ଖର୍ଚ୍ଚ ପାଇଁ ତନାଘନା, ନିୟମାବଳୀ ସହ ସମୟ ନିର୍ଘଣ୍ଟ ଧାର୍ଯ୍ୟ କଲା

ଠିକ୍‌ ସମୟରେ ବିନିଯୋଗ ପ୍ରମାଣପତ୍ର ଦିଅ

ଭୁବନେଶ୍ବର: ଅତିରିକ୍ତ ବଜେଟ୍‌ ଇତିମଧ୍ୟରେ ଗୃହୀତ ହୋଇଯାଇଛି। ଅତିରିକ୍ତ ବଜେଟ ସମେତ ମୂଳ ବଜେଟରେ କରାଯାଇଥିବା ବ୍ୟୟବରାଦକୁ କିଭଳି ଠିକ୍ ସମୟରେ ଖର୍ଚ୍ଚ କରାଯିବ ଏବଂ ବିନିଯୋଗ ରିପୋର୍ଟ ଠିକ୍ ସମୟରେ ଦାଖଲ କରାଯିବ ସେ ନେଇ ଅର୍ଥ ବିଭାଗ ତନାଘନା ଆରମ୍ଭ କରିଦେଇଛି। ଏହି ମର୍ମରେ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଚିଠି ଲେଖାଯାଇଛି। ପ୍ରଶାସନିକ ବିଭାଗ ଗୁଡ଼ିକର ଅର୍ଥ ଖର୍ଚ୍ଚକୁ ନେଇ ଅର୍ଥ ବିଭାଗ ନିୟମାବଳୀ ଏବଂ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଛି। ଅର୍ଥ ବିଭାଗ ପକ୍ଷରୁ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ ଏବଂ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖାଯାଇଛି। ଏହି ଚିଠିରେ କୁହାଯାଇଛି, ଓଡ଼ିଶା ଆକସ୍ମିକ ପାଣ୍ଠିରୁ ନିଆଯାଇଥିବା ଅଗ୍ରୀମ ବାବଦରେ ପ୍ରତିପୂର୍ତ୍ତି ବ୍ୟବସ୍ଥା ସରକାର କରିଛନ୍ତି। ତେଣୁ ଚଳିତମାସ ୩୧ ତାରିଖ ସୁଦ୍ଧା ଏହା କରାଯିବା ଆବଶ୍ୟକ। ଏ ସଂକ୍ରାନ୍ତ ରିପୋର୍ଟ ଆସନ୍ତା ଜାନୁଆରି ୬ ତାରିଖ ସୁଦ୍ଧା ଅର୍ଥ ବିଭାଗ ନିକଟରେ ଦାଖଲ କରିବାକୁ କୁହାଯାଇଛି।

ଅତିରିକ୍ତ ଖର୍ଚ୍ଚ ଦାବି ସହିତ ଏବର୍ଷ ହୋଇଥିବା ସମସ୍ତ ବ୍ୟୟବରାଦକୁ (ଓଡ଼ିଶା ଆକସ୍ମିକ ପାଣ୍ଠିରୁ ଅଗ୍ରିମ ପୂତିପୂର୍ତ୍ତି ବାବଦ ଅର୍ଥ ଏବଂ ଲେଖା ସମଯୋଜନ ବ୍ୟତୀତ) ଡିଡିଓ ମାନଙ୍କୁ ଟ୍ରେଜେରି ପୋର୍ଟାଲ ମାଧ୍ୟମରେ ଆସନ୍ତା ୩୧ ତାରିଖ ସୁ୍ଦ୍ଧା ଦେବାକୁ କୁହାଯାଇଛି। ଅତିରିକ୍ତ ଖର୍ଚ୍ଚଦାବି ସଂକ୍ରାନ୍ତ ପୁନଃ ଲେଖାନୁଦାନ କିମ୍ବା ଅତିରିକ୍ତ ବ୍ୟୟବରାଦକୁ ଆସନ୍ତାମାସ ୧୫ ତାରିଖ ସୁଦ୍ଧା କରିବାକୁ ହେବ। ଅତିରିକ୍ତ ଖର୍ଚ୍ଚ ଦାବି ସଂକ୍ରାନ୍ତ ସମସ୍ତ ସରେଣ୍ଡର ଏବଂ ପୁନଃଲେଖାନୁଦାନ ଆଦେଶ କେନ୍ଦ୍ରୀକୃତ ଭାବେ ଅର୍ଥ ବିଭାଗ ସ୍ତରରେ ବଜେଟ-୨ ଶାଖାରୁ କରାଯିବ ଏବଂ ଏହି କାର୍ଯ୍ୟ ଆସନ୍ତା ୩୧ ତାରିଖ ସୁଦ୍ଧା ଶେଷ ହେବ। ଆଇଏଫ୍‌ଏମ୍‌ଏସ୍‌ରେ ସରେଣ୍ଡର ଏବଂ ସଞ୍ଚୟ ବାବଦରେ ଥିବା ଏବଂ ଅତିରିକ୍ତ ବଜେଟରେ ଉପଯୋଗ ହୋଇଥିବା ଅର୍ଥକୁ ବଣ୍ଟନ ପାଇଁ ଆଉ ଉପଲବ୍ଧ ହେବନାହିଁ। ଅନୁଦାନ ପ୍ରଦାନ କରିଥିବା ସଂସ୍ଥା ଗୁଡ଼ିକ ବିନିଯୋଗ ପ୍ରମାଣପତ୍ର ଦାଖଲକୁ ନିଶ୍ଚିତ କରିବା ନିମନ୍ତେ ରହିଥିବା ଅନୁଧ୍ୟାନ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବା ଲାଗି କୁହାଯାଇଛି।

ଆର୍ଥିକ ବର୍ଷ ପାଇଁ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଥିବା ଅର୍ଥ ଏବଂ ତାହାର ଖର୍ଚ୍ଚ ରିପୋର୍ଟକୁ ଅନଲାଇନ ଯାଞ୍ଚ ଏବଂ ସମଯୋଜନ ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ରିପୋର୍ଟକୁ ଆଇଏଫ୍‌ଏମ୍‌ଏସ୍‌ରେ‌ ଅପଲୋଡ କରିବା ତାରିଖ ସମ୍ପର୍କରେ ସବୁ ବିଭାଗକୁ ଅର୍ଥ ବିଭାଗ ଜଣାଇ ଦେଇଛି। ଶେଷ ତାରିଖ ଆଡ଼କୁ ଯେଭଳି ଏହି କାର୍ଯ୍ୟ ପାଇଁ ଅଧିକ ଭିଡ଼ ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ କୁହାଯାଇଛି। ପାଣ୍ଠି ପ୍ରଦାନ ଏବଂ ସରେଣ୍ଡରକୁ ଆସନ୍ତାବର୍ଷ ଜାନୁଆରି ୩୧ ସୁଦ୍ଧା ସାରିବାକୁ କୁହାଯାଇଛି। ସେ‌ହିଭଳି ଜରୁରୀକାଳୀନ ପାଣ୍ଠି, ମେସିନାରି, ଉପକରଣ, ଯାନ, ସେୟାର କ୍ୟାପିଟାଲ, ସବସିଡି ଏବଂ ଋଣ ବାବଦ ଦାବି ବାବଦ ବିଲ୍‌ ଟ୍ରେଜେରିରେ ଦାଖଲ ପାଇଁ ଆସନ୍ତାବର୍ଷ ମାର୍ଚ୍ଚ ୧୬କୁ ଶେଷ ତାରିଖ କରାଯାଇଛି। ଅନ୍ୟ ଦାବି ପାଇଁ ଏହାର ଶେଷ ତାରିଖକୁ ଆସନ୍ତା ବର୍ଷ ମାର୍ଚ୍ଚ ୨୩ ରଖାଯାଇଛି। ଅଡିଟ ରିପୋର୍ଟରେ ଯେଭଳି କୌଣସି ପ୍ରତିକୂଳ ମନ୍ତବ୍ୟ ନଆସେ ସେଥିପାଇଁ ପାଣ୍ଠିର ପୂର୍ଣ୍ଣ ଏବଂ ପ୍ରଭାବୀ ବିନିଯୋଗ କରିବା ନିମନ୍ତେ ଅର୍ଥ ବିଭାଗ କହିଛି। ବଜେଟ୍ ଫଣ୍ଡକୁ କୌଣସି ପରିସ୍ଥିତିରେ ସିଭିଲ ଡି‌ପୋଜିଟ୍‌କୁ ସ୍ଥାନାନ୍ତର ନକରିବା ପାଇଁ ପରାମର୍ଶ ଦିଆଯାଇଛି। ତେବେ ନିର୍ଦ୍ଦିଷ୍ଟ କେତେକ କ୍ଷେତ୍ରର ଅର୍ଥ ବ୍ୟୟକୁ ସର୍ବାଧିକ ଗୁରୁତ୍ବ ଦେବାକୁ ଅର୍ଥ ମନ୍ତ୍ରାଳୟ ଚିଠିରେ ଦର୍ଶାଇଛି। ସେଗୁଡ଼ିକ ମଧ୍ୟରେ ରହିଛି ଯେଉଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ କେନ୍ଦ୍ରୀୟ ସହାୟତା ମିଳିସାରିଛି ସେଥିରେ କେନ୍ଦ୍ରୀୟ ଏବଂ ରାଜ୍ୟ ଅଂଶ ଖର୍ଚ୍ଚ। ପୁଞ୍ଜି ସମ୍ପତ୍ତି ସୃଷ୍ଟି ପାଇଁ ପୁଞ୍ଜି ବ୍ୟୟ। ପୁଞ୍ଜି ସମ୍ପତ୍ତି ରକ୍ଷଣାବେକ୍ଷଣ ବ୍ୟୟ ଏବଂ ସାମାଜିକ କ୍ଷେତ୍ର ବ୍ୟୟ। କେନ୍ଦ୍ରୀୟ ଅନୁଦାନ ମିଳି ସାରିଥିବା କେନ୍ଦ୍ରୀୟ ଯୋଜନା ବାବଦ କେନ୍ଦ୍ରୀୟ ସହାୟତା, ଆରଆଇଡିଏଫ୍‌, ଇଏପି ଏବଂ ଏଭଳି ଅନ୍ୟ ଯୋଜନା ପାଇଁ ଦିଆଯାଇଥିବା ପାଣ୍ଠି। ଏଣୁ ମୂଳ ବଜେଟ୍ ଏବଂ ଅତିରିକ୍ତ ବଜେଟରେ କରାଯାଇଥିବା ବ୍ୟୟବରାଦକୁ ଖର୍ଚ୍ଚ କରିବା ପାଇଁ ଦିଆଯାଇଥିବା ନିୟମାବଳୀକୁ ଅନୁସରଣ କରିବା ନିମନ୍ତେ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ଗୁଡ଼ିକୁ ତାଗିଦ କରାଯାଇଛି।

ସମ୍ବନ୍ଧିତ ଖବର