ଅକ୍ଷୟ ଶକ୍ତିର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ବ

ଓରେଡା କାର୍ଯ୍ୟକ୍ରମର ସମୀକ୍ଷା କଲେ ମନ୍ତ୍ରୀ

ଭୁବନେଶ୍ବର: ଫନି ପରେ ସୌରଶକ୍ତିର ଚାହିଦା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଓରେଡା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟର ୨୯ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଓ ୪୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୌରଶକ୍ତି ପ୍ରକଳ୍ପ, ସହରାଞ୍ଚଳରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସଗୁଡ଼ିକରେ ୧୬୦ କିଲୋୱାଟ୍‌ କ୍ଷମତା ସମ୍ବଳିତ ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅନ୍ୟ ଛାତ୍ରାବ‌ାସଗୁଡ଼ିକରେ ୩୫୦ କିଲୋୱାଟ କ୍ଷମତା ବିଶିଷ୍ଟ ଛାତ ଉପର ସୌରଚାଳିତ ପିଭି ଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ‌ଓରେଡା ଯୋଜନା କରିଛି। ଏହା ସହ କେନ୍ଦୁଝର ଜିଲ୍ଲାରେ ସୌରଶକ୍ତି ପରିଚାଳିତ ୧୧ ହଜାର ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବାକୁ ସଂସ୍ଥା ଲକ୍ଷ୍ୟ ରଖିଛି।

ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଓରେଡା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ବିଭାଗୀୟ ସଚିବ ଭାସ୍କର ଜ୍ୟୋତିଶର୍ମା ଓ ଓରେଡାର ମୁଖ୍ୟ କାର୍ଯ୍ୟନିର୍ବାହୀ ରୂପା ମିଶ୍ର ଉପସ୍ଥିତ ଥିଲେ। ବୈଠକରେ ଓରେଡା ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଆଗାମୀ ଦିନରେ ଓରେଡା ‘ସୌଭାଗ୍ୟ’ ଯୋଜନାରେ ୧୪ ହଜାର ଗ୍ରାମାଞ୍ଚଳ ପରିବାରକୁ ବିଦ୍ୟୁତ ସଂଯୋଗ ଦେବା ସହ ୧୮୨୦ଟି ସୌରଚାଳିତ ପାନୀୟ ଜଳ ବ୍ୟବସ୍ଥା, ୧୭୫ଟି ଜଳସେଚନ ପମ୍ପ ବ୍ୟବସ୍ଥା, କେନ୍ଦୁଝର ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ୩୨୦୦ରୁ ଅଧିକ ଉନ୍ନତ ଚୁଲା ସ୍ଥାପନ କରିବାର ଯୋଜନା ରହିଛି। ଅନୁଗୁଳ, ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଅଧୀନରେ ଓରେଡା ଅକ୍ଷୟ ଶକ୍ତି ପ୍ରକଳ୍ପମାନ ପ୍ରତିଷ୍ଠା କରିବ। ଖଣ୍ଡଗିରିସ୍ଥିତ ବିଜୁ ପଟ୍ଟନାୟକ ଏନର୍ଜି ପାର୍କର ଉନ୍ନତିକରଣ ପାଇଁ ନାଗପୁରର ଜାତୀୟ ପରିବେଶ ଯାନ୍ତ୍ରିକ ଗବେଷଣା ପ୍ରତିଷ୍ଠାନ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ବୋଲି ସମୀକ୍ଷା ବୈଠକରୁ ଜଣାପଡ଼ିଛି।
ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ, ୨୦୧୩-୧୪ରେ ୩୪.୬୫ କୋଟି ଟଙ୍କାରୁ ୨୦୧୮-୧୯ରେ ୨୪୪.୬୧ କୋଟିରେ ଆର୍ଥିକ କାରବାର ପହଞ୍ଚିବା ଓରେଡାର ସଫଳତାକୁ ପ୍ରତିପାଦିତ କରୁଛି। ଅନ୍‌-ଗ୍ରିଡ୍‌ ଓ ଅଫ୍-ଗ୍ରିଡ୍‌ ଅକ୍ଷୟ ଶକ୍ତି ପ୍ରକଳ୍ପ, ବାୟୋଗ୍ୟାସ୍ ପ୍ଲାଣ୍ଟ୍‌, ସ୍ଥାୟୀ ଉନ୍ନତ ଚୁଲା ଆଦି ଉପରେ ଅଗ୍ରାଧିକାର ଦିଆଯାଉ। ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ ଅକ୍ଷୟ ଶକ୍ତି ବାବଦରେ ପରାମର୍ଶ ଯୋଗାଇ ଦେବା ଉପରେ ଗୁରୁତ୍ବ ଦେଇଥିଲେ। ସମୀକ୍ଷା ବୈଠକରେ ଓରେଡାର ନି‌େର୍ଦ୍ଦଶକ(ପ୍ରଶାସନ) ବିଷ୍ଣୁପ୍ରିୟା ସାହୁ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରଶ୍ମିରଞ୍ଜନ ସାହୁଙ୍କ ସହ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର