ପ୍ରକଳ୍ପ ଭଣ୍ଡୁର ପାଇଁ ମେଳି

ଚଣ୍ଡିଖୋଲରେ ପ୍ରସ୍ତାବିତ ଅଶୋଧିତ ତୈଳ ଭଣ୍ଡାର ପ୍ରସଙ୍ଗ

ଯାଜପୁର/ଚଢ଼େଇଧରା: ଡଙ୍କାରିରେ ୫ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ କେନ୍ଦ୍ର ସରକାରଙ୍କ ଅଶୋଧିତ ତୈଳଭଣ୍ଡାରକୁ ବିରୋଧ ଆରମ୍ଭ ହୋଇଛି। ଆଜି ଯାଜପୁରର ଧର୍ମଶାଳା ଭବନରେ ଶତାଧିକ ପ୍ରଭାବଶାଳୀ ପଥର ଖାଦାନ୍‌ ମାଲିକ,କ୍ରସର ମାଲିକ ଓ ବ୍ୟବସାୟୀ ଏକଜୁଟ୍‌ ହୋଇ ତୈଳଭଣ୍ଡାର କରାଇ ନଦେବାକୁ ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନସ୍ଥ ଡଙ୍କାରି ପାହାଡ଼ ପାଦ ଦେଶରେ ଦେଶର ସର୍ବବୃହତ୍‌ ଭୂତଳ ଅଶୋଧିତ ତୈଳ ଭଣ୍ଡାର ପାଇଁ ୨୦୧୪ ମସିହାରେ ୫ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଚଳିତ ଆର୍ଥିକବର୍ଷ ବଜେଟ୍‌ରେ ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୩୮ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ପରେ, ଏହା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଅନୁମୋଦନ ଲାଭ କରିଛି। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ମନ୍ତ୍ରାଳୟ ଏନେଇ ରାଜ୍ୟ ସରକାରଙ୍କ ଜରିଆରେ ଜମି ଯୋଗାଇ ଦେବାକୁ ବାରମ୍ବାର ଚିଠି ଲେଖିଛି। ଏଥିନେଇ ବାରମ୍ବାର ଜିଲ୍ଲା ଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଖାତା ନମ୍ବର ୬୦୦ ଓ ପ୍ଲଟ୍‌ ନମ୍ବର ୨୨୧ରେ ୪ଶହ ଏକର ଜମି ପରିମିତ ସ୍ଥାନରେ ଏହି ପ୍ରକଳ୍ପ ହେବାର ପ୍ରସ୍ତାବ ରହିଛି। ଯାହାକୁ ନେଇ କେତେଜଣ କୋଟିପତି ପଥର ବ୍ୟବସାୟୀ, ଖାଦାନ ମାଲିକ ଓ କ୍ରସର୍‌ ମାଲିକ ନିଜର ପଥର ବ୍ୟବସାୟ ପ୍ରଭାବିତ ହେବା ଆଶଙ୍କାରେ ଆତଙ୍କିତ ହୋଇପଡ଼ିଛନ୍ତି। ଯାହାର ପ୍ରତିଫଳନ ଆଜି ଧର୍ମଶାଳା ଭବନ ବୈଠକରେ ସ୍ପଷ୍ଟ ହୋଇଯାଇଛି। ତେବେ ବୈଠକ ସମ୍ପର୍କରେ କିଛି ବ୍ୟକ୍ତିବିଶେଷ କହିଛନ୍ତି ଯେ, ଆଇନ୍‌ ଅନୁଯାୟୀ ଯେତିକି ଖଣିଖାଦାନ ଓ କ୍ରସର କାରବାର ଚାଲିଛି ତାହାର ଶହେ ଗୁଣ ବେଆଇନ୍‌ ପଥର ଚୋରା କାରବାର ଚାଲିଛି। ହଜାର ହଜାର କୋଟି ଟଙ୍କା ରାଜସ୍ୱ ସରକାର ହରାଉଛନ୍ତି। କେନ୍ଦ୍ର ପ୍ରକଳ୍ପକୁ ଲିଜ୍‌ଧାରୀମାନେ ଯେତିକି ବିରୋଧ କରୁ ନାହାନ୍ତି ବେଆଇନ୍‌ ଭାବେ ଖଣିଖାଦାନ ଓ କ୍ରସର ଜରିଆରେ ଲୁଟ୍‌ କରୁଥିବା କେତେକ ପଥର ବ୍ୟବସାୟୀ ତୈଳ ଭଣ୍ଡାରକୁ ଭଣ୍ଡୁର କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଅପପ୍ରଚାର କରିବାରେ ଲାଗିଛନ୍ତି।

ଅନ୍ୟପକ୍ଷରେ, ଏହି ପ୍ରକଳ୍ପ ହେଲେ ବେଆଇନ୍‌ ଖାଦାନ,କ୍ରସର କାରବାର ନିୟନ୍ତ୍ରଣ ହେବା ସହିତ ପ୍ରଦୂଷଣ, ଆଇନ୍‌ ଶୃଙ୍ଖଳା ଓ ପ୍ରାକୃତିକ ସନ୍ତୁଳ ରକ୍ଷା କରାଯାଇ ପାରିବ ବୋଲି ପରିବେଶ୍‌ବିତ ମତ ବ୍ୟକ୍ତ କରିଛନ୍ତି। ତେବେ, ଏହି ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଥିବା ରାଜନୈତିକ ଗୋଟିଚାଳନା କେଉଁ ବାଟରେ ଯାଉଛି ତାହା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି।

ସରକାରୀ ତନାଘନା: ଏଡିଏମ୍‌ ଓ ତହସିଲ୍‌ଦାର୍‌ଙ୍କୁ ରିପୋର୍ଟ ମଗାଗଲା
ଭୁବନେଶ୍ୱର: ଚଣ୍ଡିଖୋଲରେ ଇଣ୍ଡିଆନ୍‌ ଅଏଲ୍‌ର ଅଶୋଧିତ ତୈଳ ଭଣ୍ଡାର ପ୍ରସ୍ତାବକୁ ନେଇ ସରକାରୀ ସ୍ତରରେ ତନାଘନା ଆରମ୍ଭ ହୋଇଛି। ଡଙ୍କାରି ପାହାଡ଼ରେ ଏଥି ପାଇଁ ଇଣ୍ଡିଆନ୍‌ ଅଏଲ୍‌ ପକ୍ଷରୁ ଜାଗା ମଗାଯାଇଥିଲାବେଳେ ସେହି ଜାଗା ବିଷୟରେ ଟିକିନିଖି ବିବରଣୀ ସରକାର ମାଗିଛନ୍ତି। ଚଳିତମାସ ପ୍ରଥମ ସପ୍ତାହରେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ସଚିବାଳୟରେ ଏକ ବୈଠକ କରି ଯାଜପୁର ଏଡିଏମ୍‌ ଓ ଧର୍ମଶାଳା ତହସିଲ୍‌ଦାର୍‌ଙ୍କୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି। ଡଙ୍କାରି ପାହାଡ଼ରେ କେତେ ପରିମାଣର ଖଣିଜ ଦ୍ରବ୍ୟ ମହଜୁଦ୍‌ ଅଛି ? ଏହାର ହିସାବ କରିବାକୁ ଯାଜପୁର ଏଡିଏମ୍‌ ଓ ଧର୍ମଶାଳା ତହସିଲ୍‌ଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କରିବା ବେଳେ ଯାଜପୁରର ଖଣି ଉପ ନିର୍ଦ୍ଦେଶକଙ୍କୁ ସାମିଲ୍‌ କରାଯିବ। ଡଙ୍କାରି ପାହାଡ଼ରେ ପ୍ରସ୍ତାବିତ ତୈଳ ଭଣ୍ଡାର ପାଇଁ କେତେ ଏକର ଜାଗା ନିର୍ଦ୍ଦିଷ୍ଟ ଭାବେ ମଗାଯାଇଛି? ଏଠାରୁ ଗତ ପାଞ୍ଚ ବର୍ଷ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟ ବାବଦକୁ କେତେ ରୟାଲିଟି ଆସିଛି ? କେତେ ଜରିମାନା ଆଦାୟ କରାଯାଇଛି? ଧର୍ମଶାଳା ତହସିଲ୍‌ଦାର୍‌ ଏହି ରିପୋର୍ଟ ଦେବେ। ଗତ ତିନି ବର୍ଷରେ ବିଭିନ୍ନ ସଂସ୍ଥା ନିଜ ନିଜ ପ୍ରକଳ୍ପ ପାଇଁ କେତେ ପରିମାଣର ଲଘୁ ଖଣିଜ ଦ୍ରବ୍ୟ ଏଠାରୁ ଉତ୍ତୋଳନ କରିଛନ୍ତି ଓ ସେଥିରୁ ସରକାର କେତେ ରୟାଲିଟି ପାଇଛନ୍ତି, ତାହାର ହିସାବ ହେବ। ଏହି ସଂସ୍ଥାଗୁଡ଼ିକର ଆସନ୍ତା ୩ରୁ ୫ ବର୍ଷ ପର୍ଯ୍ୟନ୍ତ ନିଜ ନିଜ ପ୍ରକଳ୍ପ ପାଇଁ ଏଠାରୁ କେତେ ପରିମାଣରୁ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ କରିଥା’ନ୍ତେ, ତାହାର ମଧ୍ୟ ଆକଳନ କରାଯାଇଛି। ଯଦି ଡଙ୍କାରି ପାହାଡ଼ ତୈଳ ଭଣ୍ଡାର ପାଇଁ ବ୍ୟବହାର ହୁଏ ଓ ଲଘୁ ଖଣିଜ ଦ୍ରବ୍ୟର ଉତ୍ତୋଳନ ଏଠାରୁ ବନ୍ଦ ହୋଇଯାଏ, ତେବେ ଭବିଷ୍ୟତରେ ବ୍ୟବହାରକାରୀ ସଂସ୍ଥାଗୁଡ଼ିକର ପ୍ରକଳ୍ପ ଉପରେ କି ପ୍ରଭାବ ପକାଇବ? ବିକଳ୍ପ ବାଟ ଭାବେ ସେମାନେ କେଉଁଠାରୁ ଲଘୁ ଖଣିଜ ଦ୍ରବ୍ୟ ନେବେ? ଏହାର ଆକଳନ ବି କରିବାକୁ ସଂପୃକ୍ତ ସଂସ୍ଥାଗୁଡ଼ିକୁ କୁହାଯାଇଛି।

ସମ୍ବନ୍ଧିତ ଖବର