ଚନ୍ଦ୍ରଭାଗାରେ ‘ନବୀନ କୋଣାର୍କ ସୂର୍ଯ୍ୟ ମନ୍ଦିର’ ପରିକଳ୍ପନା

କିଣା ସରିଛି ଜମି, ଅନୁମତି ମିଳିଲେ ଅଢ଼େଇ ବର୍ଷରେ ସରିବ ନିର୍ମାଣ
ରାଜସ୍ଥାନରେ ଚାଲିଛି ସୂର୍ଯ୍ୟ ପ୍ରତିମା, କାରୁକାର୍ଯ୍ୟ ନିର୍ମାଣ

ପୁରୀ : କୋଣାର୍କ ଚନ୍ଦ୍ରଭାଗାର ନିକଟରେ ଆଉ ଏକ ଭବ୍ୟ ସୂର୍ଯ୍ୟ ମନ୍ଦିରର ପରିକଳ୍ପନା କରିଛି ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା। ଯଦିଓ ଏନେଇ ରାଜ୍ୟ ସରକାରଙ୍କ ଅନୁମତି ମିଳିନାହିଁ, ଏଥିପାଇଁ ଦୁଇ ଏକର ଜମି କିଣା ହୋଇଛି। ଏଥିସହ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଆଉ ୪ ଏକର ଜମି ପାଇଁ ସରକାରଙ୍କ ଦ୍ବାରସ୍ଥ ହୋଇଛି ଅନୁଷ୍ଠାନ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି , ମନ୍ଦିର ନିର୍ମାଣ ପାଇଁ ଅନୁମତି ମିଳିନଥିଲେ ହେଁ ଏଥିପାଇଁ ରାଜସ୍ଥାନରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ଶୋଭା ପାଉଥିବା ଚକ୍ର ସଦୃଶ ଚକ, ଘୋଡ଼ା, ହାତୀ ଓ ପଥରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏପରିକି ସୂର୍ଯ୍ୟ ଦେବତାଙ୍କର ୩ଟି ମୂର୍ତ୍ତି ନିର୍ମାଣ ସରିଥିବା ଜଣାପଡ଼ିଛି । ଗୋଟିଏ ସୂର୍ଯ୍ୟ ପ୍ରତିମାର ଉଚ୍ଚତା ସାଢ଼େ ୯ ଫୁଟ ହୋଇଥିବାବେଳେ ଅନ୍ୟଟି ୭ ଫୁଟ୍‌। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ସୂର୍ଯ୍ୟମନ୍ଦିର ନିର୍ମାଣ ଶାଳାର ଅଧ୍ୟକ୍ଷ ମୁକେଶ ଜୈନ।

ଶ୍ରୀ ଜୈନ କହିଛନ୍ତି, ସୂର୍ଯ୍ୟ ମନ୍ଦିର ରହିଥିଲେ ହେଁ ସୂର୍ଯ୍ୟଙ୍କ ଉପାସନା ୧୨୦ ବର୍ଷ ହେଲା ବନ୍ଦ ରହିଛି। ତେଣୁ ପୂର୍ବବତ୍‌ ଏଠାରେ ସୂର୍ଯ୍ୟଙ୍କ ଉପାସନା ପାଇଁ ଦାବି କରାଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ତାହା ହୋଇପାରିନାହିଁ। ତେଣୁ ସୂର୍ଯ୍ୟଙ୍କ ଉପାସନା ପାଇଁ ଏହି ମନ୍ଦିରର ପରିକଳ୍ପନା ବହୁବର୍ଷ ତଳୁ କରାଯାଇଥିଲା। ଏନେଇ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ସହ ଅନୁଷ୍ଠାନ ପକ୍ଷରୁ ଆଲୋଚନା ମଧ୍ୟ କରାଯାଇଥିଲା। ତେବେ ସରକାରୀ ସ୍ତରରେ ବାଧା ଯୋଗୁ ମନ୍ଦିର ନିର୍ମାଣ କାମ ଆଗେଇ ପାରୁନଥିବାରୁ ସେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଅନୁମତି‌ ଲୋଡ଼ିଛନ୍ତି। ତାଙ୍କ କହିବା ମୁତାବକ, ‌କୋଣାର୍କ ସୂର୍ଯ୍ୟ ମନ୍ଦିରର ଉଚ୍ଚତା ସଦୃଶ ୧୨୭ ଫୁଟ୍‌ର ଜଗମୋହନ ଓ ୨୨୭ ଫୁଟ୍‌ର ମୁଖ୍ୟ ମନ୍ଦିର ନିର୍ମାଣ କରାଯିବ। ଏଥିପାଇଁ କୌଣସି ଆର୍ଥିକ ପ୍ରତିବନ୍ଧକ ରହିବ ନାହିଁ। ପରିକଳ୍ପିତ ମନ୍ଦିରର ନାମ ମୁଖ୍ୟମନ୍ତ୍ରୀଙ୍କ ନାଁ ସହ ଯୋଡ଼ି ‘ନବୀନ କୋଣାର୍କ ସୂର୍ଯ୍ୟ ମନ୍ଦିର’ ରଖାଯାଇଛି।

ସେ ଆହୁରି କହିଛନ୍ତି, ୨୦୦୩ ମସିହାରୁ ଏହାର ପରିକଳ୍ପନା କରାଯାଇଥି‌ଲା। ମାତ୍ର ସରକାରୀ ବାଧା ରହିବାରୁ ବିଳମ୍ବ ହୋଇଚାଲିଛି। ଅନ୍ୟପକ୍ଷରେ ସୂର୍ଯ୍ୟ ମନ୍ଦିରରେ ସୂର୍ଯ୍ୟଙ୍କ ଉପାସନା ପାଇଁ ୨୦୧୮ ଓ ୨୦୨୦ ମସିହାରେ ଦାବି ଉପସ୍ଥାପନ କରାଯାଇଥିଲା। କିନ୍ତୁ ଏହାକୁ ଗୁରୁତ୍ବ ଦିଆଯାଇନାହିଁ। ଏନେଇ ବଜେଟ୍‌ ସମ୍ପର୍କରେ ମତ ରଖି ସେ କହିଛନ୍ତି, ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସହ ଆଲୋଚନା କା‌ଳରେ ଏଥିପାଇଁ ୨ଶହ କୋଟି ଲାଗିବ ବୋଲି ଆକଳନ କରାଯାଇଥିଲା। ତେବେ ପର୍ଯ୍ୟାୟ କ୍ରମେ ଯାହା ଖର୍ଚ୍ଚ ହେବ ସେଥିରେ କୌଣସି ବାଧା ଉପୁଜିବ ନାହିଁ ‌ବୋଲି ସେ କହିଛନ୍ତି। ଏପରିକି ମନ୍ଦିର ନିର୍ମାଣ ପାଇଁ ଅନୁମତି ମିଳିଲେ ପ୍ରାୟ ୨ରୁ ଅଢ଼େଇ ବର୍ଷ ମଧ୍ୟରେ ମନ୍ଦିର ନିର୍ମାଣ ଶେଷ ହୋଇଯିବ ବୋଲି ସେ କହିଛନ୍ତି। ‘ ‌ରାଜସ୍ଥାନରେ ଯାଇ ମୂର୍ତ୍ତି କାମ କରୁଥିବା ଓଡ଼ିଆ ଶିଳ୍ପୀମାନେ ଏଥିରେ ନିୟୋଜିତ ହୋଇଛନ୍ତି। ତେବେ ଉନ୍ନତ ଯନ୍ତ୍ରପାତିର ବ୍ୟବହାର ଯୋଗୁଁ ଏଥିପାଇଁ ବେଶି ସମୟ ଲାଗିବ ନାହିଁ, ’ ବୋଲି ସେ କହିଛନ୍ତି।

ଏନେଇ ନିକଟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାକ୍ଷାତ କରିଥିବା ବେଳେ ଆଜି ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି। ସାମ୍ବାଦିକ ସମ୍ମିଳନୀ‌ରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳାର ଶ୍ରୀ ଜୈନଙ୍କ ସମେତ ପ୍ରବନ୍ଧକ କ୍ରିଷ୍ଣ ମୋହନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର