ପାନ୍ଥନିବାସ ଘରୋଇକରଣ ଷଡ଼ଯନ୍ତ୍ର! ବାତ୍ୟା ପ୍ରଭାବିତ ପାନ୍ଥନିବାସ ଉପରେ ପ୍ରଥମେ ନଜର

ଚନ୍ଦ୍ରଭାଗା ଉଡେନ୍ ରେସ୍ତୋରାଁର ମରାମତି କାର୍ଯ୍ୟରେ ରୋକ୍, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନ୍ଧାରରେ

ଭୁବନେଶ୍ବର/କୋଣାର୍କ: ଫନି ପ୍ରଭାବରେ ରାଜ୍ୟର ପର୍ଯ୍ୟଟନର ଭିତ୍ତିଭୂମି ଦୋହଲିଯାଇଛି। ପର୍ଯ୍ୟଟନକୁ ପୁନରୁଦ୍ଧାର କରିବା ପାଇଁ ଯେତିକି ଉଦ୍ୟମ ହେଉ ନାହିଁ, ତାହାରି ଆଳରେ ବିଭାଗରେ ଏକ ବିରାଟ ଷଡ଼ଯନ୍ତ୍ର ଆରମ୍ଭ ହୋଇଯାଇଛି। ଲାଭରେ ଚାଲିଥିବା କିଛି ପାନ୍ଥନିବାସକୁ ଘରୋଇକରଣ କରିବାକୁ ମସୁଧା ଚାଲିଛି। ସେଥି ପାଇଁ ବାତ୍ୟାରେ କ୍ଷତିଗ୍ରସ୍ତ ପାନ୍ଥନିବାସ ଓ ଅନ୍ୟାନ୍ୟ ପ୍ରକଳ୍ପର ମରାମତି କାର୍ଯ୍ୟ ଜାଣିଶୁଣି ବିଳମ୍ବ କରାଯାଉଛି। କୋଣାର୍କ ଚନ୍ଦ୍ରଭାଗା ନିକଟରେ ଥିବା ଓଟିଡିସିର ଉଡେନ୍ ରେସ୍ତୋଁରାରେ ଏମିତି ଏକ ଆଭାସ ମିଳିଛି। ବର୍ତ୍ତମାନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧୀନରେ ୨୦ଟି ପାନ୍ଥନିବାସ ଚାଲୁଛି। ସେଥିରୁ ୨/୩ଟିକୁ ବାଦ୍ ଦେଲେ ଅନ୍ୟଗୁଡ଼ିକ ଲାଭରେ ଚାଲିଛି। ରାଜ୍ୟ ବାହାରର ପର୍ଯ୍ୟଟକମାନେ ନିରାପତ୍ତା ଓ ଗୁଣାତ୍ମକ ସେବା ପାଇଁ ଏଠାରେ ରହିବାକୁ ପସନ୍ଦ କରୁଛନ୍ତି। ୨୦୦୩-୦୪ ପରଠାରୁ ଓଟିଡିସି ରାଜ୍ୟ ସରକାରଙ୍କ ଏକ ଲାଭଜନକ ପିଏସ୍‌ୟୁରେ ପରିଣତ ହୋଇଛି। ପ୍ରଥମ ଥର ପାଇଁ ଗତ ବର୍ଷ ଏହି ସଂସ୍ଥା ରାଜ୍ୟ ସରକାରଙ୍କୁ ଏକ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥିଲା। ଏପରିକି ପାନ୍ଥନିବାସକୁ ଆଇଏସ୍‌ଓ ସାର୍ଟିଫିକେଟ୍‌ ପାଇଁ ମଧ୍ୟ ଆବେଦନ କରାଯାଇଥିଲା।

ଅଧିକାଂଶ ପାନ୍ଥନିବାସ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରମୁଖ ସ୍ଥାନରେ ରହିଛି। ସେଗୁଡ଼ିକୁ ଅଧିକ ଉନ୍ନତମାନର କରି ଆହୁରି ଅଧିକ ଲାଭଜନକ କରାଇବା ପାଇଁ ମଧ୍ୟ ଯଥେଷ୍ଟ ସୁଯୋଗ ଓ ସମ୍ଭାବନା ରହିଛି। ଓଡ଼ିଶାରେ ଆବଶ୍ୟକତାକୁ ଚାହିଁ ଘରୋଇ ହୋଟେଲ୍‌ ସଂଖ୍ୟା କମ୍ ଥିଲା ବେଳେ ସରକାରଙ୍କ ପରିଚାଳିତ ପାନ୍ଥନିବାସ ଏ ଦିଗରେ ବେଶ୍‌ ସହାୟକ ହୋଇପାରୁଛି।କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ପାନ୍ଥନିବାସଗୁଡ଼ିକୁ ଅଧିକ ଉନ୍ନତ କ’ଣ କରାଯିବ, ମୂଳରୁ ମାରିଦେବାକୁ ଏକ ପ୍ରକାର ଷଡ଼ଯନ୍ତ୍ର ଆରମ୍ଭ ହୋଇଛି। ନିର୍ବାଚନର କିଛି ଦିନ ଆଗରୁ ଏହି ଷଡ଼ଯନ୍ତ୍ରର ଭିତ୍ତି ପଡ଼ିଥିଲା। ଏଗୁଡ଼ିକୁ ଘରୋଇକରଣ କରିବା ପାଇଁ ଏକ ପ୍ରକ୍ରିୟା ବିଭାଗ ସ୍ତରରେ ଆରମ୍ଭ ହୋଇଥିଲା। ବେଶ୍‌ ସତର୍କତାର ସହ ଫାଇଲ୍‌ ଉପରକୁ ଉଠିଥିଲା। ଠିକ୍ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ପୂର୍ବ ସପ୍ତାହ‌େର ‌ହିଁ ଏହି ଅମଲତାନ୍ତ୍ରିକ କାରସାଦି ଦେଖିବାକୁ ମିଳିଥିଲା। କିନ୍ତୁ ତୃତୀୟ ମହଲା ପର୍ଯ୍ୟନ୍ତ ଫାଇଲ୍‌ ପହଞ୍ଚି ପାରି ନ ଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଜାଣିବା ପରେ ଫାଇଲ୍‌ ଆଗକୁ ନ ନେବା ପାଇଁ ମୌଖିକ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।୨୦ଟି ପାନ୍ଥନିବାସର ଘରୋଇକରଣ ପରି ଏକ ବିରାଟ ପ୍ରକ୍ରିୟାର ଫାଇଲ୍‌ ପ୍ରସ୍ତୁତ ହେଲା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କିପରି ଅନ୍ଧାରରେ ରଖାଗଲା? ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିସନର୍‌ଙ୍କ କ’ଣ ସେଥିରେ ସହମତି ପ୍ରକାଶ କରିଥିଲେ? ଘରୋଇକରଣ ପରି ଏକ ନୀତିଗତ ନିଷ୍ପତ୍ତି କ’ଣ କିଛି ଅଧିକାରୀଙ୍କ ମର୍ଜିରେ ନିଆଯାଇପାରିବ ? କାହାକୁ ଆଖି ଆଗରେ ରଖି ଏପରି ଏକ ବିରାଟ ଷଡ଼ଯନ୍ତ୍ର ରଚନା କରାଯାଇଛି ? ଏସବୁ ପ୍ରଶ୍ନ ଏବେ କର୍ମଚାରୀ ମହଲକୁ ଆନ୍ଦୋଳିତ କରୁଛି।

ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ପରେ ଏହି ପ୍ରକ୍ରିୟା ସାମୟିକ ଭା‌ବେ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ବାତ୍ୟା ଏହି ଷଡ଼ଯନ୍ତ୍ରକୁ ଖୋରାକ ଯୋଗାଇଛି। ଯେହେତୁ ସାତଟି ପାନ୍ଥନିବାସ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି, ତେଣୁ ଏହାକୁ ଏକ ସୁଯୋଗ ଭାବି ପୁଣି ବିଭାଗର ଅଧିକାରୀଙ୍କ ମୁଣ୍ଡରେ ଘରୋଇକରଣ ଭୂତ ସବାର ହୋଇଛି। ବିଭାଗ ପାଖରେ ନବୀକରଣ ପାଇଁ ଅଧିକ ଅର୍ଥ ନାହିଁ ଦର୍ଶାଇ ଘରୋଇକରଣ କରିବାକୁ ଯୋଜନା କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଦୁଇ ତିନିଟି ପ୍ରକଳ୍ପର ଘରୋଇକରଣ କରି ଏହି ପ୍ରକ୍ରିୟାକୁ ଆରମ୍ଭ କରିବାକୁ ସୁଚିନ୍ତିତ ଯୋଜନା କରାଯାଇଛି। ଯେହେତୁ ବାତ୍ୟାରେ ଭିତ୍ତିଭୂମି ଦୋହଲିଯାଇଛି, ତେଣୁ ଅର୍ଥ ଅଭାବ ଆଳରେ ସରକାରଙ୍କୁ ବୁଝାଇବାରେ ଅସୁବିଧା ହେବ ନାହିଁ ବୋଲି ଅଧିକାରୀମାନେ ଧରି ନେଇଛନ୍ତି। ଚନ୍ଦ୍ରଭାଗାସ୍ଥିତ ଉଡେନ୍ ରେସ୍ତୋରାଁ ବାତ୍ୟାରେ ଉଜୁଡ଼ିଯାଇଛି। କିଛି ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଏହା ପୁଣି କାର୍ଯ୍ୟକ୍ଷମ ହୋଇପାରିବ। ବାତ୍ୟା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବିଭାଗ ପକ୍ଷରୁ କାର୍ଯ୍ୟ ବନ୍ଦ କରିବାକୁ ମୌଖିକ ନିର୍ଦ୍ଦେଶ ଦିଆଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହାକୁ ଘରୋଇକରଣ କରିବା ପାଇଁ ଯୋଜନା ଥିବାରୁ ମରାମତି କାର୍ଯ୍ୟ ବନ୍ଦ ହୋଇଛି ବୋଲି କୁହାଯାଇଛି।

ଆଜି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କୋଣାର୍କରେ ବାତ୍ୟାରେ କ୍ଷତିଗ୍ରସ୍ତ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ବୁଲିବା ସହ ଉଡେନ୍ ରେସ୍ତୋଁରା ବି ଯାଇଥିଲେ। ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ ପିପିପି ମୋଡ୍‌ରେ ଏହି ରେସ୍ତୋଁରା ଦିଆଯିବା ସମ୍ପର୍କରେ ପ୍ରଶ୍ନ କରିଥିଲେ। ମନ୍ତ୍ରୀ କିଛି ସମୟ ନିରୁତ୍ତର ରହିବା ପରେ ଏ ସମ୍ପର୍କିତ କୌଣସି ଫାଇଲ୍‌ ଆସି ନାହିଁ ବୋଲି କହିଥିଲେ। ତେବେ ଏହା ଏକ ଲାଭଜନକ ପ୍ରକଳ୍ପ ହୋଇଥିବାରୁ ଏହାର ମରାମତି କରାଯାଇ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ଏ ସମ୍ପର୍କରେ ‘ସମ୍ବାଦ’ ପକ୍ଷରୁ ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ଉଡେନ୍ ରେସ୍ତୋଁରାର ମରାମତି କାମ ବନ୍ଦ ହେବା ଓ ଘରୋଇକରଣ ବାବଦରେ ସେ ଜାଣି ନାହାନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର