ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ପହଣ୍ଡିଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାବଳୀକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ବ୍ୟବସ୍ଥାବଳୀ ଅନୁମୋଦନ ପାଇଁ ଦଇତାପତି ନିଯୋଗ ସଭାପତି, ସଂପାଦକ, ୪ ବାଡ଼ଗ୍ରାହୀ ଓ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରତ୍ୟୁଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅନ୍ୟ ବିଭାଗୀୟ ଅଧିକାରୀ, ପରିଚାଳନା କମିଟିର ସଦସ୍ୟ, ନୀତି ସଂପୃକ୍ତ ନିଯୋଗ ସଭାପତି ଓ ସଂପାଦକ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରିବେ। କୌଣସି ଶ୍ରଦ୍ଧାଳୁ ଅବା ଅନଧିକୃତ ବ୍ୟକ୍ତି ଶ୍ରୀମନ୍ଦିର ଜଗମୋହନ କିମ୍ୱା ନାଟମଣ୍ଡପକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ସମାନ ବ୍ୟବସ୍ଥା ବାହୁଡ଼ାଯାତ୍ରାରେ ବି ଲାଗୁ ହୋଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ସର୍ବସାଧାରଣଙ୍କ ସହ ପାରିମାଣିକ ଦର୍ଶନ ବନ୍ଦ ରହିବ। ବ୍ୟବସ୍ଥାବଳୀ ଅନୁଯାୟୀ, ୬ ତାରିଖ ରାତିରୁ ଚାରମାଳ ବନ୍ଧା ଓ ଫୁଲ ସଜ୍ଜା ଶେଷ ହେବ। ଅନଧିକୃତ ବ୍ୟକ୍ତିମାନେ ରଥରେ ଚଢ଼ି ପାରିବେନି କି ଶ୍ରୀବିଗ୍ରହଙ୍କୁ ଛୁଇଁ ପାରିବେ ନାହିଁ। ଏହା ଉପରେ ନଜର ରଖିବା ପାଇଁ ଦଇତାପତି ଓ ବାଡ଼ଗ୍ରାହୀ ସେବକଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ମହାପ୍ରଭୁଙ୍କ ସେବାପୂଜା ନଥିବା ସମୟରେ ସେବାୟତମାନେ ଶ୍ରୀବିଗ୍ରହଙ୍କ ଭୁଜ ଭିତରେ ରହିପାରିବେ ନାହିଁ କି ଠାକୁରଙ୍କ ଦେହରେ ଭରା ଦେଇ ଛିଡ଼ା ହୋଇପାରିବେ ନାହିଁ।

Advertisment

ଠାକୁରଙ୍କ ଆଡ଼କୁ ପିଠି କରି ବସି ପାରିବେନି। ଯଦି ଏପରି କେହି ଭୁଲ୍‍ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ପହଣ୍ଡି ବେଳେ କେବଳ ନୀତି ସଂପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଭିତରକାଠ ପାଖରେ ଉପସ୍ଥିତ ରହିପାରିବେ। ସାତପାହାଚ ନିକଟରେ ଶ୍ରୀଜିଉଙ୍କ ମସ୍ତକରେ ଟାହିଆ ବନ୍ଧାଯିବ। ଦର୍ଶନାର୍ଥୀ କିମ୍ୱା ସେବାୟତ ଶ୍ରୀବିଗ୍ରହଙ୍କ ମସ୍ତକରେ ଲାଗିଥିବା ଟାହିଆ ଟାଣି ପାରିବେ ନାହିଁ। ଶ୍ରୀଜିଉମାନେ ରଥ ଉପରକୁ ଉଠିବା ପର୍ଯ୍ୟନ୍ତ ଏହା ଯେପରି ସୁରକ୍ଷିତ ରହିବ ସେ ଦାୟିତ୍ୱ ଦଇତାପତି, ପ୍ରତିହାରୀ ଓ ଅରକ୍ଷୀ ଅଧୀକ୍ଷକ ଉପରେ ନ୍ୟସ୍ତ କରାଯାଇଛି। ଠାକୁର ରଥ ଉପରକୁ ବିଜେ ପରେ ସମ୍ମାନର ସହ ଟାହିଆ ଖୋଲାଯିବ। ଟାହିଆ ଭାଙ୍ଗିଥିବା ଓ ଧରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

ଶ୍ରୀଜିଉ ପହଣ୍ଡି ପୂର୍ବରୁ ଅରୁଣସ୍ତମ୍ଭଠାରୁ ସିଂହଦ୍ବାର ମଧ୍ୟରେ କେବଳ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଅବସ୍ଥାପିତ କ୍ୟାମେରା ରହି ପାରିବ। ରଥ ଉପରକୁ କୌଣସି କ୍ୟାମେରା ବା ମୋବାଇଲ୍‌ ଫୋନ୍‌ ଯିବ ନାହିଁ। ପ୍ରାଧିକୃତ ଦଇତାପତି ପହଣ୍ଡି କରିବେ। ପହଣ୍ଡି ବେଳେ କୌଣସି ବ୍ୟକ୍ତି ଶ୍ରୀମନ୍ଦିର ପରିସରରେ ନୃତ୍ୟ କରିପାରିବେ ନାହିଁ। ବେଦପାଠୀମାନେ କର୍ଡନ୍‍ ବାହାରେ ରହି ବେଦପାଠ କରିବେ ଓ ପ୍ରତି ଠାକୁରଙ୍କ ପାଖରେ ୭ଜଣ ବେଦପାଠୀ ରହିବେ। ଭକ୍ତମାନେ ଶ୍ରୀମନ୍ଦିର ବାହାରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଓ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରିବେ, କିନ୍ତୁ ସ୍ପର୍ଶ କରି ପାରିବେନି। ଦର୍ଶନ ସମୟରେ ଶ୍ରୀଜିଉଙ୍କ ସମ୍ମୁଖରେ ସେବାୟତଙ୍କ ଛିଡ଼ା ହେବା ଅବା ବାଡ଼ା ଉପରେ ବସିବା ଉପରେ କଟକଣା ଜାରି କରାଯାଇଛି। ଶ୍ରୀଜିଉମାନେ ରଥାରୂଢ଼ ହେବା ପରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଗଜପତି ମହାରାଜଙ୍କ ଛେରାପହଁରା ପୂର୍ବରୁ ଘଣ୍ଟୁଆମାନେ ରଥ ଉପରକୁ ଯିବେ ନାହିଁ। ତାଳଧ୍ବଜ ରଥରେ ୧୪ଜଣ, ଦେବଦଳନ ରଥରେ ୧୨ଜଣ ଓ ନନ୍ଦିଘୋଷ ରଥରେ ୧୬ଜଣ ଘଣ୍ଟୁଆ ରହିବେ। ଛେରାପହଁରା ପରେ ସଙ୍ଗେ ସଙ୍ଗେ ଚାର ଖୋଲାଯିବ। ଘୋଡ଼ା ଓ ଦଉଡ଼ି ବନ୍ଧା ନୀତି ସୀମିତ ସମୟ ଭିତରେ ଶେଷ ହେବ। ଛେରାପହଁରା ପରେ ବଳଭଦ୍ରଙ୍କ ରଥରେ ୬୦ଜଣ, ସୁଭଦ୍ରାଙ୍କ ରଥରେ ୫୦ଜଣ ଓ ଶ୍ରୀଜଗନ୍ନାଥଙ୍କ ରଥରେ ୭୦ଜଣ ସେବକ ରହିବେ। ଏହାଠାରୁ ଅଧିକ ସେବାୟତ ରଥ ଉପରେ ରହିବା ଉପରେ କଟକଣା ଜାରି କରାଯାଇଛି। ରଥ ଉପରକୁ ନଡ଼ିଆ, କଦଳୀ ଆଦି ପକାଇବା ଉପରେ କଟକଣା ଜାରି କରାଯାଇଛି।

ରଥଟଣା ପୂର୍ବରୁ କର୍ଡନ୍‍ ଭିତରେ ଥିବା ଦର୍ଶନାର୍ଥୀ ଓ ଅନଧିକୃତ ବ୍ୟକ୍ତିଙ୍କୁ ବାହାର କରି ରଥଟଣା ଆରମ୍ଭ ହେବ। ରଥ ଉପରେ ନୃତ୍ୟ କରିବା ଉପରେ କଟକଣା ଜାରି କରାଯାଇଛି। ରଥଟଣା ସମୟରେ କେବଳ ପ୍ରଶାସନର ଡାକବାଜି ଯନ୍ତ୍ର ବ୍ୟବହାର ହେବ। ରଥଟଣା ସମୟରେ କୌଣସି ସଂସ୍ଥା ଅବା ସଂକୀର୍ତ୍ତନମଣ୍ଡଳୀ ବ୍ୟାନର ଧରି ଆଗରେ ଠିଆ ହୋଇପାରିବେ ନାହିଁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପୂର୍ବରୁ ଯଦି ତିନି ରଥ ଅଧାବାଟରେ ଅଟକନ୍ତି, ତେବେ ସେଠାରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ। ତିନି ରଥରେ କୌଣସି ସିଡି ପକାଯିବ ନାହିଁ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନିରଥ ରହିବା ପରେ ଅନଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିପାରିବେ ନାହିଁ । ରଥ ଚାରିପଟେ କିମ୍ବା ଶ୍ରୀଗୁଣ୍ଡିଚା ମନ୍ଦିରରେ ଦଇତାପତି ନିଯୋଗ ତରଫରୁ କୌଣସି ଦାନବାକ୍ସ ରଖାଯିବ ନାହିଁ କିମ୍ବା ନିଯୋଗ ତରଫରୁ ଦର୍ଶନ ପାଇଁ କୌଣସି ଟିକେଟ୍ ବିକ୍ରି କରାଯିବ ନାର୍ହି। ଆବଶ୍ୟକ ହେଲେ ପ୍ରଶାସନ ନିଜ ତରଫରୁ ଦାନ ବାକ୍ସ ଲଗାଇବ।