ସୁନ୍ଦରଗଡ଼: ଲାଗିଛି ପୋକଲିନ୍, ଡ୍ରିଲିଂ ମେସିନ୍। ନିୟୋଜିତ ହୋଇଛନ୍ତି ୫ ଶହରୁ ଅଧିକ ଶ୍ରମିକ। କାମ ତଦାରଖ ପାଇଁ ୧୦ରୁ ଅଧିକ ଅସ୍ଥାୟୀ ଶିବିର ରହିଛି। ଗୋଟିଏ କି ଯୋଡ଼ିଏ ନୁହେଁ, ଖୋଳା ସରିଲାଣି ଶହେରୁ ଅଧିକ କୋଇଲା ଖଣି। ଉତ୍ତୋଳନ ହୋଇ ସାରିଲାଣି ହଜାର ହଜାର ଟନ୍ କୋଇଲା। ୨୦ରୁ ଅଧିକ ଷ୍ଟକ୍ୟାର୍ଡରୁ ଟ୍ରାକ୍ଟର, ମଲ୍ଟି ଏକ୍ସଲ୍ ଟ୍ରକ୍ରେ ଦିନରାତି ବୁହାହେଉଛି। ଏହା କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ଆବଣ୍ଟିତ କୌଣସି ଖଣି ନୁହେଁ, ଏସବୁ ଚୋରା ଖଣି। ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷବର୍ଷ ଧରି ଚାଲିଥିବା ରାଜ୍ୟର ସବୁଠୁ ବଡ଼ ଚୋରା ଖଣି। ଏମ୍ସିଏଲ୍ର ପଶ୍ଚିମ ବସୁନ୍ଧରା ଖଣି କ୍ଷେତ୍ର ଓ ସରଡେଗା ରେଳ ସାଇଡିଂର ମାତ୍ର ଅଧକିଲୋମିଟର ଦୂର ଗୋପାଳପୁର-କୁଲାପଡ଼ା-ତେଲେନଡିହି ସଂରକ୍ଷିତ ଜଙ୍ଗଲରେ ସମାନ୍ତରାଳ ଭାବେ ରହିଛି ମାଫିଆଙ୍କ କଳାହୀରାର କଳା ସାମ୍ରାଜ୍ୟ। ଜଙ୍ଗଲରେ ୧୫ କିଲୋମିଟର ବ୍ୟାପି ରହିଥିବା ଏ ଚୋରାଖଣିକୁ ଦେଖିଲେ ଆଖି ଖୋସି ହୋଇଯିବ। ବିଶ୍ବାସ କରିହେବ ନାହିଁ, ଏମିତି ହୋଇପାରେ ଖଣି ଚୋରି। ଏହା ମଧ୍ୟରେ ସବୁଠୁ ବଡ଼ ପ୍ରଶ୍ନ ହେଲା, ଦିନରାତି ଖୋଲାଖୋଲି ଖଣିଖୋଳା ଚାଲିଥିଲେ ମଧ୍ୟ ଖଣି ବିଭାଗ, ପୁଲିସ, ପ୍ରଶାସନ କେମିତି ଏ ସଂପର୍କରେ ଜାଣି ପାରୁନାହାନ୍ତି? ଗୋପାଳପୁର ଅଞ୍ଚଳ ଏମ୍ସିଏଲ୍କୁ ଆବଣ୍ଟିତ ହୋଇଥିବା ବେଳେ ଖଣିଚୋରି ସମ୍ପର୍କରେ କମ୍ପାନି କର୍ତ୍ତୃପକ୍ଷ ଟେର୍ ନ ପାଇବା ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ହେମଗିର ବ୍ଲକ୍ ଗୋପାଳପୁର-କୁଲାପଡ଼ା ଓ ତେଲେନଡିହି ଜଙ୍ଗଲ ଭିତରେ ଶହଶହ ଚୋରା କୋଇଲାଖଣି ଚାଲୁଥିବା ଖବର ପାଇଲା ପରେ ଗୁରୁବାର ଅପରାହ୍ନରେ ‘ସମ୍ବାଦ’ ଓ ‘କନକନ୍ୟୁଜ୍’ ଟିମ୍ ଜଙ୍ଗଲ ଆଡ଼କୁ ମୁହାଁଇଥିଲା। ତେଲେନଡିହି ଜଙ୍ଗଲ ଭିତରକୁ ପଶିଲା ପରେ ଚୋରା ଖଣିର ଚିତ୍ର ସବୁ ସାମନାକୁ ଆସିଥିଲା। ଜଙ୍ଗଲ ଭିତରେ ମାଟି କାଟି ରାସ୍ତା କରାଯାଇଛି। ଆଉ ଷ୍ଟକ୍ୟାର୍ଡ ସାଙ୍ଗକୁ କୋଇଲା ବୋଝେଇ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ୮ କିଲୋମିଟର ଯିବା ମଧ୍ୟରେ ୨୫ରୁ ଅଧିକ ଖଣି ସାଙ୍ଗକୁ ବଡ଼ବଡ଼ ୪ଟି ଷ୍ଟକ୍ୟାର୍ଡ ଦେଖିବାକୁ ମିଳିଥିଲା। ମାଫିଆମାନେ ସେଠାରୁ ହଜାର ହଜାର ଟନ୍ କୋଇଲା ଖୋଳି ବିକ୍ରିକରି ସାରିଥିଲା ବେଳେ ଆହୁରି ଖନନ ଚାଲିଛି। ଆଗକୁ ଏହି ରାସ୍ତା ୩୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି, ଯେଉଁଥିରେ ଆହୁରି ଶହଶହ ଖଣି ଓ ଷ୍ଟକ୍ୟାର୍ଡ ରହିଛି।
କୁଲାପଡ଼ା, ତେଲେନଡିହି ଜଙ୍ଗଲରେ ଶହଶହ ଚୋରା କୋଇଲା ଖଣି ସମ୍ପର୍କରେ ‘କନକନ୍ୟୁଜ୍’ ଓ ‘ସମ୍ବାଦ ଡିଜିଟାଲ୍’ରେ ଖବର ପ୍ରକାଶ ପରେ ଶୁକ୍ରବାର ଦିନ ୧୨ଟାରେ ପ୍ରଶାସନ, ପୁଲିସ ଓ ବନବିଭାଗ ପକ୍ଷରୁ ସେଠାରେ ମିଳିତ ଚଢ଼ଉ କରାଯାଇଛି। ସୁନ୍ଦରଗଡ଼ ଉପଜିଲ୍ଲାପାଳ ଦାଶରଥି ସରାବୁ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ସୁନ୍ଦରଗଡ଼ ତହସିଲଦାର କୁଳମଣି ରଣବିଡ଼ା, ହେମଗିର ତହସିଲଦାର ସାରିକା ଧମେଲ, ହେମଗିର ବନାଞ୍ଚଳ ଅଧିକାରୀ ପ୍ରକାଶ ଚନ୍ଦ୍ର ନାଏକଙ୍କ ସହ ପୁଲିସ ଫୋର୍ସ ପହଞ୍ଚି ଜଙ୍ଗଲ ଭିତରେ ଚୋରାଖଣି, ଷ୍ଟକ୍ୟାର୍ଡରେ ଚଢ଼ଉ କରିଥିଲେ। ହେଲେ ଚଢ଼ଉ ପୂର୍ବରୁ ମାଫିଆ ଓ ଶ୍ରମିକମାନେ ଫେରାର ହୋଇଯାଇଥିଲେ। ଏପରିକି ପୋକଲିନ୍, ଡ୍ରିଲିଂ ମେସିନ ବି ନେଇ ଯାଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ଜଙ୍ଗଲ ମଧ୍ୟରେ ଥିବା ଅସ୍ଥାୟୀ ଶିବିରକୁ ନିଆଁ ଲଗାଇ ଜାଳି ଦେଇଥିଲା ଟିମ୍। ଖଣି ବିଭାଗ ଆସି ଚୋରା କୋଇଲା ଜବତ କରିବା ସହ ଚୋରାଖଣି ସିଲ୍ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ଶ୍ରୀ ସରାବୁ। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଡ୍ରୋନ୍ କ୍ୟାମେରା ସହାୟତାରେ ବେଆଇନ ଖଣି ସବୁ ଚିହ୍ନଟ କରାଯାଇଛି।