ଯୋଜନା ବୋର୍ଡ ଉପାଧ୍ୟକ୍ଷ ନେଲେ ବୈଠକ : ଅର୍ଥନୀତି ସଜାଡ଼ିବାକୁ ତନାଘନା

ଏମଏସଏମ୍ଇ, ଜନସ୍ବାସ୍ଥ୍ୟ, ଶିଳ୍ପ, କୃଷି, ପର୍ଯ୍ୟଟନକୁ ଗୁରୁତ୍ବ
ରିପୋର୍ଟ ପ୍ରସ୍ତୁତ ପରେ ଦିଆଯିବ ସରକାରଙ୍କୁ

ଭୁବନେଶ୍ବର : କେନ୍ଦ୍ର ସରକାର ଏମ୍‌ଏସଏମ୍‌ଇ କ୍ଷେତ୍ର ପାଇଁ ଯେଉଁ ପ୍ୟାକେଜ୍ ଘୋଷଣା କରିଛନ୍ତି, ସେଥିରୁ ଓଡ଼ିଶା କେତେ ଲାଭ ପାଇବ, କେନ୍ଦ୍ର ସହ ସମନ୍ବୟ ରକ୍ଷା କରି ଓଡ଼ିଶାର ଏ କ୍ଷେତ୍ରରେ କି କି ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି, ସେ ସଂପର୍କରେ ଏକ ସ୍ବତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରାଯିବ। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବା ପରେ ପରବର୍ତୀ ରଣନୀତି ନିର୍ଧାରଣ ହେବ।

କରୋନା ପରବର୍ତୀ ପରିସ୍ଥିତିରେ ରାଜ୍ୟ ଅର୍ଥନୀତିର ସୁପରିଚାଳନା ଓ ଗତିଶୀଳ ପାଇଁ ରାଜ୍ୟ େଯାଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ବୈଠକରେ ଆଜି ଏଭଳି ନିଷ୍ପତ୍ତି ହୋଇଛି।

ଶ୍ରୀ ଦାସବର୍ମା କହିଛନ୍ତି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଏମ୍‌ଏସ୍ଏମ୍ଇ, ଜନସ୍ବାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ ଭଳି ୪ଟି ପ୍ରମୁଖ କ୍ଷେତ୍ରକୁ ପ୍ରଥମ ପର୍ଯ୍ୟାୟରେ ଫୋକସ କରାଯିବାକ ସ୍ଥିର କରାଯାଇଛି। ଏସବୁ କ୍ଷେତ୍ରରେ ନିର୍ଦିଷ୍ଟ କି କି ପଦକ୍ଷେପ ନିଆଯିବ ସେ ନେଇ ବିଶେଷଜ୍ଞ, ବିଭିନ୍ନ ସମୟରେ ଥିବା ଅର୍ଥ କମିସନ ଅଧ୍ୟକ୍ଷ, ଅବସରପ୍ରାପ୍ତ ପ୍ରଶାସକ, ଅର୍ଥନୀତିଜ୍ଞ, ଏସବୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଭିଜ୍ଞ ସଂସ୍ଥା ଓ ସାମାଜିକ ସଂଗଠନର ମତାମତ ନିଆଯିବ। ନବକୃଷ୍ଣ ଚୌଧୁରୀ ଉନ୍ନୟନ ଓ ଗବେଷଣା କେନ୍ଦ୍ରକୁ ନୋଡାଲ୍ ଏଜେନ୍ସି ଭାବେ ନିଯୁକ୍ତି ଦିଆଯାଇଛି। ଏସବୁ କ୍ଷେତ୍ରରେ ଉପରେ ବିଶଦ ଅନୁଧ୍ୟାନ ଓ ବ୍ୟାପକ ତର୍ଜମା ପରେ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯିବ, ତାହା ଉପରେ ସରକାର ଆବଶ୍ୟକ ପଦକ୍ଷେପ ନେବେ।

ପୂର୍ବରୁ ମୁଖ୍ୟସଚିବ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ଲାଗି ଏକ ସଚିବସ୍ତରୀୟ କମିଟି ଗଠନ କରିଥିଲେ। ରାଜ୍ୟ ଅର୍ଥନୀତିରେ ସୁଧାର ପାଇଁ ଏଥିରେ ସୁପାରିସ କରାଯାଇଥିଲା। ଏହି କମିଟି ବୈଠକ ବସିଲେଣି କି ନାହିଁ, ତାହା ଜଣାପଡିନାହିଁ। କିନ୍ତୁ ଶ୍ରୀ ଦାସବର୍ମା ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାୟିତ୍ବ ନେବା ପରେ ଆଜି ପ୍ରଥମ ବୈଠକ କରିଥିଲେ।

ଏହି ବୈଠକରେ ଉନ୍ନୟନ କମିସନର ସୁରେଶ ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର