ମଣିଷ ନିଜ ଆଚରଣରେ ପରିବର୍ତ୍ତନ ଆଣୁ: ଭଗବାନ ପ୍ରକାଶ

‘ଜଗା ପାଇଁ ଗଛଟିଏ ଲଗା’ ଅଭିଯାନର ଉଦ୍‌ଘାଟନୀ ସମାରୋହ

ଭୁବନେଶ୍ବର : ନିଃସ‌ନ୍ଦେହରେ ଗଛ ପରିବେଶକୁ ଶୁଦ୍ଧ ରଖେ, ସନ୍ତୁଳନ ବଜାୟ ରଖେ। କିନ୍ତୁ ଖାଲି ଗଛକୁ ପରିବେଶର ପଦ୍ମିନୀ ଭାବେ ପରିବେଷଣ କରିଦେଲେ ହେବ ନାହିଁ। ଭାଷାରେ ଅଶାଳୀନତା, ବିଚାରରେ ନ୍ୟୂନତା ମଧ୍ୟ ପରିବେଶକୁ ଦୂଷିତ କରେ। ତେଣୁ ଆଜି ବିଶ୍ବ ପରିବେଶ ଦିବସରେ ଆମେ ଗଛ ଲଗାଇବା ସହ ନିଜ ଭାଷାରେ ଶାଳୀନତା, ବିଚାରରେ ସଂସ୍କାର ଓ ନୀଚ ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ନେବା ଉଚିତ। ଏହାଦ୍ବାରା ଆମ ଚାରିପାଖର ପରିବେଶ ଆହୁରି ରୁଚିକର ହୋଇପାରିବ। ଜୟଦେବ ଭବନଠାରେ ଆଜି ଅନୁଷ୍ଠିତ ‘ଜଗା ପାଇଁ ଗଛଟିଏ ଲଗା’ ଅଭିଯାନର ଉଦ୍‌ଘାଟନୀ ସମାରୋହ ଓ ରାଜ୍ୟସ୍ତରୀୟ ବୃକ୍ଷପ୍ରେମୀ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏପରି ଆହ୍ବାନ ଦେଇଛନ୍ତି।

ପ୍ରେରଣା, ରୋଟାରି କ୍ଲବ ଅଫ୍‌ ଭୁବନେଶ୍ୱର ଏକାମ୍ରକ୍ଷେତ୍ର, ସ୍ମାଇଲ୍ ପ୍ଲିଜ୍‌ ଓ ସୁଧାନନ୍ଦ ଶିକ୍ଷାନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍ ତଥା ସ୍ତମ୍ଭକାର ଭଗବାନ ପ୍ରକାଶଙ୍କୁ ‘ଗ୍ରିନ୍‌ମ୍ୟାନ୍ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ପୁରସ୍କାର ବାବଦକୁ ତାଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏହି ଅବସରରେ ଭଗବାନ ପ୍ରକାଶ କହିଥିଲେ ଯେ ମଣିଷକୁ ଏବେ ନିଜ ଆଚରଣରେ ପରବର୍ତ୍ତନ ଆଣିବାକୁ ପଡ଼ିବ। କାର୍‌, ବାଇକ୍‌ରେ ଯାତାୟାତ କରୁଥିବା ବ୍ୟକ୍ତିମାନେ ନିଜ ଜୀବଦଶାରେ ଅତି କମ୍‌ରେ ୧୦୦ଟି ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ।

‘ପ୍ରେରଣା’ର ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ‘ଜଗା ପାଇଁ ଗଛଟିଏ ଲଗା’ ଅଭିଯାନ ସଂପର୍କରେ କହିଲେ ଯେ ଗତ ୨୦୦୦ ମସିହାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୃଷ୍ଟି କରାଯାଇଥିବା ୨୦୦ରୁ ଅଧିକ ‘ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ’ ଆଜି ପ୍ରାୟ ନିଶ୍ଚିହ୍ନ ହୋଇଯାଇଛି। ତେଣୁ ଖୋର୍ଧା, ନୟାଗଡ଼ ଓ ବୌଦ୍ଧ ଫରେଷ୍ଟ ଡିଭିଜନ୍‌ରୁ ତିନିରଥ ପାଇଁ କାଠ ସଂଗ୍ରହ କରାଯାଉଥିଲା। ଚଳିତବର୍ଷ ଏହାର ଘୋର ଅଭାବ ପରିଲକ୍ଷିତ ହେବାରୁ ଗଞ୍ଜାମର ସୋରଡ଼ାରୁ କାଠ ସଂଗ୍ରହ କରାଯାଇଛି। ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଓ ରଥ ନିର୍ମାଣ ପାଇଁ ‘ପ୍ରେରଣା’ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏଥିରେ ସାଧାରଣ ଜନତା ଅଂଶଗ୍ରହଣ କରିବାକୁ ସେ ନିବେଦନ କରିଥିଲେ।
କାର୍ଯ୍ୟକ୍ରମରେ ବିଧାୟକ ସୁରେଶ ରାଉତରାୟ, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ରୋଟାରି କ୍ଲବର ଜିଲ୍ଲା ଗଭର୍ଣ୍ଣର ଶାନ୍ତନୁ ସାହୁ, ବିଶ୍ୱମୋହନ ପଟ୍ଟନାୟକ, ଓଡ଼ିଶା ବୀର ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ରୋଟାରି କ୍ଲବ ଅଫ ଭୁବନେଶ୍ୱର ଏକାମ୍ରକ୍ଷେତ୍ରର ସଭାପତି ଅଚ୍ୟୁତାନନ୍ଦ ପଟ୍ଟନାୟକ, ଅଭିନେତା ଚନ୍ଦନ ପଣ୍ଡା ଓ ସ୍ମାଇଲ୍ ପ୍ଲିଜ୍‌ର ସମ୍ପାଦକ ଋଷି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଗୋଟି ଜିଲ୍ଲା ତଥା ବିଭିନ୍ନ ରାଜ୍ୟର ବୃକ୍ଷପ୍ରେମୀ, ପରିବେଶବିତ୍‌, ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ଯୋଗ ଦେଇଥିବା ବେଳେ ବୃକ୍ଷରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଦ୍ରିନାରାୟଣ ମିଶ୍ର, ଖୋର୍ଦ୍ଧା ଅଞ୍ଜୁମନ ଇସ୍‌ଲାମର ସଭାପତି ରମଜାନ ଖାନ, ଚିନ୍ମୟୀ ପଣ୍ଡା, ସୁଦୀପ୍ତା ପଟ୍ଟନାୟକ, ମୀର ଅହମ୍ମଦ ଅଲ୍ଲୀ ଓ ସଞ୍ଜୟ କୁମାର ବେହେରା ପ୍ରମୁଖଙ୍କୁ ଗ୍ରିନ୍ ଆର୍ମି କମାଣ୍ଡାଣ୍ଟ୍‌ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର