ଅନୁଗୁଳ : ଅନୁଗୁଳ ଉଦ୍ୟାନ କୃଷି ବିଭାଗରେ ହୋଇଥିବା ୩୮ହଜାର ଚାରା ଦୁର୍ନୀତିର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଉଦ୍ୟାନ କୃଷି ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପ୍ରଦୋଷ ପଣ୍ଡାଙ୍କୁ ତଦନ୍ତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, ଅନୁଗୁଳ ଉଦ୍ୟାନ କୃଷି ବିଭାଗ ଫାର୍ମ ଇନ୍ଚାର୍ଜ ପଦୋନ୍ନତି ପାଇ ବୌଦ୍ଧକୁ ବଦଳି ହୋଇଯିବା ପୂର୍ବରୁ ଦାୟିତ୍ବ ହସ୍ତାନ୍ତର ବେଳେ ଚାରା ଦୁର୍ନୀତି ଘଟଣା ପଦାକୁ ଆସିଥିଲା। ଗଲାବର୍ଷ ଉଦ୍ୟାନ ବିଭାଗ ଚାରା ଉତ୍ପାଦନ ପାଇଁ ସରକାରୀ ତହବିଲ୍ରୁ ମୋଟ୍ ୧୭ଲକ୍ଷ ଟଙ୍କା ଉଠାଣ ହୋଇଥିଲା। ପ୍ରତି ଚାରା ପିଛା ୨୦ଟଙ୍କା ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ରହିଥିଲା। ଖର୍ଚ୍ଚ ଅନୁସାରେ ହିସାବ କଲେ, ଫାର୍ମରେ ମୋଟ୍ ୮୫ ହଜାର ୨୬୧ଟି ଚାରା ରହିବା କଥା। ମାତ୍ର, ୪୬ ହଜାର ୬୩୦ଟି ଚାରାର ହିସାବ ମିଳିଥିଲା। ଅବଶିଷ୍ଟ ୩୮ହଜାର ୬୩୧ଟି ଚାରାର ହିସାବ ନ ଥିଲା। ଯାହାର ମୂଲ୍ୟ ପ୍ରାୟ ୧୦ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଏ ସମ୍ପର୍କରେ ଅନୁଗୁଳ ଉଦ୍ୟାନ କୃଷି ବିଭାଗ ସରକାରଙ୍କୁ ଜଣାଇଥିଲା। ବିଳମ୍ବରେ ହେଲେ ବି ଘଟଣାର ତଦନ୍ତ ନିର୍ଦ୍ଦେଶ ବିଭାଗୀୟ ସହକାରୀ ନିର୍ଦ୍ଦେଶକ ଶ୍ରୀ ପଣ୍ଡାଙ୍କୁ ଦିଆଯାଇଛି।