ଅନୁଗୁଳ: ଅନୁଗୁଳରେ ଏକ ପ୍ଲାନେଟାରିୟମ ନିର୍ମାଣ ପାଇଁ ପାଖାପାଖି ୩ ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ପଞ୍ଚମହଲା ଅଞ୍ଚଳରେ ଏହି ପ୍ଲାନେଟାରିୟମ ନିର୍ମାଣ କରିବାକୁ ଆପାତତଃ ସ୍ଥିର କରାଯାଇ ଜାଗା ବି ଚିହ୍ନଟ ହୋଇଥିଲା। ହେଲେ ଏହି ପ୍ଲନେଟାରିୟମ ସ୍ବପ୍ନ ଏ ପର୍ଯ୍ୟନ୍ତ ପୂରଣ ହୋଇନି। କାମ କିଛି ଆଗେଇ ନ ଥିବାରୁ ଏତେ ଶୀଘ୍ର ଏହି ସ୍ବପ୍ନ ପୂରଣ ହେଲା ପରି ଲାଗୁନି।
ପଞ୍ଚମହଲା ଅଞ୍ଚଳରେ ପ୍ଲାନେଟାରିୟମ ନିର୍ମାଣ ପାଇଁ ୨୦୨୨ ମସିହାରେ ୫ ଏକର ଜାଗା ଚିହ୍ନଟ ହୋଇଥିଲା। ସରକାରଙ୍କ ପାଖକୁ ବଜେଟ୍ ପଠା ଯାଇଥିଲା। ବଜେଟ୍ ଅନୁମୋଦନ ଲାଭ କରିବ ପରେ କାମ ଆରମ୍ଭ ହୋଇଯିବ ବୋଲି କହିଥିଲେ ତତ୍କାଳୀନ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଏହା ଜଣାପଡ଼ିବା ପରେ ଅନୁଗୁଳବାସୀଙ୍କ ମନରେ ଆଶା ସଂଚାର ହୋଇଥିଲା। କିନ୍ତୁ ଏହି ଆଶା କେବଳ ଆଶାରେ ରହି ଯାଇଛି। କାରଣ ଗତ ବିଧାନସଭା ଅଧିବେଶନରେ ସରକାର ସ୍ପଷ୍ଟ କରି ଦେଇଛନ୍ତି ଅନୁଗୁଳରେ ପ୍ଲାନେଟାରିୟମ ହେବାର କୌଣସି ପ୍ରସ୍ତାବ ନାହିଁ।
ଅନୁଗୁଳରେ ପ୍ଲାନେଟାରିୟମ ହେଲେ ଛାତ୍ରଛାତ୍ରୀଙ୍କ ପାଇଁ ବହୁ ସୁବିଧା ହେବା ସହିତ ପର୍ଯ୍ୟଟନର ବିକାଶ ହୋଇପାରିବ। ଓଡ଼ିଶାର କେନ୍ଦ୍ରସ୍ଥଳରେ ଏହା ଥିବାରୁ ଅନୁଗୁଳ ସମେତ ଆଖାପାଖ ଜିଲ୍ଲାର ଲୋକମାନେ ଉପକୃତ ହୋଇଥାନ୍ତେ। ପୁଣି ଅନୁଗୁଳରେ ଟଙ୍କାର ଅଭାବ ନ ଥିବାରୁ ପ୍ଲାନେଟାରିୟମ ନିର୍ମାଣ ନେଇ କୌଣସି ସମସ୍ୟା ହୋଇନପାରେ ବୋଲି ଅନୁମାନ କରାଯାଉଥିଲା। ହେଲେ କଥା ଆରମ୍ଭରୁ ଅଟକି ଯାଇଛି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଜାଗା ଚିହ୍ନଟ ହେଲା ପରେ କାହିଁକି କାମ ଅଟକିଗଲା ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।
ଏନେଇ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କହିଛନ୍ତି, ଅନୁଗୁଳରେ ଏକ ପ୍ଲାନେଟାରିୟମ ନିର୍ମାଣ ପାଇଁ ସେ ସରକାରଙ୍କ ପାଖରେ ପୁଣି ଦାବି କରିବେ। ବିଧାନସଭାରେ ବି ଏକଥା ଉଠାଇବେ। ଅନୁଗୁଳରେ ଏକ ପ୍ଲାନେଟାରିୟମ ହେବା ସବୁ ଦୃଷ୍ଟିରୁ ଆବଶ୍ୟକ। ଏ ସଂପର୍କରେ ସେ ପ୍ରଶାସନ ଓ ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି। ଅନୁଗୁଳ ଜିଲ୍ଲାପାଳ ଅବଦାଲ ଏମ୍ ଅଖତର କହିଛନ୍ତି, ପ୍ଲାନେଟାରିୟମ ନିର୍ମାଣ ନେଇ କୌଣସି ପ୍ରସ୍ତାବ ସଂପର୍କରେ ସେ ଜାଣିନାହାନ୍ତି। ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ହିଁ ଯାହା କହିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।