ଡିସେମ୍ବର ତୃତୀୟ ସପ୍ତାହରେ ଶ୍ରୀମନ୍ଦିର ଖୋଲିବାକୁ ପ୍ରସ୍ତୁତି, ଗଠିତ ହେଲା ଉଚ୍ଚସ୍ତରୀୟ କମିଟି

ପୁରୀ: କୋଭିଡ୍‌ କଟକଣା ଭିତରେ ଡିସେମ୍ବର ତୃତୀୟ ସପ୍ତାହରୁ ଖୋଲିପାରେ ଶ୍ରୀମନ୍ଦିର। ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରୁ ଏପରି କିଛି ନିଷ୍କର୍ସ ବାହାରିଛି। କେଉଁଭଳି କଟକଣା ଭିତରେ ଶ୍ରୀମନ୍ଦିର ଖୋଲାଯିବ ସେ ଉପରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ କମିଟି ଗଠନ କରାଯାଇଛି। ଯେଉଁଥିରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ପ୍ରମୁଖ ରହିଛନ୍ତି। କେବଳ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

ଆଜି ପରିଚାଳନାର କମିଟିରେ ଶ୍ରୀମନ୍ଦିର ଖୋଲିବା ନେଇ ତୁମ୍ବିତୋଫାନ ହୋଇଥିଲା। ସମସ୍ତ ପରିଚାଳନା କମିଟି ସଦସ୍ୟଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା, କେବେ ଶ୍ରୀମନ୍ଦିର ଖୋଲିବ। ଏଥିପାଇଁ ଦୀର୍ଘ ସମୟ ଧରି ମତାମତ ନିଆ ଯାଇଥିଲା। ଜଣେ କି ଦୁଇଜଣ ନୁହେଁ, ଜଣ ଜଣ କରି ମତାମତ ସଂଗ୍ରହ କରାଯାଇଥିଲା। ସମସ୍ତେ ଡିସେମ୍ବରରୁ ଶ୍ରୀମନ୍ଦିର ଖୋଲିବା ଉପରେ ମତ ରଖିଥିଲେ। ଏଥିପାଇଁ ସମସ୍ତେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମତ ଦେଇଥିଲେ। ତେବେ ଗଜପତି ମହାରାଜ ନିଜସ୍ବ ମତରେ ଫେବ୍ରୁଆରିରୁ ଶ୍ରୀମନ୍ଦିର ଖୋଲିଲେ ଭଲ ହେବ ବୋଲି କହିଥିଲେ। ‌କିନ୍ତୁ ପରିଚାଳନା କମିଟି ସଦସ୍ୟ ଏହାର ଦୃଢ଼ ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର