ଉତ୍ତୋଳନ,ପରିବହନ ଲକ୍ଷ୍ୟ ହାସଲରେ ବିଫଳ: ଖଣି ଫେରାଇବାକୁ ଚାଲିଛି ଯୋଜନା

ଜରିମାନା ପାଇଁ ସରକାରଙ୍କ ପ୍ରସ୍ତୁତି

କେନ୍ଦୁଝର : ଅତ୍ୟଧିକ ପ୍ରିମିୟିମରେ ଲୁହାପଥର ଏବଂ ମାଙ୍ଗାନିଜ ଖଣି ଲିଜ୍‌ ନେଇଥିବା କିଛି ଲିଜ୍‌ଧାରୀ ଏବେ ସରକାର ଦେଇଥିବା ଲକ୍ଷ୍ୟ ଅନୁସାରେ ଖଣିଜ ଉତ୍ତୋଳନ ଏବଂ ପରିବହନ କରିବାରେ ବିଫଳ ହୋଇଛନ୍ତି। ଯେଉଁଥିପାଇଁ ସରକାର ଏବେ ଏହି ଲିଜ୍‌ଧାରୀଙ୍କ ଉପରେ ମୋଟା ଅଙ୍କର ଜରିମାନା କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଅନ୍ୟପକ୍ଷରେ କିଛି ଲିଜ୍‌ଧାରୀ ଖଣି ଫେରାଇବାକୁ ଯୋଜନା କରୁଥିବା ସୂଚନା ମିଳିଛି। ଯଦି ଏଭଳି ହୁଏ, ତେବେ ରାଜ୍ୟ ସରକାରଙ୍କ ଶିଳ୍ପାୟନ ଯୋଜନା ଫେଲ୍‌ ମାରିବ ବୋଲି କୁହାଯାଉଛି।

ଗତବର୍ଷ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର ୧୯ଟି ଲୁହାପଥର ଖଣି ଓ ମାଙ୍ଗାନିଜ ଖଣିର ନିଲାମ ଡକାଯାଇଥିଲା। ଏହି ନିଲାମ ପ୍ରକ୍ରିୟାରେ ଏକାଧିକ ଲିଜ୍‌ଧାରୀ ଭାଗ ନେଇ ଖଣି ହାତେଇବାରେ ସମର୍ଥ ହୋଇଥିଲେ। ୯୩ ପ୍ରତିଶତ ପ୍ରିମିୟମଠାରୁ ଆରମ୍ଭ କରି ୧୬୦ ପ୍ରତିଶତ ପ୍ରିମିୟମ ଦେଇ ଲିଜ୍‌ଧାରୀମାନେ ଖଣି ନେଇଥିଲେ। ଏବେ ଏହି ୧୯ଟି ଖଣିରୁ ଅଧିକାଂଶ ଲିଜ୍‌ଧାରୀ ଖଣିଜ ଉତ୍ତୋଳନ ଏବଂ ପରିବହନ କରିପାରୁ ନଥିବାରୁ ସରକାର ମୋଟା ଅଙ୍କର ଜରିମାନା ଲଗାଇବାକୁ ପ୍ରସ୍ତୁତି ଚଳାଇଛନ୍ତି। ଗତବର୍ଷ ଜୁଲାଇ ମାସରୁ ଚଳିତ ଜୁଲାଇ ମାସ ପର୍ଯ୍ୟନ୍ତ ଏକ ହିସାବ ନେଲେ, ସବୁଠୁ ବଡ଼ ଖଣି କମ୍ପାନି କୁହାଯାଉଥିବା ଜେଏସ୍‌ଡବ୍ଲ୍ୟୁ ଏବଂ ମିତ୍ତଲ ମଧ୍ୟ ଏହି ଖଣିଜ ପରିବହନ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଛି।

ଜେଏସ୍‌ଡବ୍ଲ୍ୟୁ ଜଜାଙ୍ଗ ଖଣିରୁ ସରକାରଙ୍କ ଟାର୍ଗେଟରୁ ୧୫ ପ୍ରତିଶତ କମ୍‌ ଖଣିଜ ପରିବହନ କରିଥିବାବେଳେ ମିତ୍ତଲ ମଧ୍ୟ ଏହି ସମୟରେ ଠାକୁରାଣୀ ଲୁହାପଥର ଖଣିରୁ ୫ ପ୍ରତିଶତି କମ୍‌ ଖଣିଜ ପରିବହନ କରିଛି। ସେହିପରି ନର୍ଭେରାମ ଷ୍ଟିଲ‌୍ ରୋଇଡ଼ା-୨ ଖଣିରୁ ମୂଲ ଲକ୍ଷ୍ୟଠାରୁ ମାତ୍ର ୨୮.୫୪ ପ୍ରତିଶତ ଖଣିଜ ପରିବହନ କରିବାରେ ସମର୍ଥ ହୋଇଛି। ଗୋରୁମହିଷାଣିସ୍ଥିତ ଘନଶ୍ୟାମ ମିଶ୍ର କମ୍ପାନି ମାତ୍ର ୪୪.୩୭ ପ୍ରତିଶତ ଟାର୍ଗେଟ ପୂରଣ କରିଛନ୍ତି। ସେହିପରି ଜଗତଜନନୀ ସର୍ଭିସେସ ଜରିବାହାଲ ଖଣିରୁ ମାତ୍ର ୫.୦୬ ପ୍ରତିଶତ ଟାର୍ଗେଟ ପୂରଣ କରିଥିବାବେଳେ ପିଏମ୍‌ ଗ୍ରାନାଇଟ୍‌ କମ୍ପାନି ମାତ୍ର ୬.୩୦ ପ୍ରତିଶତ ଟାର୍ଗେଟ ପୂରଣ କରିଛି। ସିରାଜୁଦ୍ଦିନ କମ୍ପାନି ବଲଦା ଲୁହାପଥର ଖଣିରୁ ମାତ୍ର ୧୬.୪୧ ପ୍ରତିଶତ ଲୁହାପଥର ପରିବହନ କରିଥିବା ଜଣାଯାଇଛି।

ଅଧିକାଂଶ ଖଣି ଲିଜ୍‌ଧାରୀ ସେମାନଙ୍କ ଖଣିରୁ ପର୍ଯ୍ୟାପ୍ତ ପରିମାଣର ଲୁହାପଥର ଉତ୍ତୋଳନ କରିଥିଲେ ହେଁ, ପରିବହନ କରିବାରେ ବିଫଳ ହୋଇଛନ୍ତି। ଯେଉଁଥିପାଇଁ ସରକାର ସେମାନଙ୍କ ଉପରେ ଜରିମାନା ଲଗାଇବାକୁ ପ୍ରସ୍ତୁତ ‌ହେଉଛନ୍ତି। ଏହି ଜରିମାନା ରାଶିର ପରିମାଣ ଅଧିକ ହେବାକୁ ଥିବାରୁ କିଛି ଲିଜ୍‌ଧାରୀ ଜରିମାନା ନ ଦେଇ ଖଣି ଫେରାଇବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର