ଧର୍ମଗଡ଼: କଳାହାଣ୍ଡିଜିଲ୍ଲା ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟଠାରେ ଗୁରୁବାର ‘ସମ୍ବାଦ’ ପକ୍ଷରୁ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ପରିବେଶ ସୁରକ୍ଷା ପାଇଁ ‘ସମ୍ବାଦ’ର ଅଭିନବ ପ୍ରୟାସ ବାସ୍ତବରେ ସ୍ୱାଗତଯୋଗ୍ୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତେ ଅନୁପ୍ରାଣିତ ହୋଇ ନିଜ ପରିବାର ସଦସ୍ୟଙ୍କ ନାମରେ ଅନ୍ତତଃ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବା ସଙ୍ଗେ ସଙ୍ଗେ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ପରିବେଶ ରକ୍ଷା ଓ ସନ୍ତୁଳନ ପାଇଁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମ କରୁଛନ୍ତି ତାହା ସମସ୍ତଙ୍କ ପାଇଁ ଅନୁକରଣୀୟ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କଲେଜର ଅଧ୍ୟାପକ ଲିଙ୍ଗରାଜ ପାତ୍ର ସଭାପତିତ୍ୱ କରିଥିଲେ।
ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ରବୀନ୍ଦ୍ର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ଅଗ୍ରୱାଲ, ‘କର୍ତ୍ତବ୍ୟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ ପଟ୍ଟନାୟକ, ଅଧ୍ୟାପକ ସରୋଜ ପଣ୍ଡା, ବସନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ପରିବେଶ ସୁରକ୍ଷାରେ ବ୍ରତୀ ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ‘ସମ୍ବାଦ’ ପରିବାର ପକ୍ଷରୁ ଅତିଥିମାନଙ୍କୁ ଗୋଟିଏ ଲେଖାଏଁ ଗଛ ଦେଇ ସ୍ୱାଗତ କରାଯାଇଥିଲା। ‘ସମ୍ବାଦ’ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ‘ସମ୍ବାଦ’ ଧର୍ମଗଡ଼ ପ୍ରତିନିଧି ବିରଞ୍ଚି ନାରାୟଣ ଜାଲ ଧନ୍ୟବାଦ ଦେଇଥିଲେ। ସାମ୍ବାଦିକ ସୌରଭ ମିତ୍ତଲ, ଢଗ ନାଏକ, ଅଧ୍ୟାପକ ଗଣପତି ବାଗଙ୍କ ସମେତ କଲେଜର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।