‘ଫନି’ ପାଇଁ ତନାଘନା, ଭୟାବହତା ଆକଳନ ପାଇଁ କହିଲେ ପ୍ରଧାନମନ୍ତ୍ରୀ

ପ୍ରସ୍ତୁତ ରହିବାକୁ ନିେର୍ଦଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ‘ଫନି’ ଭୀଷଣ ରୂପ ନେବ। ଭାରତର ପାଣିପାଗ ବିଜ୍ଞାନ େକନ୍ଦ୍ରର ଏଭଳି ପୂର୍ବାନୁମାନ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଏହାର ଆକଳନ ପାଇଁ ସମସ୍ତ ସଂପୃକ୍ତ ରାଜ୍ୟ ସରକାର, େକନ୍ଦ୍ର ମନ୍ତ୍ରାଳୟ, ଏଜେନ୍ସି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ ଡାକିବା ଲାଗି ନିେର୍ଦଶ େଦଇଛନ୍ତି। ଏନଡିଆର୍ଏଫ ଓ ଭାରତୀୟ ତଟରକ୍ଷୀ ବାହିନୀକୁ ସତର୍କ କରାଯାଇଛି। ଏପଟେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ବାତ୍ୟା ‘ଫନି’ର ସମୀକ୍ଷା କରିଛନ୍ତି। ପରିସ୍ଥିତି ଉପରେ ନଜର ରଖିବା ସହିତ ମୁକାବିଲା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବା ଲାଗି ମୁଖ୍ୟଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି।

ଆଜି ଗଣମାଧ୍ୟମରେ ଏ ସଂକ୍ରାନ୍ତ ଖବର ପ୍ରକାଶ ପାଇବା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଚିବାଳୟରେ ସମୀକ୍ଷା ବୈଠକ ଡାକିଥିଲେ। ସବୁ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ରାଜ୍ୟର ସବୁ ଉପକୂଳ ଜିଲ୍ଲାରେ ପବନ ସହ ବର୍ଷା ହେବା ସମ୍ଭାବନା ରହିଛି। ବାତ୍ୟା ‘ଫନି’ର ମୁକାବିଲା ପ୍ରସ୍ତୁତି ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଥିଲେ, ବାତ୍ୟାର ଗତିବିଧି ଉପରେ ତୀକ୍ଷଣ ନଜର ରଖାଯାଇଛି। ‘ଫନି’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ୨୦ଟି ଓଡ୍ରାଫ୍ ଟିମ୍, ୧୨ଟି ଏନଡିଆରଏଫ ଟିମକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସ୍ବତନ୍ତ୍ର ରିଲିଫ କମିସନର କହିଛନ୍ତି, ସାଧାରଣତଃ ମେ’ ମାସରେ ବାତ୍ୟା ଆସିବା ଏକ ଅସ୍ବାଭାବିକ ଘଟଣା। ବାତ୍ୟା ‘ଫନି’ ଦକ୍ଷିଣପୂର୍ବ ବଙ୍ଗୋପସାଗରର ଇକୁଏଟର ପାଖରେ ସୃଷ୍ଟି ହୋଇଛି। ସେଠାରୁ ଧୀରେ ଧୀରେ ସମୁଦ୍ରରେ ଦକ୍ଷିଣ ଶ୍ରୀଲଙ୍କା ଦେଇ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି।

ସଚିବାଳୟରେ ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା
ଉପକୂଳ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ
ମୁଖ୍ୟ ସଚିବଙ୍କ ସହ କ୍ୟାବିନେଟ ସଚିବଙ୍କ ଆଲୋଚନା

ଏଥିପାଇଁ ବିଶେଷକରି ଦକ୍ଷିଣ ଉପକୂଳ ଜିଲ୍ଲା ସମେତ ସବୁ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ରାଜ୍ୟରେ ଥିବା ୮୮୦ଟି ବାତ୍ୟା ଆଶ୍ରୟସ୍ଥଳୀ, ୩୩୫ଟି ଅଗ୍ନିଶମ ୟୁନିଟକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ ସଚିବ ମଧ୍ୟ ଆଲୋଚନା କରିଛନ୍ତି। ୨ ତାରିଖରୁ ରାଜ୍ୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବର୍ଷା ହେବ। ବର୍ଷା ସହ ପବନର ବେଗ ୩ ଓ ୪ ତାରିଖ ବେଳକୁ ଧୀରେ ଧୀରେ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ କଇଁଛ ଅଣ୍ଡା ଦେବା ଋତୁ ଥିବାରୁ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ବ୍ୟତୀତ ସାଧାରଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ମାଛ ମାରିବାକୁ ଯିବାକୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ବାରଣ କରାଯାଇଛି। ବାତ୍ୟାକୁ ଦୃଷ୍ଟିରେ ରଖି ଏବେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତଟବର୍ତ୍ତୀ ଅଞ୍ଚଳରେ ଲାଗିଥିବା ୧୨୨ଟି ଇଡବ୍ଲୁଏସ ସିଷ୍ଟମ ଜରିଆରେ ବଜ୍ରପାତ ସମ୍ପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଉଛି। ଏପରି ଭାବେ ବାତ୍ୟା ସଂକ୍ରାନ୍ତ ସତର୍କ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ବିଏସଏନଏଲ ନେଟଵାର୍କ ମୋବାଇଲରେ ଏସଏମଏସ ପଠାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହି ସମନ୍ବୟ ବୈଠକରେ ପୋଲିସ ଡିଜି, ରାଜସ୍ବ ସଚିବ, ଜଳସମ୍ପଦ ସଚିବ, ଶକ୍ତି ସଚିବ, ଶ୍ରମ ସଚିବ, ପୂର୍ତ୍ତ ସଚିବ,ନଗର ଉନ୍ନୟନ ସଚିବ, ଗ୍ରାମ୍ୟ ଉନ୍ନୟନ ସଚିବ,ସ୍ବାସ୍ଥ୍ୟ ସଚିବ, ଆଇଏମଡି ନିର୍ଦ୍ଦେଶକ, ଏନଡିଆରଏଫ ଡିଜି, ନାଭାଲ ଅଧିକାରୀ, ଗୃହ ବିଭାଗ ସ୍ବତନ୍ତ୍ର ସଚିବ, ବିଏସଏନଲ ମହାପ୍ରବନ୍ଧକଙ୍କ ସମେତ ବହୁ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର