ରଥଯାତ୍ରା ପାଇଁ ପୁଲିସର ପ୍ରସ୍ତୁତି: ଲାଗିବ ଅସ୍ଥାୟୀ ସିସିଟିଭି

ଭୁବନେଶ୍ୱର: ପୁରୀ ବଡ଼ଦାଣ୍ଡରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରା ବାତ୍ୟାରେ ଅଚଳ ହୋଇଯାଇଛି। ରାଥଯାତ୍ରାକୁ ଶୃଙ୍ଖଳିତ କରିବାରେ ଏହି କ୍ୟାମେରାଗୁଡ଼ିକର ବଡ଼ ଭୂମିକା ରହିଛି। ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅସ୍ଥାୟୀ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି। ସେହିପରି ଶ୍ରୀମନ୍ଦିର ଓ ବଡ଼ଦାଣ୍ଡକୁ ‘ନୋ ଫ୍ଲାଇଂ ଜୋନ୍‌’ ଭାବେ ଘୋଷଣା କରାଯାଇଛି। ‘ଲୋ ଲାଇନ୍‌ ଏରିଆ‌’ କୌଣସି ପ୍ରକାରର ଡ୍ରୋନ୍‌ ଉଡ଼ାଣ ଅନୁମତି ଦିଆଯିବ ନାହିଁ। ଲୋ ଲାଇନ୍‌ରେ ଉଡ଼ାଣ ହେଲେ ଏହା ଏଟିସି ରାଡାର୍‌ରେ ଆସୁନାହିଁ। ଯଦି ଏହି ଡ୍ରୋନ୍‌ରୁ କେହି ବୋମା ପକାଇବା ପାଇଁ ବ୍ୟବହାର କଲା ତେବେ ତାହାକୁ ଧରିବା ମଧ୍ୟ ସମ୍ଭବ ହେବ ନାହିଁ। ଏଣୁ କୌଣସି ପ୍ରକାରର ଡ୍ରୋନ୍‌ ଉଡ଼ାଣକୁ ସୁଯୋଗ ଦିଆଯିବ ନାହିଁ। ଏଥିପାଇଁ ସଚେତନତା ସୃଷ୍ଟି କରାଯିବ। ଯଦି କେହି ନ ମାନି ଡ୍ରୋନ୍‌ ଉଡ଼ାଇଲା ତେବେ ତାକୁ ଗୁଳି ମାରି ଖସାଇ ଦିଆଯିବ। ଏଥିପାଇଁ ଏକ ସ୍ବତନ୍ତ୍ର ଟିମ୍‌ କାମ କରିବ। ପୁରୀ ରଥଯାତ୍ରାକୁ ନେଇ ପୁଲିସ ପକ୍ଷରୁ ହୋଇଥିବା ପ୍ରସ୍ତୁତି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି।

ଆଜି ଭୁବନେଶ୍ବରସ୍ଥିତି ଡିଜିଙ୍କ କ୍ୟାମ୍ପ୍‌ ଅଫିସରରେ ଅନୁଷ୍ଠିତ ଏହି ବୈଠକରେ ପୁଲିସ ମହାନିର୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ବରିଷ୍ଠ ଅଧିକାରୀମାନଙ୍କ ସହ ରଥଯାତ୍ରା ପ୍ରସ୍ତୁତିକୁ ନେଇ ଆଲୋଚନା କରିଥିଲେ। ଚଳିତବର୍ଷ ଫନି ପ୍ରଭାବରେ ପୁଲିସର ଅନେକ ଭିତ୍ତିଭୂମି ପ୍ରଭାବିତ ହୋଇଛି। ପୁଲିସ ରହୁଥିବା ଜାଗା ତଥା ସ୍କୁଲ ଘର, ବାରାକ୍‌, ହୋଟେଲ ସହ ଅନ୍ୟାନ୍ୟ କୋଠାବାଡ଼ି ଭାଙ୍ଗି ଯାଇଥିବାରୁ ଏହା ପୁଲିସ ପାଇଁ ଆହ୍ବାନ ହୋଇଛି। ସେହିପରି ବିଦ୍ୟୁତ ସରବରାହ ଅଦ୍ୟାବଧି ସ୍ବାଭାବିକ ହୋଇ ନଥିବାରୁ ତାହା ରଥଯାତ୍ରା ସୁପରିଚାଳନାରେ ଯୋଗ ଦେବାକୁ ଯାଉଥିବା ପୁଲିସ ଅଧିକାରୀଙ୍କ ପାଇଁ ସମସ୍ୟା ହୋଇଛି। ପୁନରୁଦ୍ଧାର କାମ ଚାଲିଥିଲେ ମଧ୍ୟ ରଥଯାତ୍ରା ପୂର୍ବରୁ ଏହା ସ୍ବାଭାବିକ ହେବ‌ା ନେଇ ଆଶଙ୍କା ରହିଛି। ଏଣୁ ଏହି ସବୁ ଭିତ୍ତିଭୂମିରେ ବିଦ୍ୟୁତ ସଂଯୋଗ ସହ ଯଥା ସମ୍ଭବ ରହିବା ଉପଯୋଗୀ କରିବା ପାଇଁ ପ୍ରଶାସନ ସହ ଆଲୋଚନା ହୋଇଛି। ବାତ୍ୟାରେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବାରେ ଯୋଗାଯୋଗ ପ୍ରମୁଖ ହେଉଥିବାରୁ ତାହା ମଧ୍ୟ ଏବେ ଆଉ ଏକ ଆହ୍ବାନ ହୋଇଛି। ସେଥିପାଇଁ ଏଥର ଭିଏଚ୍‌ଏଫ୍‌ ଯୋଗାଯୋଗ ବ୍ୟବସ୍ଥା ଉପରେ ଗୁରୁତ୍ବ ଦିଆଯାଇଛି। ପ୍ରତିବର୍ଷ ଭଳି ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଉଛି। ପୂର୍ବରୁ ସିଆରପିଏଫ୍‌ ଓ ଆରଏଏଫ୍‌ ଅତି କମ୍‌ରେ ୨ କମ୍ପାନି ଫୋର୍ସ ଆସନ୍ତି। ସେଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ ଯୋଗାଯୋଗ କରାଯାଇଛି। ଆବଶ୍ୟକ ସଂଖ୍ୟକ ଫୋର୍ସ ମୁତୟନ କରାଯିବ। ତା ସହ ଓଡ଼ିଶା ପୁଲିସର ରହିଥିବା ବିଭିନ୍ନ ଫୋର୍ସ ମଧ୍ୟ ମୁତୟନ ରହିବେ। ଅନେକ ପାର୍କିଂ ଜାଗା ବାତ୍ୟା‌ରେ କ୍ଷତିଗ୍ରସ୍ତ ହୋଇଛି। ଗଛପଡ଼ି କେତେକ ନଷ୍ଟ ହୋଇଥିବା ବେଳେ କେ‌ତେକ ଜାଗାରେ ବାହାରୁ ଗଛ ନେଇ ଗଦାଇ ଦିଆଯାଇଛି। ଲକ୍ଷାଧିକ ଗାଡ଼ି ଏହି ଯାତ୍ରା ସମୟରେ ଆସୁଥିବାରୁ ଏହାକୁ ପ୍ରସ୍ତୁତ କରିବା ଜରୁରୀ ହୋଇଛି। ଏ ନେଇ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇଛି। ପୁନରୁଦ୍ଧାର କାମ ସହ ସମାନ୍ତରାଳ ଭାବରେ ଏହି କାମ କରିବା ପାଇଁ ଯୋଜନା କରାଯାଇଛି।

ରେଳବାଇ ପକ୍ଷରୁ ଅତିରିକ୍ତ ଟ୍ରେନ୍‌ ଚଳାଚଳ ପାଇଁ ବ୍ୟବସ୍ଥା ହେଉଥିବା ବେଳେ ରେଳଷ୍ଟେସନ୍‌ରେ ଯେଭଳି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାତ୍ରୀମାନେ କିଭଳି ଶୃଙ୍ଖଳିତ ଆସିବେ, ଯିବେ ସେଥିପାଇଁ ଷ୍ଟେସନ ଠାରେ ନିୟନ୍ତ୍ରଣ କରିବା ପାଇଁ ସ୍ବତନ୍ତ୍ର କକ୍ଷ ଖୋଲାଯିବା ଯୋଜନା ରହିଛି। ସେଥିପାଇଁ ଅତିରିକ୍ତ ‌ଫୋର୍ସ ସେଠାରେ ରଖାଯାଉଛି। ଯାତ୍ରୀଙ୍କୁ ଗୋଟିଏ ପଟେ ପ୍ରବେଶ ଓ ଗୋଟିଏ ପଟେ ପ୍ରସ୍ଥାନ ବ୍ୟବସ୍ଥା ମଧ୍ୟ ହେଉଛି। ସେହିପରି ଗୁଇନ୍ଦା ବ୍ୟବସ୍ଥାକୁ ମଧ୍ୟ କଡ଼ା କଡ଼ି କରାଯାଇଛି। ଯେ କୌଣସି ପ୍ରକାରର ଆକ୍ରମଣ ଯୋଜନାକୁ ପଣ୍ଡ କରିବା ପାଇଁ ପୁଲିସ ପ୍ରସ୍ତୁତ ରହିଛି। ଏଥିପାଇଁ କୋଷ୍ଟଗାର୍ଡ ସହ ଆଲୋଚନା ହୋଇଛି। ଆଗକୁ ସିଆରପିଏଫ୍‌ ଓ କୋଷ୍ଟ ଗାର୍ଡ ସହ ଏକତ୍ର ସମନ୍ବୟ ବୈଠକ ହେବାକୁ ଯାଉଛି। ଗୁଇନ୍ଦା ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ପ୍ରସ୍ତୁତ ରହିବା ପାଇଁ ସ୍ଥିର କରାଯାଇଛି। ଭିଭିଆଇପିଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି। ସେମାନଙ୍କର ରହଣି ଯେପରି ସୁବିଧାଜନକ ହୋଇପାରିବ ତାହା ଉପରେ ମଧ୍ୟ ସମୀକ୍ଷା କରାଯାଉଛି। ରଥଯାତ୍ରା ଶୃଙ୍ଖଳିତ କରିବାକୁ ସବୁ ଦିଗକୁ ନଜର ଦିଆଯାଇଛି ବୋଲି ପୁଲିସ ଡିଜି ଡା. ଶର୍ମା କହିଛନ୍ତି। କମ୍‌ ବ୍ୟବଧାନରେ ଆସିଥିବା ନିର୍ବାଚନ ଓ ଫନିରେ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଲ୍ଲେଖନୀୟ ସେବା କରିଥିବାରୁ ସମସ୍ତ ଅଧିକାରୀ ଓ ପୁଲିସ ବାହିନୀକୁ ଡିଜି ଧନ୍ୟବାଦ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ସିଆର୍‌ବି ନିର୍ଦ୍ଦେଶକ, ଏଡିଜି ଆଇନ ଶୃଙ୍ଖଳା, ରେଳବାଇ ଏଡିଜି, ଆଇଜି (ଅପରାଧ),ଏଡିଜି ଏସ୍‌ଏପି, ଆଇଜି(ମୁଖ୍ୟାଳୟ), ଗୁଇନ୍ଦା ନିର୍ଦ୍ଦେଶକ, ପୁଲିସ କମିସନର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର