ଭୁବନେଶ୍ବର : ଯୋଜନା ଓ ସଂଯୋଜନ ବିଭାଗ ରାଜ୍ୟ ସରକାରଙ୍କ ନୋଡାଲ ବିଭାଗ। ଲୋକଙ୍କ ଆଶା ଓ ଆକାଂକ୍ଷାକୁ ଦୃଷ୍ଟିରେ ରଖି ଉନ୍ନୟନ ଯୋଜନା ପ୍ରସ୍ତୁତ କରାଯାଉଛି। ଦାରିଦ୍ର୍ୟ ଦୂରୀକରଣ, ଜଳସେଚନ, ଯୋଗାଯୋଗ ଓ ଜଳ ନିଷ୍କାସନ, ବନ୍ୟା ଓ ବାତ୍ୟା ପ୍ରଭୃତିର ପ୍ରତିକାର ଓ ନିୟନ୍ତ୍ରଣ କ୍ଷେତ୍ରରେ ଥିବା ତାରତମ୍ୟକୁ ବିଭିନ୍ନ ଯୋଜନା ଜରିଆରେ କମାଯାଉଛି। ଯୋଜନା ଓ ସଂଯୋଜନ ବିଭାଗର ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।
Sambad is now on WhatsApp
Join and get latest news updates delivered to you via WhatsApp
ମନ୍ତ୍ରୀ କହିଥିଲେ ଯେ ମୁଖ୍ୟ ଉନ୍ନୟନ କ୍ଷେତ୍ର ସାମାଜିକ ନିରାପତ୍ତା, ଅର୍ଥନୈତିକ ସେବା, କୃଷି, ଜନଗଣନା, ସର୍ବେକ୍ଷଣ ଓ ପରିସଂଖ୍ୟାନ, ଗୃହ ନିର୍ମାଣ ଓ ସ୍ବତନ୍ତ୍ର ଆଞ୍ଚଳିକ କାର୍ଯ୍ୟକ୍ରମ ଇତ୍ୟାଦି କ୍ଷେତ୍ରରେ ୨୦୨୨-୨୩ ନିମନ୍ତେ ବ୍ୟୟ ଅଟକଳ କରାଯାଇଛି। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରେ ୪୪୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସ୍ବତନ୍ତ୍ର ସମସ୍ୟାଜନିତ ପାଣ୍ଠିରେ ୧୫୦ କୋଟି ଟଙ୍କା ଦିଆଯାଇଛି। କ୍ରିଟିକାଲ୍ ଗ୍ୟାପ୍ ଫଣ୍ଡ୍ରେ ୪୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଆଞ୍ଚଳିକ ବୈଷମ୍ୟ ଦୂର କରିବାକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଇଁ ୧୮୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବିଜୁ କେବିକେ ଯୋଜନାରେ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅଧୀନସ୍ଥ ୧୫୧ ବାହ୍ୟ ବିଚ୍ଛିନ୍ନ ଗ୍ରାମ ‘ସ୍ବାଭିମାନ ଅଞ୍ଚଳ’ର ଉନ୍ନତି ନିମନ୍ତେ ୨୦୧୮-୧୯ରୁ ସେତୁ ଯୋଜନା କାର୍ଯ୍ୟକାରୀ ହୋଇ ଆସୁଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଚଳିତ ବର୍ଷ ଏକଦାଶ କୃଷି ଗଣନା ପାଇଁ ୨ କୋଟି ୩୬ ଟଙ୍କା ମଞ୍ଜୁର ହୋଇଛି। ଆଜି ଆଲୋଚନା ପରେ ଏହି ବିଭାଗର ୩୦୩୪ କୋଟି ୭୬ ଲକ୍ଷ ୨୭ ହଜାର ଟଙ୍କାର ବ୍ୟୟ ଅଟକଳ ପାରିତ ହୋଇଛି।
ପର୍ଯ୍ୟଟନ ବିଭାଗକୁ ୫୯୦ କୋଟି
ଆଜି ପର୍ଯ୍ୟଟନ ବିଭାଗର ୫୯୦ କୋଟି ୧୦ ଲକ୍ଷ ଟଙ୍କାର ଖର୍ଚ୍ଚଦାବି ପାରିତ ହୋଇଛି। ଆଲୋଚନାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ପାତ୍ର କହିଲେ ଯେ ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିତ୍ତିଭୂମି ଉନ୍ନତୀକରଣ ନିମନ୍ତେ ବିଭାଗ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେଉଛି। ବିଭାଗ ଦ୍ବାରା ୧୩ଟି ସ୍ଥାନର ଏକୀକୃତ ମାଷ୍ଟର୍ ପ୍ଲାନିଂ ପ୍ରସ୍ତୁତ କରାଯାଇ ଉନ୍ନତ ମାନର ଭିତ୍ତିଭୂମି ନିର୍ମାଣ କରାଯିବ। ଏହା ବାଦ୍ ଧଉଳି, ରଘୁରାଜପୁର, ଶିଖରଚଣ୍ଡୀର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏସବୁ ବାବଦରେ ୩୭୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଓଡ଼ିଶା ପର୍ଯ୍ୟଟନର ପ୍ରଚାର ଓ ପ୍ରସାର ପାଇଁ ୧୨୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସିଙ୍ଗିଲ୍ ୱିଣେ୍ଡା କ୍ଲିୟରାନ୍ସ ମାଧ୍ୟମରେ ୧୭୦୦.୬୧ କୋଟି ଟଙ୍କା ମୂଲ୍ୟର ୩୫ଟି ପର୍ଯ୍ୟଟନ ଭିତ୍ତିକ ପ୍ରକଳ୍ପ ଅନୁମୋଦିତ ହୋଇଛି। ଚିଲିକାରେ ଗୋଟିଏ କ୍ରୁଜ୍ ବୋଡ୍ ଓ ଗୋଟିଏ ହାଉସ୍ ବୋଟ୍ ଏବଂ ହୀରାକୁଦରେ ଗୋଟିଏ କ୍ରୁଜ୍ ବୋଟ୍ ଚଳାଚଳ ନିମନ୍ତେ ଘରୋଇ ଉଦ୍ୟୋଗୀଙ୍କୁ ଅନୁମୋଦନ ଦିଆଯାଇଛି। ଭିତରକନିକାରେ ପର୍ଯ୍ୟଟକଙ୍କ ନିମନ୍ତେ ୪ଟି କାଟାମାରାନ୍ ଚଳାଚଳ କରିବା ନିମନ୍ତେ ବ୍ୟବସ୍ଥା ହୋଇଛି।