୨୦ ହଜାର ବାସଗୃହ ନିର୍ମାଣ ପାଇଁ ଯୋଜନା

ଭୁବନେଶ୍ୱର ଓ ରାଉରକେଲାରେ ୪ଟି ବହୁତଳ ବିଶିଷ୍ଟ ଅଟ୍ଟାଳିକା

ଭୁବନେଶ୍ୱର : ରାଜ୍ୟରେ ଗୃହ ନର୍ମାଣ କ୍ଷେତ୍ରରେ ଉତ୍ସାହ ଆଣିବା ପାଇଁ ପ୍ରଚଳିତ ଥିବା ନିୟମାବଳୀକୁ ରାଜ୍ୟ ସରକାର ସରଳୀକରଣ କରି ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟିଜ୍‌ (ପ୍ଲାନିଂ ଆଣ୍ଡ ବିଲ୍‌ଡିଂ) ନିୟମ-୨୦୨୦ ପ୍ରଣୟନ କରିଛନ୍ତି। ଏହି ନିୟମକୁ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ସ୍ବାଗତ କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଓଡ଼ିଶା ରାଜ୍ୟ ଗୃହ ନର୍ମାଣ ସଂସ୍ଥା ଆଗାମୀ ତିନି ମାସ ମଧ୍ୟରେ ରାଜ୍ୟର ଭୁବନେଶ୍ବର ସମେତ ବିଭିନ୍ନ ସହରରେ ଅନେକ ଗୁଡ଼ିଏ ପ୍ରକଳ୍ପର ଶୁଭାରମ୍ଭ କରିବ। ଏଥିରେ ସମସ୍ତ ପ୍ରକାର ଗୃହ ଆଶାୟୀ ବ୍ୟକ୍ତିମାନଙ୍କ ପାଇଁ ଗୃହ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଖୁବ୍‌ ଶୀଘ୍ର ଭୁବନେଶ୍ବର ଓ ରାଉରକେଲାରେ ୪ଟି ବହୁତଳ ବିଶିଷ୍ଟ ଅଟ୍ଟାଳିକା ପ୍ରକଳ୍ପର ଶୁଭାରମ୍ଭ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଏତଦ୍‌ବ୍ୟତୀତ ଭୁବନେଶ୍ବରର ଡୁମୁଡୁମା ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ଏବଂ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏଆଇଆଇଏମ୍‌ଏସ୍‌) ସମ୍ମୁଖ ରଣସିଂହପୁର ପ୍ରକଳ୍ପର ଦ୍ବିତୀୟ ପର୍ଯାୟ ଆରମ୍ଭ କରାଯିବ। ଏଥିରେ ବିଭିନ୍ନ ଆୟକାରୀ ବର୍ଗ ଯଥା ଆର୍ଥିକ ଦୁର୍ବଳ ଶ୍ରେଣୀ, ନିମ୍ନ ଆୟକାରୀ ବର୍ଗ, ମଧ୍ୟମ ଆୟକାରୀ ବର୍ଗ ଓ ଉଚ୍ଚ ଆୟକାରୀ ବର୍ଗର ଆଗ୍ରହୀ କ୍ରେତାମାନଙ୍କ ପାଇଁ ୧୨୫୦ଟି ଫ୍ଲାଟ ପ୍ରାୟ ୫୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯିବ। ସେହିପରି ରାଉରକେଲାସ୍ଥିତ ବାସନ୍ତୀ କଲୋନିଠାରେ ୨ଟି ବହୁତଳ ବିଶିଷ୍ଟ ବାସଗୃହ ପ୍ରକଳ୍ପର ନିର୍ମାଣର ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇଛି। ଏହି ପ୍ରକଳ୍ପର ମୋଟ ବ୍ୟୟ ଅଟକଳ ୩୩ କୋଟି ରଖାଯାଇଛି। ଏଥିରେ ମୋଟ ୮୪ଟି ଫ୍ଲାଟ ବିଭିନ୍ନ ଆୟକାରୀ ବର୍ଗର ଲୋକମାନଙ୍କ ନିମନ୍ତେ ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଏତଦ୍‌ ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ବାରା ସଦ୍ୟ ଅନୁମୋଦିତ ହୋଇଥିବା ପ୍ଲାନିଂ ଆଣ୍ଡ ବିଲ୍‌ଡିଂ ନିୟମାନୁଯାୟୀ ଭୁବନେଶ୍ବରର ଜଗନ୍ନାଥପ୍ରସାଦ, ସୁଆଙ୍ଗୋ, ପାତ୍ରପଡ଼ା, ମଳିପଡ଼ା ଏବଂ ରାଜ୍ୟର ଅନ୍ୟ ସହରାଞ୍ଚଳମାନଙ୍କରେ ମଧ୍ୟ ଇଡବ୍ଲୁଏସ୍‌, ଏଲ୍‌ଆଇଜି ଓ ଏଲଏମ୍‌ଆଇଜି ଶ୍ରେଣୀର ବାସଗୃହମାନ ନିର୍ମାଣ କରାଯାଇ ଆଗ୍ରହୀ ବ୍ୟକ୍ତିମାନଙ୍କୁ ଯୋଗାଇ ଦିଆଯିବାକୁ ପଦକ୍ଷେପ ନିଆଯାଇଛି। ଏହି ଉପଲକ୍ଷେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଉପଯୁକ୍ତ ସରକାରୀ ଜମିଗୁଡ଼ିକ ଅଧିଗ୍ରହଣ କରି ଏହାର ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ କରିଛି।

ଏବେ ସଂସ୍ଥା ଦ୍ବାରା ଭୁବନେଶ୍ବର, କଟକ ଏବଂ ଅନୁଗୁଳଠାରେ ୪୪୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୬୬୮ଟି ଫ୍ଲାଟର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଆଗାମୀ ଦିନରେ ଏ ସମସ୍ତ ଯୋଜନା ଓ ପ୍ରକଳ୍ପରେ ପ୍ରାୟ ୨୦ ହଜାରଟି ବାସଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ସମସ୍ତ ବର୍ଗର ଆଶାୟୀ ବ୍ୟକ୍ତିମାନଙ୍କୁ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି । କରୋନା ପାଇଁ ଗୃହ ନିର୍ମାଣ କ୍ଷେତ୍ରରେ ମନ୍ଥରତା ଆସିଥିଲେ ମଧ୍ୟ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଲୋକଙ୍କ ଚାହିଦା ମୁତାବକ ବିଗତ ବର୍ଷମାନଙ୍କ ଭଳି ଗୃହ ନିର୍ମାଣ କରି ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଗୃହ ଯୋଗାଇ ଦେବାକୁ ପ୍ରତିବଦ୍ଧ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର