ଖୋର୍ଦ୍ଧା: ଦିନ ଥିଲା, ଦିନକୁ ଦୁଇ ଓଳି ଖାଇବାକୁ ମିଳୁନଥିଲା। ମୁଣ୍ଡ ଗୁଞ୍ଜିବାକୁ ଛାତ ବି ନ ଥିଲା। ତଥାପି ମଣିଷ ବଞ୍ଚୁଥିଲା ସୁସ୍ଥ ଓ ନିରାମୟ ଜୀବନ। ଏବେ କିନ୍ତୁ ସମୟ ବଦଳିଛି। ଖାଦ୍ୟର ଅଭାବ ନାହିଁ କି’ ବାସଗୃହର ଅଭାବ ନାହିଁ। ଏହା ସତ୍ତ୍ବେ ମଣିଷର ଆୟୁଷ କମିକମି ଚାଲିଛି। ତା’ର ଅନ୍ୟତମ କାରଣ ହେଉଛି, ଜଳବାୟୁ ପ୍ରଦୂଷଣ। ଏହି ଦୁଃସ୍ଥିତିକୁ ଦୂର କରିବାକୁ ମୁଣ୍ଡ ପିଛା ଅନ୍ୟୂନ ଗୋଟିଏ ଗଛ ଲଗାଇବାକୁ ଆଜି ସ୍ଥାନୀୟ ମଙ୍ଗଳାନଗରଠାରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟଅତିଥି ବେଗୁନିଆ ବିଧାୟକ ପ୍ରଦୀପ ସାହୁ କହିଛନ୍ତି।
ବିଧାୟକ ଶ୍ରୀ ସାହୁ ପରିବେଶକୁ ବଞ୍ଚାଇବାର ଉତ୍ତର ଦାୟିତ୍ବ ସମସ୍ତଙ୍କର ବୋଲି ମତବ୍ୟକ୍ତ କରିବା ସହ ପ୍ରତ୍ୟେକ ଅନ୍ୟୂନ ଗୋଟିଏ ଲେଖାଏଁ ବରଗଛ ଲଗାଇବାକୁ ଆହ୍ବାନ ଦେଇଥିଲେ। ସେ କହିଥିଲେ, ବେଗୁନିଆ ଓ ବୋଲଗଡ଼ କୃଷିପ୍ରବଣ ଅଞ୍ଚଳ। ଆମ ଅଞ୍ଚଳ ପାଇଁ ଚାଷୀ ଏକମାତ୍ର ଓ ବିକଳ୍ପ ରହିତ ଅର୍ଥନୀତି ଅଟେ। ଚାଷୀ ଭାଇମାନେ କେବଳ ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି। ଜଳବାୟୁ ବିଗିଡ଼ିଲେ କିଭଳି ଅବସ୍ଥା ଭୋଗିବାକୁ ପଡ଼େ, ତାହା ଆମେ ଅଙ୍ଗେ ନିଭାଉଛୁ। ଜଳବାୟୁ ପରିବର୍ତ୍ତନର ଏପ୍ରକାର ସ୍ଥିତି ଯଦି ଜାରି ରହେ ତେବେ ଆଗାମୀ ଦିନରେ ଆମକୁ ଅମ୍ଲଜାନ ଥଳି ନେଇ ବୁଲିବାକୁ ପଡ଼ିବ।
ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ୍ତ କିଶୋର ଛୋଟରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ସମ୍ବାଦ’ର ଏଭଳି ପରିବେଶଧର୍ମୀ ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପରିବେଶ ସୁରକ୍ଷାରେ ସମସ୍ତଙ୍କର ସହଭାଗିତା ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଘମାରୀ ସରପଞ୍ଚ ମାନସ ବିଶ୍ବାଳ, ବୋତଲମା ସରପଞ୍ଚ ପ୍ରମୋଦ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ।
‘ସମ୍ବାଦ’ ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ବିକାଶ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଅନେକ ଜନପ୍ରତିନିଧି, ବୁଦ୍ଧିଜୀବୀ ଯୋଗ ଦେଇ ପରିବେଶ ସୁରକ୍ଷା ନିମନ୍ତେ ନିଜ ନିଜ ମତ ରଖିଥିଲେ। ଜିଲ୍ଲାରେ ବିଶେଷତଃ ବେଗୁନିଆ ଓ ବୋଲଗଡ଼ ଅଞ୍ଚଳରେ ପରିବେଶର ପ୍ରଭାବ ପରିଲକ୍ଷିତ ହେଉଛି। ଆଗାମୀ ଦିନରେ କିଭଳି ଏହାକୁ ମୁକାବିଲା କରାଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା। ‘କନକ’ ଟିଭିର ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରମେଶ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।