ଭୁବନେଶ୍ବର: ଚଳିତ ମାସ ୧୯ ତାରିଖରୁ ନିଖୋଜ ଥିବା ବରମୁଣ୍ଡାର ନବଘନ ପାଟ୍ଟଶାଣୀ ଓରଫ୍ ବାଙ୍କା(୪୩)ଙ୍କୁ ଅପହରଣ କରିବା ପରେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ତାଙ୍କୁ କୌଣସି ମାରଣାସ୍ତ୍ରରେ ହାଣି ପକାଇବା ସହ ଗଳା କାଟିଦେଇଥିବା ଜଣାପଡ଼ିଛି। ଭୁବନେଶ୍ବରରୁ ଅପହରଣ କରିବା ଦିନ ରାତିରେ ହିଁ ତାଙ୍କୁ ହତ୍ୟା କରି କଟକ ସଦର ଗୋବିନ୍ଦପୁର ଥାନା ଅଞ୍ଚଳରେ ଫୋପାଡ଼ି ଦେଇଥିବା ସ୍ପଷ୍ଟ ହୋଇଛି। ଆଜି ୧୨ ଦିନ ପରେ ଭରତପୁର ଥାନା ପୁଲିସ ଗୋବିନ୍ଦପୁର ଥାନା ପୁଲିସଠାରୁ ମୃତଦେହକୁ ଆଣି ବାଙ୍କାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ପରେ ଶବକୁ ଦେବୀ ନଦୀ ପଠାରେ ପୋତି ଦେଇଥିବା ଗୋବିନ୍ଦପୁର ଥାନା ପୁଲିସ ଆଜି ପଠାରୁ ବାଲିତଳୁ ଶବ ବାହାର କରି ହସ୍ତାନ୍ତର କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହରେ ଭରତପୁର ଥାନା ପୁଲିସ ୪ ସନ୍ଦିଗ୍ଧଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଏହି ସୁଚିନ୍ତିତ ହତ୍ୟାକାଣ୍ଡ ପଛ‌ରେ ବିଭିନ୍ନ କାରଣ ଥିବା ଆଲୋଚନା ହେଉଥିଲେ ହେଁ ପ୍ରକୃତ କାରଣ ଜଣାପଡ଼ିନାହିଁ। ଯୋଜନାବଦ୍ଧ ଭାବେ ବାଙ୍କାଙ୍କୁ ହତ୍ୟା କରାଯାଇଥିବାରୁ କୌଣସି ପୂର୍ବ ଶତ୍ରୁତା ଏହାର କାରଣ ବୋଲି କୁହାଯାଉଛି ଏବଂ ପୁଲିସ ସେହିଦିଗରେ ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Advertisment

ବାଙ୍କାଙ୍କ ଘର ବରମୁଣ୍ଡା ଗାଁରେ। କିନ୍ତୁ ସେ ପତ୍ନୀ ଓ ଦୁଇ ଝିଅଙ୍କ ସହ କଳିଙ୍ଗନଗର କେ-୭ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ୧୯ ତାରିଖ ସକାଳେ ସେ ନିଜ ଫର୍ଚୁନର୍‌ ଗାଡ଼ି ଧରି ଘରୁ ବାହାରି ଯାଇଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ତାଙ୍କ ପତ୍ନୀ ସୁଲୋଚନା ଫୋନ୍‌ କରିଥିଲେ। କିନ୍ତୁ ଫୋନ୍‌ ସୁଇଚ୍‌ ଅଫ୍ ହୋଇଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାଙ୍କାଙ୍କ ଖୋଜଖବର ମିଳିନଥିଲା। ତେଣୁ ୨୦ ତାରିଖ ସକାଳେ ସୁଲୋଚନା ଭରତପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ମାମଲା ରୁଜୁ କରିବା ସହ ଫୋନ୍ ନମ୍ବର ଟ୍ରାକ୍‌ କରିବା ଆରମ୍ଭ କରିଥିଲା। ସେପଟେ ୨୦ ତାରିଖ ସକାଳେ କଟକ ସଦର ଗୋବିନ୍ଦପୁର ଥାନା ଅଧୀନ ଉଢ଼ାଳ ଗାଁ ନିକଟ ତେଲିଯୋରୀ ନାଳରେ ଘଞ୍ଚ ଦଳ ଭିତରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଦେଖିବାକୁ ମିଳିଥିଲା। ଯୁବକଙ୍କ ଗଳା କଟା ହୋଇଥିଲା ଏବଂ ଶରୀରର ବିଭିନ୍ନ ସ୍ଥାନରେ ହଣା ଦାଗ ରହିଥିଲା। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ମୃତକଙ୍କ ପରିଚୟ ନ ମିଳିବାରୁ ଗୋବିନ୍ଦପୁର ଥାନା ପୁଲିସ କଟକ ବଡ଼ଡାକ୍ତରଖାନାରେ ଶବକୁ ୪ ଦିନ ରଖିବା ପରେ ବ୍ୟବଚ୍ଛେଦ କରାଇ ଦେବୀ ନଦୀପଠା ବାଲିରେ ପୋତି ଦେଇଥିଲା। ଗତକାଲି ରାତିରେ କଟକ ପୁଲିସ ଫାଇଲ୍‌ରୁ ଫଟୋ ଦେଖି ଭରତପୁର ଥାନା ପୁଲିସ ତାହା ବାଙ୍କାଙ୍କର ବୋଲି ଜାଣିପାରିଥିଲା। ଆଜି ଭରତପୁର ଥାନା ପୁଲିସ ପରିବାର ଲୋକଙ୍କୁ ନେଇ ସେଠାରୁ ମୃତଦେହ ଆଣିଥିଲା।

ଫର୍ଚୁନର୍‌ରେ ଛପିଛି ରହସ୍ୟ
୧୯ ତାରିଖରୁ ବାଙ୍କା ନଖୋଜ ହୋଇଥିଲେ। କିନ୍ତୁ ତାଙ୍କ ଫର୍ଚୁନର୍‌ ରାଜଧାନୀରେ ଚକ୍କର କାଟୁଥିଲା। ଆଶ୍ଚର୍ଯ୍ୟର କଥା ପୁଲିସ କିନ୍ତୁ ଗାଡ଼ିକୁ ଚିହ୍ନଟ କରିପାରି ନଥିଲା। ୨୪ ତାରିଖ ଦିନ ଚନ୍ଦ୍ରଶେଖରପୁର ଅଞ୍ଚଳରେ ବାଙ୍କାଙ୍କୁ ଖୋଜୁଥିବା ସମ୍ପର୍କୀୟମାନେ ଗାଡ଼ିକୁ ଦେଖି ପିଛା କରିଥିଲେ। ଗାଡ଼ିରେ ବାଙ୍କା ନଥିବା ଦେଖି ସେମାନେ ତୁରନ୍ତ ପୁଲିସକୁ ଫୋନ୍‌କରି ଘଟଣା ସମ୍ପର୍କରେ ଜଣାଇଥିଲେ। ଭରତପୁର ଥାନା ପୁଲିସ ଜାଗମରା ଅଞ୍ଚଳରୁ ଫର୍ଚୁନର୍‌କୁ ଜବତ କରିଥିଲା। ଗାଡ଼ି ଚଳାଉଥିବା ଯୁବକଙ୍କୁ କାବୁ କରି ପୁଲିସ ଥାନାକୁ ନେଇ ପଚରାଉଚରା କରିଥିଲା। ମାତ୍ର ପରେ ତାଙ୍କୁ ଛାଡ଼ି ଦେଇଥିଲା। ତାଙ୍କ କହିବା କଥା ଥିଲା କି ତାଙ୍କଠାରୁ ୩ ଲକ୍ଷ ଟଙ୍କା କରଜ ନେଇଥିବା ଜଣେ ଯୁବକ ଏହି ଫର୍ଚୁନର୍‌କୁ ବନ୍ଧକ ସୂତ୍ରରେ ତାଙ୍କୁ କିଛି ଦିନ ରଖିବାକୁ ଦେଇଛି। ଏହାବାଦ୍ ସେ ଆଉ କିଛି ଜାଣିନାହାନ୍ତି। ପୁଲିସ ୩ ଲକ୍ଷ ଟଙ୍କା କରଜ ଦେଇଥିବା ଯୁବକଙ୍କୁ ଥାନାକୁ ଡକାଇବା ପରେ ସେ କହିଥିଲା କି ବାଙ୍କା ହିଁ ତାଙ୍କୁ ଗାଡ଼ି ଦେଇଥିଲା। କିନ୍ତୁ ଏହାପରେ ସେ କୁଆଡ଼େ ଗଲେ, ତାଙ୍କୁ ଜଣାନାହିଁ। ଆଜି ପୁଲିସ ଯେଉଁ ୪ ଜଣଙ୍କୁ ଅଟକ ରଖିଛି, ସେମାନଙ୍କ ମଧ୍ୟରେ ଏହି ୨ ଯୁବକ ଥିବା ଜଣାପଡ଼ିଛି। କିନ୍ତୁ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା, ଏହି ମାମଲା ବେଶ୍‌ ଜଟିଳ। ହତ୍ୟା କରିବାକୁ ଅପହରଣ କରିଥିବା ଦୁର୍ବୃତ୍ତମାନଙ୍କ ସହ ଏହି ୨ ଯୁବକଙ୍କ ସମ୍ପୃକ୍ତି ଥିବା ଆଶା କ୍ଷୀଣ। ସେମାନେ ବାଙ୍କାଙ୍କ ଫର୍ଚୁନର୍‌ ଧରି ଖୋଦ୍‌ ରାଜଧାନୀରେ ନିର୍ଭୟରେ ବୁଲୁଥିଲେ। ତେଣୁ ଲାଗୁଛି, ସେମାନେ ହତ୍ୟାକାଣ୍ଡ ବାବଦରେ କିଛି ଜାଣିନାହାନ୍ତି। କିମ୍ବା ନ
ଜାଣିବାର ନାଟକ କରୁଛନ୍ତି।

ସିଡିଆର୍‌ ଖୋଲିବ ଗୁମର
ବାଙ୍କାଙ୍କ ମୋବାଇଲ୍‌ ମିଳିପାରି ନାହିଁ। ହତ୍ୟାକାରୀମାନେ ମୋବାଇଲ୍‌କୁ ନେଇଯାଇଛନ୍ତି କିମ୍ବା କେଉଁଠି ଫୋପାଡ଼ି ଦେଇଛନ୍ତି। ତେଣୁ ପୁଲିସ ତାଙ୍କ ସିଡିଆର୍‌ ଯାଞ୍ଚ କରୁଛି। ସିଡିଆର୍‌ ରିପୋର୍ଟରୁ ବହୁତ କିଛି ତଥ୍ୟ ମିଳିବ ବୋଲି ପୁଲିସ ଆଶା ରଖିଛି। ସେହିଭଳି ୧୯ ତାରିଖ ଦିନ ବାଙ୍କାଙ୍କ ଫର୍ଚୁନର୍‌ର ଗତିପଥ ଜାଣିବା ପାଇଁ ପୁଲିସ ସହରର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି।

୧୬ ନଂ ଜାତୀୟ ରାଜପଥ ଅବରୋଧ
ଆଜି ସନ୍ଧ୍ୟାରେ ବାଙ୍କାଙ୍କ ସମର୍ଥକ ଓ ସମ୍ପର୍କୀୟମାନେ ବରମୁଣ୍ଡା କାଳୀମନ୍ଦିର ସମ୍ମୁଖରେ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସେମାନେ ରାସ୍ତାରୋକ୍‌ କରିଥିଲେ। ବରିଷ୍ଠ ପୁଲିସ ଅଧିକାରୀମାନେ ସେମାନଙ୍କୁ ବୁଝାସୁଝା କରିବା ପରେ ଲୋକେ ଧାରଣାରୁ ହଟିଥିଲେ। ଏଥିପାଇଁ ଅଧଘଣ୍ଟା ପର୍ଯ୍ୟନ୍ତ ରାଜପଥ‌ରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା।

ଥରେ ବର୍ତ୍ତିଯାଇଥିଲେ
ଜମିବାଡ଼ି କାରବାର କରୁଥିବା ବାଙ୍କାଙ୍କୁ ବିଲ୍‌ଡର ବୋଲି କୁହାଯାଉଥିଲା। ଏହାବାଦ୍‌ ରାଜଧାନୀରେ ସକ୍ରିୟ ଥିବା ଏକ ଅପରାଧୀ ଗ୍ୟାଙ୍ଗ୍‌ ସହ ସେ ସାମିଲ ଥିଲେ। ତେଣୁ ଏକଦା ତାଙ୍କୁ ଖଣ୍ଡଗିରି ଥାନା ନିକଟ ଏକ ଚା’ ଦୋକାନ ସମ୍ମୁଖରେ ପ୍ରାଣାନ୍ତକ ଆକ୍ରମଣ କରାଯାଇଥିଲା। ଦାଦାବଟି ମାଗି ସବୁବେଳେ ହଇରାଣ କରୁଥିବାରୁ ଉତ୍‌କ୍ଷିପ୍ତ ହୋଇ ଖଣ୍ଡଗିରିରେ କବାଡ଼ିଆ ଗୋଦାମ କରିଥିବା ପୁରୀ ଅଞ୍ଚଳର ଜଣେ ଯୁବକ ବାଙ୍କାଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରିଥିଲା। ବାଙ୍କା ସାମାନ୍ୟ ଆହତ ହୋଇ ବର୍ତ୍ତି ଯାଇଥିଲେ। ଖଣ୍ଡଗିରି ଥାନା ପୁଲିସ ଆକ୍ରମଣକାରୀ ଶଶାଙ୍କ ବଳିଆରସିଂହକୁ ଗିରଫ କରିଥିଲା। ସେବେଠୁ ବାଙ୍କା ତା’ ଗ୍ୟାଙ୍ଗ୍‌ର ସୁରକ୍ଷା ବଳୟରେ ରହୁଥିଲା।