ଦୁର୍ଘଟଣା ରୋକିବାକୁ ପରିବହନ-ପୁଲିସର ଯୋଜନା, ରାଜପଥ ପାଟ୍ରୋଲି˚ ପାଇଁ ୧୦ କୋଟି

୩୨ ପୁଲିସ ଜିଲ୍ଲାକୁ ୫୦ ‘ଇ-ଚାଲାଣ’ ମେସିନ୍‌, ଉଦ୍ଧାରକାରୀଙ୍କୁ ଏସ୍‌ପି କରିବେ ସମ୍ବର୍ଦ୍ଧନା

କଟକ: ଜାତୀୟ ଓ ରାଜ୍ୟ ରାଜପଥରେ ଦୁର୍ଘଟଣା ରୋକିବାକୁ ୨୪ ଘଣ୍ଟିଆ ପୁଲିସ ପାଟ୍ରୋଲି˚ କରାଯିବ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପୁଲିସ ବିଭାଗକୁ ୧୦ କୋଟି ଟଙ୍କା ଅର୍ଥ ପ୍ରଦାନ କରାଯାଇଛି। ଏହି ଅର୍ଥକୁ ପୁଲିସର ମାନବ ସମ୍ବଳ ବିକାଶ, ଦ୍ରୁତ ଗାଡ଼ି ଚାଳନା ରୋକିବା ଏବଂ ଟ୍ରାଫିକ ପରିଚାଳନା ଇତ୍ୟାଦି ବାବଦରେ ଖର୍ଚ୍ଚ କରାଯିବାକୁ ନିଷ୍ପତ୍ତି ହୋଇଥିବା ଆଜି କ୍ରାଇମ୍‌ବ୍ରାଞ୍ଚରେ ଆୟୋଜିତ ‘ଇ-ଚାଲାଣ’ ଯୋଗାଣ ବୈଠକରେ ନିଷ୍ପତ୍ତି ହୋଇଛି। ଏହି ଅବସରରେ ୩୨ ପୁଲିସ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୫୦ଟି ‘ଇ-ଚାଲାଣ’ ମେସିନ୍‌ ପ୍ରଦାନ କରାଯାଇଛି।

ରାଜ୍ୟରେ ଟ୍ରାଫିକ ନିୟମ ଖିଲାପ କରୁଥିବା ଗାଡ଼ି ଚାଳକଙ୍କ ନିକଟରୁ ଜରିମାନା ରାଶୀ ‘ଇ-ଚାଲାଣ’ ମେସିନ୍‌ ମାଧ୍ୟମରେ ଗତ ଡିସେମ୍ବର ୬ ତାରିଖରେ ଆରମ୍ଭ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୩୫ଟି ଆର‌୍‌ଟିଓ କାର୍ଯ୍ୟାଳୟର ୧୯୪ ଜଣ ଆର‌୍‌ଟିଓର ଏନ୍‌ଫୋର୍ସମେଣ୍ଟ ଅଫିସରଙ୍କୁ ଗୋଟିଏ ଲେଖାଏ ମେସିନ୍‌ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଆଜି ଦ୍ବିତୀୟ ପର୍ଯ୍ୟାୟରେ କଟକ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରେ ୩୨ଟି ପୁଲିସ ଜିଲ୍ଲାରେ ୫୦ ଟି ‘ଇ-ଚାଲାଣ’ ମେସିନ୍‌ ଦିଆଯାଇଛି। ସମ୍ପୃକ୍ତ ଜିଲ୍ଲାରେ ଟ୍ରାଫିକ୍‌ ପୋଷ୍ଟ ଦାୟିତ୍ବରେ ରହୁଥିବା ୬୨ ଜଣ ଇନ୍‌ସ୍ପେକ୍ଟର ଏବ˚ ଏସ୍‌ଆଇଙ୍କୁ ଆଜି କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ପୂର୍ବରୁ ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନକାରୀ କରୁଥିବା ଚାଳକଙ୍କ ଜରିମାନା ରସିଦ ବହି ସହାୟତାରେ କଟାଯାଉଥିବାରୁ ନିର୍ଦ୍ଦିଷ୍ଟ ଚାଳକ କେତେଥର ଜରିମାନା ଦେଉଥିଲେ, ସେ ସମ୍ପର୍କିତ ତଥ୍ୟ ସ˚ରକ୍ଷିତ ରଖିବାରେ ସମସ୍ୟା ହେଉଥିଲା। ଏବେ ଉକ୍ତ ଇ-ଚାଲାଣ ମେସିନ୍‌ ପରିବହନ କମିସନରଙ୍କ କାର୍ଯ୍ୟାଳୟର ସର୍ଭର ସହିତ ଇଣ୍ଟର‌୍‌ନେଟ୍‌ରେ ସ˚ଯୋଗ କରାଯିବ। ଯଦ୍ବାରା ଚାଳକଙ୍କ ପୂର୍ବ ଜରିମାନା ସ˚କ୍ରାନ୍ତ ତଥ୍ୟ ଗଚ୍ଛିତ କରି ରଖାଯାଇପାରିବ। ଚାଳକ ଜଣକ ଦ୍ବିତୀୟ ଥର ନିୟମ ଖିଲାଫ କଲେ, ଦୁଇଗୁଣ ଜରିମାନା ରାଶି ପ୍ରଦାନ କରିବାକୁ ପଡ଼ିବ। ଅନ୍ୟପଟେ ପଶ୍ଚିମବଙ୍ଗ ସୀମାରୁ ଆନ୍ଧ୍ର ସୀମା ପର୍ଯ୍ୟନ୍ତ ଓଡ଼ିଶା ଦେଇ ଯାଇଥିବା ଉଭୟ ଜାତୀୟ ଓ ରାଜ୍ୟ ରାଜପଥରେ କଡ଼ାକଡ଼ି କରାଯିବ ପାଟ୍ରୋଲି˚ ବ୍ୟବସ୍ଥା। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ୫ଟି ଅଞ୍ଚଳକୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି। ଜଳେଶ୍ବରରୁ ଗିରିଶୋଳା, ମଙ୍ଗୁଳିରୁ ସମ୍ବଲପୁର, ସମ୍ବଲପୁରରୁ ରାଉରକେଲା, ଭୁବନେଶ୍ବରରୁ ପୁରୀ, ସମ୍ବଲପୁରରରୁ ସୋହେଲା ପର୍ଯ୍ୟନ୍ତ ଏହି ପାଟ୍ରୋଲି˚ ବ୍ୟବସ୍ଥା କରାଯିବ। ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପୁଲିସ ବିଭାଗକୁ ୧୦ କୋଟିର ଅର୍ଥ ପ୍ରଦାନ କରାଯାଇଥିଲା। ଏହି ଅର୍ଥରେ ପାଟ୍ରୋଲି˚ ପାଇଁ ପିସିଆର‌୍‌ ଭ୍ୟାନ୍‌ର ତେଲ ଖର୍ଚ୍ଚ, ରୋଡ ବ୍ଲକ ସମୟରେ ଆବଶ୍ୟକ ପର୍ଯ୍ୟାପ୍ତ ପୁଲିସ ବଳ ଏବ˚ ଅଧିକ ଗାଡ଼ି ମୁତୟନ ଇତ୍ୟାଦି ବାବଦରେ ଖର୍ଚ୍ଚ କରାଯିବ। ଖୁବ ଶୀଘ୍ର ପାଟ୍ରୋଲି˚ରେ ନିୟୋଜିତ ହେବାକୁ ଥିବା ରାଜପଥ ପାର୍ଶ୍ବବର୍ତ୍ତି ଥାନାର ପୁଲିସ ଅଫିସରମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ତାଲିମ ପ୍ରଦାନ କରାଯିବ। ତାଲିମ ଶେଷ ହେବା ପରେ ସେମାନେ ନିୟମିତ ଭାବେ ପାଟ୍ରୋଲି˚ ଆରମ୍ଭ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି।

ଆଜି କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ଓଡ଼ିଶା ପୁଲିସରେ ପ୍ରଥମ ପର୍ଯ୍ୟାୟରେ ୫୦ଟି ‘ଇ-ଚାଲାଣ’ ମେସିନ୍‌ ଟ୍ରାଫିକ୍‌ ଫୋଷ୍ଟ ଦାୟିତ୍ବରେ ରହୁଥିବା ଅଫିସର‌୍‌ଙ୍କୁ ପ୍ରଦାନ କରାଯାଇ ପ୍ରଶିକ୍ଷଣ ଦିଆଯାଉଛି। ୨୦୧୮ ରେ ପୁଲିସ ଏଏସ୍‌ଆଇରୁ ଉପର ପାହ୍ୟାର ଅଧିକାରୀଙ୍କୁ ମୋଟର ଯାନ ଆଇନର ୧୭୭, ୧୭୮ ଏବ˚ ୧୮୩ର ଉପଧାର ୧ ଓ ୨ ଅନୁଯାୟୀ ଚାଲାଣ କଟାଯିବାକୁ ନିୟମ କରାଯାଇଛି। ସେମାନେ ଏବେ ‘ଇ-ଚାଲାଣ’ ମେସିନ୍‌ ମାଧ୍ୟମରେ ଜରିମାନା ଆଦାୟ କରିବେ। ଅନ୍ୟପଟେ ପରିବହନ କମିସନର ସ˚ଜୀବ ପଣ୍ତା କହିଛନ୍ତି, ଏବେ ରାଜପଥରେ ପାଟ୍ରୋଲି˚ ବ୍ୟବସ୍ଥା ଉପରେ ଅଧିକ ନଜର ରଖାଯିବ। ଦୁର୍ଘଟଣାରେ ଯେଉଁମାନେ ଆହତ ହେଉଛନ୍ତି, ସେମାନଙ୍କୁ ଉଦ୍ଧାର କରି ହସ୍‌ପିଟାଲ୍‌ରେ ଭର୍ତ୍ତି କରୁଥିବା ଲୋକଙ୍କୁ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଉଦ୍ଧାରକାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ।

ସମ୍ବନ୍ଧିତ ଖବର