ଶ୍ରୀକାନ୍ତ ସାହୁ
କୋରାପୁଟ: ସୁପ୍ରିମକୋର୍ଟରେ ମାମଲାର ବିଚାର ଚାଲିଛି। ଅନୁପ୍ରବେଶକୁ ତୀବ୍ର ବିରୋଧ କରୁଛି ଓଡ଼ିଶା। ତଥାପି କୋଟିଆ ହାତେଇବା ଉଦ୍ୟମରୁ ପଛକୁ ହଟୁନି ଆନ୍ଧ୍ର। ଲୋଭନୀୟ ଯୋଜନାକୁ ଅସ୍ତ୍ର କରି କୋଟିଆବାସୀଙ୍କ ମନ ଜିଣିବାକୁ ପ୍ରୟାସ ଜାରି ରଖିଛି। ଗୋଟିଏ କି ଦୁଇଟି ନୁହେଁ, କୋଟିଆ ପାଇଁ ସ୍ବତନ୍ତ୍ର ଭାବେ ୩୮ଟି ଯୋଜନା ପ୍ରଣୟନ କରିଛି ଆନ୍ଧ୍ର ସରକାର। ଏସବୁ ଏବେ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଉଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ କୋଟିଆ ପଞ୍ଚାୟତରେ ରହିଛି ୨୧ଟି ଗ୍ରାମପୁଞ୍ଜ। କିନ୍ତୁ ପଡ଼ୋଶୀ ଆନ୍ଧ୍ର ପ୍ରଶାସନ ଦାବି କରୁଛି ଯେ ଓଡ଼ିଶା ନୁହେଁ, ବରଂ ବିଜୟନଗରମ୍‌ ଜିଲ୍ଲା ସାଲୁର ମଣ୍ତଳରେ କୋଟିଆ ରହିଛି। ବାସ୍ତବତା ହେଲା, ଓଡ଼ିଶାର କୋଟିଆ ସୀମାନ୍ତରେ ଥିବା ଏହି ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧୢରେ ୧୯୬୮ ମସିହାରୁ ବିବାଦ ଚାଲିଛି। ଏଥିନେଇ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଆନ୍ଧ୍ର ଅନୁପ୍ରବେଶ ଜରିଆରେ ବାରମ୍ବାର କୋଟିଆରେ ଦବଦବା ଜାହିର୍ କରି ଆସୁଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଗତ କିଛି ମାସ ହେଲା ଆନ୍ଧ୍ର ଏକ ବଡ଼ ଧରଣର ଯୋଜନା ଚଳାଇଛି। ଏସବୁ ଅଞ୍ଚଳର ଲୋକଙ୍କୁ ଡରାଇ ଧମକାଇ ସମର୍ଥନ ପତ୍ର ଲେଖାଇ ନେଇଛି। ଏଭଳି ଏକ ଷଡ଼୍‌ଯନ୍ତ୍ରର ମୁଖ୍ୟ ପୁରୋଧା ସାଜିଛନ୍ତି ଆନ୍ଧ୍ରର ୧୯ ଜଣ ଦଲାଲ। ଅନ୍ୟପଟରେ ଓଡ଼ିଶା ସରକାର ମଧ୍ୟ କୋଟିଆ ଉପରେ ନଜର ରଖିଛନ୍ତି। ସେଠାରେ ଅଧିକରୁ ଅଧିକ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ ହେଉଛି।

Advertisment

ଅତି ନିରେଖି ଦେଖିଲେ ଜଣାପଡ଼ୁଛି ଯେ କୋଟିଆକୁ ନିଜର କରିବା ଲାଗି ଦୁଇ ରାଜ୍ୟ ବିଭିନ୍ନ ଯୋଜନାକୁ ଅସ୍ତ୍ର କରିଛନ୍ତି। ଆନ୍ଧ୍ରପ୍ରଦେଶ ଭଳି ଓଡ଼ିଶା ସରକାରଙ୍କ କୋଟିଆରେ ୨୨ଟିରୁ ଅଧିକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ସମନ୍ବିତ କୃଷି, ଉଦ୍ୟାନ କୃଷି, ଜଙ୍ଗଲ ଜମି ପଟ୍ଟା, ମୋ ପୋଖରୀ, ସମନ୍ବିତ ଆଳୁ ଚାଷ, ଝାଡୁ ପକ୍ରିୟାକରଣ, ଭତ୍ତା, ଆବାସ, ମନରେଗା ଭଳି ଯୋଜନା ସହ ଶିକ୍ଷା ଭିତ୍ତିଭୂମି ସୁଦୃଢ଼ ପାଇଁ ସ୍କୁଲ ଘର, ଆଇନଶୃଙ୍ଖଳା ନିୟନ୍ତ୍ରଣ ଲାଗି ଥାନା ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ଉଲ୍ଲେଖଥାଉକି ଓଡ଼ିଶା ଯୋଜନା ଉପରୁ ନଜର ହଟାଇବା ଲାଗି ଆନ୍ଧ୍ର ସରକାରଙ୍କ ପକ୍ଷରୁ ୱାଇଏସ୍‌ଆର ଆମ୍ମାବାଡି, ୱାଇଏସ୍‌ଆର ଆରୋଗ୍ୟଶ୍ରୀ, ୱାଇଏସ୍‌ଆର ନଭୋଦୟମ, ଏପି ଜଗନ୍ନା, ୱାଇଏସ୍‌ଆର ବଡାଗୁ ବିକାଶ, ଜଗନ୍ନା ବିଦ୍ୟା ଦେବେନା, ଜଗନ୍ନା ବିଦ୍ୟା କାନୁକା, ଭିଜେ ଭଲ୍ୟୁଣ୍ଟିଅର୍‌, ୱାଏସ୍‌ଆର ବୀମା ଓ ବାହନ ମିତ୍ର ପରି ଏକାଧିକ ଯୋଜନା ଜାରି ରହିଛି। ଏହାବ୍ୟତୀତ ଜନମତକୁ ନିଜ ଆଡ଼କୁ ଟାଣିବା ଲାଗି ୨୦୨୨ର ଓଡ଼ିଶା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଧ୍ର ୨୦୨୧ ମେ’ ୯ରେ ପଞ୍ଚାୟତ ନିର୍ବାଚନ ସାରିଦେଲା। ଆନ୍ଧ୍ର ପୁଲିସ୍ ଫୋର୍ସ ଲଗାଇ ଏଠାରେ ତ୍ରିସ୍ତରୀୟ ନିର୍ବାଚନ କରିଥିଲା। ଓଡ଼ିଶାର ବିରୋଧ ସତ୍ତ୍ବେ କୋଟିଆବାସୀ ଆନ୍ଧ୍ର ନିର୍ବାଚନରେ ମତଦାନ କରିଥିଲେ।

ବୁଦ୍ଧିଜୀବୀ ମହଲର କହିବା କଥା, ଆନ୍ଧ୍ର ସରକାରଙ୍କ ଯୋଜନାକୁ ଦେଖି ଓଡ଼ିଶା ସରକାର ଏ ଅଞ୍ଚଳ ପାଇଁ ସ୍ବତନ୍ତ୍ର ଯୋଜନା କରିବାର ଆବଶ୍ୟକତା ରହିଛି। ବିଶେଷକରି ଆନ୍ଧ୍ର ଠାରୁ ଯେଭଳି ସହାୟତା ଲୋକଙ୍କୁ ମିଳୁଛି, ତା’ଠାରୁ ଅଧିକ ଅର୍ଥ ନ ମିଳିଲେ, ଲୋକଙ୍କ ମନ ପରିବର୍ତ୍ତନ ହେବା ସମ୍ଭାବନା କ୍ଷୀଣ। ଏଣୁ ରାଜ୍ୟ ସରକାର ଆନ୍ଧ୍ର ଓ ଓଡ଼ିଶା ଯୋଜନାର ଗୋଟିଏ ତୁଳନାତ୍ମକ ଚିତ୍ର ପ୍ରସ୍ତୁତ କରି ଆବଶ୍ୟକ ପଦକ୍ଷେପ ନେଲେ ଯାଇ ସ୍ଥିତିରେ ପରିବର୍ତ୍ତନ ଘଟିବ। ସୂଚନା ମୁତାବକ, କୋଟିଆ ପଞ୍ଚାୟତରେ ୨୮ଟି ଗାଁ, ୧୨ଟି ପଡ଼ାଗ୍ରାମ ରହିଛି। ମୋଟ ୪୦ଟି ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତରେ ୮୭୬୪ ଲୋକ ରହୁଛନ୍ତି। ପଞ୍ଚାୟତର ଏହି ୪୦ଟି ଗ୍ରାମରୁ ୨୭ଟି ଗାଁ ବିବାଦୀୟ ହୋଇ ରହିଛି। ସେଥି ମଧ୍ୟରେ ରହିଛି ୨୧ଟି ରାଜସ୍ବ ଓ ୬ଟି ପଡାଗ୍ରାମ। ଏ ଗୁଡ଼ିକ ହେଲା କୋଟିଆ, ଗ˚ଜେଇପଦର, ମାଡକାର, ବାର୍ଣ୍ଣପାଡୁ, ଡୋଲିଆମ୍ବା, ଫଗୁଣସିନେରୀ, ଫାଟୁସିନେରୀ, ସଲପଗୁଡା, କନାଦୋରା, ହରମାଣ୍ତିଙ୍ଗି, ସିଡିବାଲସା, ମହିପାଣି, ଉପରସେମ୍ଭି, ତଳସେମ୍ଭି, ଧୂଳିପଦର, ଆରଜୁବାଲସା, ତାଡିବାଲସା, ନାରଡିବାଲସା, ପନିକି, ରଣାସି˚ ଓ ସୀମାଗାଡା। ବିବାଦୀୟ ପଡ଼ା ଗ୍ରାମ ଗୁଡ଼ିକ ହେଲା ତଳ ଗ˚ଜେଇପଦର, କୁରୁଡିପଦର, ଜାନିଗୁଡା, ପାନକୁବାଲସା, ଟାଙ୍କରବାଲସା ଓ ଉପରପନିକି।