଲାନେଟାରିୟମ୍‌ କର୍ତ୍ତୃପକ୍ଷ କହିଛନ୍ତି। ବର୍ତ୍ତମାନ ପ୍ଲାନେଟାରିୟମ୍‌ ସୋ’ ଟିକଟ୍‌ ଦର ଶିଶୁମାନଙ୍କ ପାଇଁ ୨୦ ଟଙ୍କା ରହିଥିବା ବେଳେ ବୟସ୍କଙ୍କ ପାଇଁ ୩୦ ଟଙ୍କା ରହିଛି। ସ୍କୁଲ୍‌ ପିଲାମାନଙ୍କ ପାଇଁ ଟିକେଟ୍‌ ଦର ୧୦ ଟଙ୍କା ରଖାଯାଇଛି।